ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ, ବ୍ଲୁ ଅରିଜିନ୍‌ର ନ୍ୟୁ ଶେଫର୍ଡ ମିଶନରେ ଯିବେ ମହାକାଶ

ଭୁବନେଶ୍ଵର, ୧୩/୦୪ : ଭାରତର ପ୍ରଥମ ମହାକାଶ ପର୍ଯ୍ୟଟକ ଭାବେ ଇତିହାସ ରଚିବାକୁ ଯାଉଛନ୍ତି ଗୋପୀଚନ୍ଦ ଥୋଟାକୁରା । ଜେଫ୍‌ ବେଜୋସଙ୍କ ବ୍ଲୁ ଅରିଜିନ୍‌ର ‘ନ୍ୟୁ ଶେଫର୍ଡ ୨୫ ମିଶନ’ର ୬ ଜଣିଆ ସଦସ୍ୟଙ୍କ ମଧ୍ୟରେ ସେ ଯୋଗଦେବେ । ଏହି ଯାତ୍ରା ଜରିଆରେ ୧୯୮୪ ମସିହାରେ ମହାକାଶ ଯାତ୍ରା କରିଥିବା ଭାରତୀୟ ଆର୍ମିର ୱିଙ୍ଗ୍‌ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଗୋପୀଚନ୍ଦ ହେବେ ଭାରତର ୨ୟ ମହାକାଶଯାତ୍ରୀ । ଏହି ମିଶନରେ ପର୍ଯ୍ୟଟକ ପୃଥିବୀ ବାୟୁମଣ୍ଡଳ ଉଦ୍ଧ୍ୱର୍କୁ ଯାତ୍ରା କରିବେ । ଗୋପୀଚନ୍ଦ ଜଣେ କୁଶଳୀ ପାଇଲଟ୍‌ । ସଫଳ ଉଦ୍ୟମୀ ମଧ୍ୟ । ଆଟ୍‌ଲାଣ୍ଟା ସ୍ଥିତ ହୋଲିଷ୍ଟିକ୍‌ ୱେଲ୍‌ନେସ ସେଣ୍ଟର୍‌ ‘ପ୍ରିଜର୍ଭ ଲାଇଫ୍‌ କର୍ପ’ର ସେ ସହ-ପ୍ରତିଷ୍ଠାତା । ଉଡ୍ଡୟନ କ୍ଷେତ୍ରରେ ତାଙ୍କ ଅନୁଭବ ସୁଦୂରପ୍ରସାରୀ । ଏମ୍ବ୍ରି-ରିଡିଲ୍‌ ଏରୋନଟିକାଲ ବିଶ୍ୱବିଦ୍ୟାଳୟରୁ ସେ ଡିଗ୍ରୀ ହାସଲ କରିଛନ୍ତି । ୟୁଏଇର କୋଭେଣ୍ଟ୍ରି ବିଶ୍ୱବିଦ୍ୟାଳୟରୁ ଆଭିଏସନ୍‌/ ଏୟାରୱେ ମ୍ୟାନେଜ୍‌ମେଣ୍ଟ ଆଣ୍ଡ ଅପରେସନ୍ସରେ ସେ ଏମ୍‌ବିଏ କରିଛନ୍ତି । ଏବେ ଏସିଆନ୍‌ ଇନ୍‌ଫ୍ରାଷ୍ଟକ୍‌ଚର ଲିଃ.ରେ ମୁଖ୍ୟ ପରିଚାଳନା ଅଧିକାରୀ ଅଛନ୍ତି । 

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ବାସିନ୍ଦା ଗୋପୀଚନ୍ଦ ଏବେ ଆମେରିକାର ଜର୍ଜିୟା ସ୍ଥିତ ଆଟ୍‌ଲାଣ୍ଟାରେ ରହୁଛନ୍ତି । ‘ଗାଡ଼ି ଚାଳନା ଶିଖିବା ପୂର୍ବରୁ ଉଡ଼ାଣ ଶିଖିଥିବା ବ୍ୟକ୍ତି’ ଭାବେ ଗୋପୀଚନ୍ଦଙ୍କୁ ବର୍ଣ୍ଣନା କରିଛି ବ୍ଲୁ ଅରିଜିନ୍‌ । କମର୍ସିଆଲ ଜେଟ୍‌ର ପାଇଲଟ୍‌, ବୁଦା ମଧ୍ୟରେ ଉଡ଼ାଣ ଭରିବା, ଏରୋବାଟିକ୍ସ, ସିପ୍ଲେନ୍‌, ଗ୍ଲାଇଡର୍‌ ଓ ହଟ୍‌ ଏୟାର ବେଲୁନ୍‌ ପାଇଲଟିଂରେ ତାଙ୍କର ଅନୁଭବ ରହିଛି । ଅନ୍ତର୍ଜାତୀୟ ସ୍ତରରେ ସେ ମେଡିକାଲ ଜେଟ୍‌ ଉଡ଼ାଇଛନ୍ତି । ନିକଟରେ ସେ ଆଫ୍ରିକାର କିଲିମଞ୍ଜାରୋ ପର୍ବତ ଆରୋହଣ କରିଥିଲେ । ନ୍ୟୁ ଶେଫର୍ଡ ୨୫ ମିଶନ ହେଉଛି ଏହି କାର୍ଯ୍ୟକ୍ରମର ୭ମ ମାନବ ଉଡ଼ାଣ । ଏହା ମହାକାଶ ପର୍ଯ୍ୟଟନ ନିମନ୍ତେ ଡିଜାଇନ୍‌ ହୋଇଥିବା ବ୍ଲୁ ଅରିଜିନ୍‌ର ପୁନଃବ୍ୟବହାରଯୋଗ୍ୟ ସବ୍‌ଅର୍ବିଟାଲ ରକେଟ୍‌ ସିଷ୍ଟମ୍‌ର ଉପଯୋଗ କରିବ । ପ୍ରଥମ ଆମେରିକୀୟ ମହାକାଶଚାରୀ ଆଲାନ ଶେଫର୍ଡଙ୍କ ନାମ ଅନୁସାରେ ନ୍ୟୁ ଶେଫର୍ଡ ରକେଟ୍‌ର ନାମକରଣ ହୋଇଛି । 

ବ୍ଲୁ ଅରିଜିନ୍‌ ୱେବ୍‌ସାଇଟ୍‌ ଅନୁସାରେ, ନ୍ୟୁ ଶେଫର୍ଡ ମିଶନ ହେଉଛି ପରିବେଶ ଅନୁକୂଳ । ଏହି ମହାକାଶଯାନରେ ଚାଳକ ସଦସ୍ୟଙ୍କ ପାଇଁ ଏକ କ୍ୟାପ୍‌ସୁଲ ଓ ଏକ ବୁଷ୍ଟର୍‌ ରକେଟ୍‌ ରହିଛି । ୬ ଜଣ ଯାତ୍ରୀ, ୬ ଟି କାର୍ଗୋ (ଉପକରଣ) କିମ୍ବା ଉଭୟଙ୍କୁ ଏହି କ୍ୟାପ୍‌ସୁଲ ବହନ କରିପାରେ । ବିଇ-୩ପିଏମ୍‌ ଇଞ୍ଜିନ୍‌ ବୁଷ୍ଟର୍‌ ରକେଟ୍‌କୁ ଶକ୍ତି ପ୍ରଦାନ କରେ, ଯାହା ସାହାଯ୍ୟରେ କ୍ୟାପ୍‌ସୁଲ କାରମାନ୍‌ ଲାଇନ୍‌ ଉପରେ ଉଡ଼ାଣ ଭରେ । ପୃଥିବୀକୁ ଫେରିବା ପୂର୍ବରୁ ଏହି ସମୟରେ ଯାତ୍ରୀ ହାଲୁକା ଅନୁଭବ କରନ୍ତି । ବ୍ଲୁ ଅରିଜିନ୍‌ ୱେବ୍‌ସାଇଟ୍‌ରେ ଉଲ୍ଲେଖ ହୋଇଛି ‘ଜଣେ ମହାକାଶଚାରୀ ଭାବେ କିମ୍ବା ମହାକାଶକୁ ଉପକରଣ ପଠାଇବା ଲାଗି ଆପଣ ଯଦି ବ୍ଲୁ ଅରିଜିନ୍‌ରେ ଭ୍ରମଣ କରୁଛନ୍ତି, ନ୍ୟୁ ଶେଫର୍ଡରେ ଆପଣଙ୍କର ୧୧ ମିନିଟ୍‌ର ଭ୍ରମଣ ଏକ ଅଭୁଲା ରୋମାଞ୍ଚକର ଯାତ୍ରାର ପ୍ରତିଶ୍ରୁତି ପ୍ରଦାନ କରେ ।’ ନ୍ୟୁ ଶେଫର୍ଡରେ ମହାକାଶଚାରୀଙ୍କୁ ମହକାଶ ପଠାଇବା, ପୁନଃବ୍ୟବହାରଯୋଗ୍ୟ ଲିକ୍ୱିଡ୍‌ ରକେଟ୍‌ ଇଞ୍ଜିନ୍‌ ନିର୍ମାଣ, ନ୍ୟୁ ଗ୍ଲେନ୍‌ ନାମକ ଅର୍ବିଟାଲ ଲଞ୍ଚ୍‌ ଭେଇକଲ୍‌ ନିର୍ମାଣ, ଆଗାମି ପିଢ଼ିର ମହାକାଶ ବାସସ୍ଥଳୀର ବିକାଶରେ ଅଗ୍ରଗତି ଏବଂ ଚନ୍ଦ୍ର ପୃଷ୍ଠ ମିଶନର ଯୋଜନା ଭଳି ବିଭିନ୍ନ ପଦକ୍ଷେପ ବ୍ଲୁ ଅରିଜିନ୍‌ର ଏହି ପ୍ରୟାସରେ ଅନ୍ତର୍ଭୁକ୍ତ । ନ୍ୟୁ ଶେଫର୍ଡ କାର୍ଯ୍ୟକ୍ରମ ଜରିଆରେ ଅଦ୍ୟାବଧି ୩୧ ଜଣ ପୃଥିବୀ ବାୟୁମଣ୍ଡଳ ଓ ବାହ୍ୟ ମହାକାଶ ମଧ୍ୟସ୍ଥ ସୀମା ‘କାରମାନ ଲାଇନ୍‌’କୁ ଅତିକ୍ରମ କରି ମହାକାଶ ଯାତ୍ରାର ଅନୁଭବ ହାସଲ କରିଛନ୍ତି । ଖୁବ୍‌ଶୀଘ୍ର ୭ମ ମିଶନର ଲଞ୍ଚ୍‌ ତାରିଖ ଘୋଷଣା କରିବ ବ୍ଲୁ ଅରିଜିନ୍‌ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.