ନୂଆଦିଲ୍ଲୀ,୦୩/୦୯: ଆଜି ପଶ୍ଚିମବଙ୍ଗ ବିଧାନସଭାରେ ନିଆଯିବ ବଡ଼ ନିଷ୍ପତ୍ତି । ବିଧାନସଭାରେ ଆଣ୍ଟି-ରେପ୍ ବିଲ ପାରିତ ହେବାକୁ ଯାଉଛି । କୋଲକାତା ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବାବେଳେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏଣୁ ମମତା ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । 'ଅପରାଜିତା ମହିଳା' ନାମକ ଏହି ଆଣ୍ଟି-ରେପ୍ ବିଲ ଯଦି ପାରିତ ହୁଏ, ତେବେ ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଘଟଣାର ମାତ୍ର ୧୦ ଦିନ ମଧ୍ୟରେ ଫାଶୀଦଣ୍ଡ ସୁନିଶ୍ଚିତ କରିବାକୁ ଦିଆଯାଇଛି ପ୍ରସ୍ତାବ । ପଶ୍ଚିମବଙ୍ଗ ସରକାର ଅପରାଧିକ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ରଖିଥିବାବେଳେ ରାଜ୍ୟ ଆଇନ ମନ୍ତ୍ରୀ ମଳୟ ଘଟକ ବିଧାନସଭାରେ ଏହାକୁ ଉପସ୍ଥାପନ କରିବେ ।
ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ରୋକିବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ତେବେ ଗତକାଲିଠାରୁ ପଶ୍ଚିମବଙ୍ଗ ବିଧାନସଭାରେ ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଏହି ଅଧିବେଶନ ସମୟରେ ଏକ୍ ବିଲ ଉପସ୍ଥାପନ ହେବ ବୋଲି କୁହାଯାଉଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିରୋଧୀ ବିଜେପି ମଧ୍ୟ ଏହାକୁ ସମର୍ଥନ କରିବ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ କରିଥିଲା ବିଜେପି । ଏନେଇ ମମତା ସରକାରଙ୍କୁ ଘେରିଥିଲେ ବିରୋଧୀ । ତେବେ ଦୁଷ୍କର୍ମକାରୀଙ୍କୁ ସଜ୍ଜା ପାଇଁ ମମତା ସରକାର ଆଣିଥିବାଆଣ୍ଟି-ରେପ୍ ବିଲକୁ ବିଜେପି ମଧ୍ୟ ସମର୍ଥନ କରିପାରେ ବୋଲି କୁହାଯାଉଛି । ସେହିପରି ଗତ ବୁଧବାର ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଦୁଷ୍କର୍ମକାରୀଙ୍କୁ ବିରୋଧରେ କଠୋର ଆଇନ ପ୍ରଣୟନ ହେବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ବିଲ ପାରିତ ହେଲେ ଦୁଷ୍କର୍ମକାରୀଙ୍କୁ ଏଣିକି ତ୍ରାହି ନାହିଁ । ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇବ ବୋଲି କହିଥିଲେ ମମତା ।