ପୁରୀ, ୩।୭: ଆଖି ପାଉନଥିବା କାହିଁ ଅନାଦିକାଳରୁ ବାଙ୍କୀଠାରେ ମା’ ଚର୍ଚ୍ଚିକାଙ୍କ ପୀଠ ବିଦ୍ୟମାନ । ପୀଠର ମାହାତ୍ମ୍ୟ ପ୍ରାୟତଃ ସମସ୍ତଙ୍କୁ ଅଜଣା । ନୀଳକନ୍ଦର ମଧ୍ୟରେ ନୀଳ ବିଗ୍ରହଙ୍କ ପୂଜା କାଳରୁ ଏହି ପୀଠରେ ମା’ ଚର୍ଚ୍ଚିକା ପୂଜିତ । ଋଚିକ ପାହାଡ଼ର ପଶ୍ଚିମ ପାର୍ଶ୍ୱ ପାଦଦେଶରେ ରେଣୁକା ନାମକ ଏକ ନଦୀ ମହାନଦୀରୁ ବାହାରୀ ଶ୍ରୀକ୍ଷେତ୍ରର ଚକ୍ରତୀର୍ଥ ବାଙ୍କୀ ମୁହାଣ ଠାରେ ସମୁଦ୍ର ସହିତ ସଂଲଗ୍ନ ହୋଇଥିଲା । ପୂର୍ବକାଳରେ ଏହି ନଦୀରେ ବ୍ରହ୍ମଦାରୁ ଭାସି ଯାଇ ବାଙ୍କୀ ମୁହାଣରେ ଲାଗିଥିବା କଥା ମାଦଳା ପାଞ୍ଚିରୁ ମିଳେ । ଶ୍ରୀବିଗ୍ରହମାନଙ୍କ ଯାତ୍ରା ପାଇଁ ରଥକାଠ ଏହି ବାଟ ଦେଇ ଶ୍ରୀକ୍ଷେତ୍ରରେ ପହଞ୍ଚେ । ପୂର୍ବକାଳରେ ଋଷି ଜମଦଗ୍ନିଙ୍କ ପିତା ରୁଚିକ ମୁନି ମା’ ଚର୍ଚ୍ଚିକାଙ୍କୁ ଏହି ସ୍ଥାନରେ ସାକ୍ଷାତ ଦର୍ଶନ କରି ପୂଜାର୍ଚ୍ଚନା କରି ଅଭୟ ବର ପ୍ରାପ୍ତି କରିଥିଲେ ।
ତେଣୁ ଋଷିଙ୍କ ନାମାନୁସାରେ ପାହାଡ଼ ନାମ ରୁଚିକ ଗିରି ରହିଛି । ପୁରୁଷାନୁକ୍ରମରେ ରୁଚିକ ଗିରିଥିଲା ଜମଦଗ୍ନି ଓ ପର୍ଶୁରାମଙ୍କ ଆଶ୍ରମସ୍ଥଳୀ । ପ୍ରସେନଜିତ୍ ରାଜାଙ୍କ କନ୍ୟା ରେଣୁକାଙ୍କ ସହିତ ରୁଚିକ ମୁନି ତାଙ୍କ ପୁତ୍ର ଜମଦଗ୍ନିଙ୍କ ବିବାହ କରାଇଥିଲେ । ପ୍ରତ୍ୟେକ ଦିନ ଋଷି ଜମଦଗ୍ନି ମହାନଦୀର ବାଲୁକା ଶଯ୍ୟାରେ ଶର ଚାଳନା ଅଭ୍ୟାସରତ ଥିବା ବେଳେ ପତ୍ନୀ ରେଣୁକା ଶର ଗୋଟାଇ ଦିଅନ୍ତି । ଏକଦା ବୈଶାଖ ମାସରେ ଉତ୍ତପ୍ତ ବାଲୁକାରୁ ରେଣୁକା ଶର ଗୋଟାଇବାରେ କଷ୍ଟ ଅନୁଭବ କରିବାରୁ ଜମଦଗ୍ନିଙ୍କ ପ୍ରାର୍ଥନାକ୍ରମେ ସୂର୍ଯ୍ୟଦେବ ଦର୍ଶନ ଦେଇ ‘ଶିରସ୍ତ୍ରାଣ’ ଓ ‘ପାଣ୍ଡୋଲି’ ପ୍ରଦାନ କରିଥିଲେ । ଏହି ଶିରସ୍ତ୍ରାଣ ଓ ପାଣ୍ଡୋଲି ଯଥାକ୍ରମେ ଛତା ଓ ଜୋତା ନାମରେ ବିଶ୍ୱରେ ପରିଚିତ ହୋଇଛି । ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ସନ୍ଧାନରେ ଉତ୍କଳ ଆସିବା ବେଳେ ମହାନଦୀର ଉତ୍ତର ପାଶ୍ୱର୍ରୁ ମହାନଦୀ ପାର ହୋଇ ସର୍ବପ୍ରଥମେ ମା’ ଚର୍ଚ୍ଚିକାଙ୍କ ଦର୍ଶନ କରିଥିଲେ । ନୀଳାଦ୍ରି ମହୋଦୟ ଗ୍ରସ୍ଥ ଏହାର ପ୍ରମାଣ ଦିଏ ।
ଶ୍ରୀକ୍ଷେତ୍ରରୁ ଯାତ୍ରା କରିବା ସମୟରେ ମା’ ଚର୍ଚ୍ଚିକା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ବାଟ କଢ଼ାଇ ନେଇଥିଲେ ଓ ଏଠାରେ ଅଧିଷ୍ଠିତ ହୋଇଥିଲେ । ଜନଶ୍ରୁତି ରହିଛି ଦାରୁ ବିଗ୍ରହ ନିର୍ମାଣ ପରେ ସ୍ୱର୍ଗଲୋକର ଦେବତାମାନେ ପ୍ରତ୍ୟେକ ଦିନ ଶ୍ରୀମନ୍ଦିରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ଆସନ୍ତି । ଅନ୍ୟ ଦେବଦେବୀଙ୍କ ଭଳି ମା’ ଚର୍ଚ୍ଚିକା କୁମାରୀ ବେଶରେ ବ୍ରହ୍ମ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏକଦା ତାଙ୍କ ଅପୂର୍ବ କୁମାରୀ ଲାବଣ୍ୟକୁ ବାରମ୍ବାର ଦେଖି ଜଣେ ସେବକ ମୋହବଶତଃ ପଛପାଶ୍ୱର୍ରୁ ଧରି ପକାଇଥିଲେ । ମା’ ଚର୍ଚ୍ଚିକା ତତ୍କ୍ଷଣାତ୍ କ୍ରୋଧ ଦୃଷ୍ଟିରେ ଚାହିଁ ଦେବାରୁ ସେବକ ଜଣକ ରକ୍ତବାନ୍ତି କରି ଉତ୍ତର ଦ୍ୱାର ପାବଛରେ ପ୍ରାଣ ହରାଇଥିଲେ । ଏହା ପରେ ମହାପ୍ରଭୁ ଘଟଣାସ୍ଥଳରେ ଅବିର୍ଭୁତ ହୋଇ ମା’ ଚର୍ଚ୍ଚିକାଙ୍କୁ ଶାସ୍ତି ଦେଇଥିଲେ । ପ୍ରଭୁଙ୍କ ନିର୍ଦ୍ଦେଶ ମତେ ମା’ ଚର୍ଚ୍ଚିକା ମୃତ୍ୟୁବରଣ କରିଥିବା ସେବକଙ୍କ ଘରେ ଚାକରାଣୀ ହୋଇ କାମ କରିଥିଲେ । ମାତ୍ର, ଦାରୁବ୍ରହ୍ମଙ୍କ ପାଖରେ କରିଥିବା ମା’ଙ୍କ ବିନତି ମୁତାବକ ଉକ୍ତ ସେବକ ପରିବାର ଲୋକେ ମା’ ଚର୍ଚ୍ଚିକାଙ୍କ ଦିବ୍ୟତାକୁ ଚିହ୍ନି ଦେବାରୁ ପୁନର୍ବାର ମା’ ଶ୍ରୀଜିଉଙ୍କ ନିକଟରେ ପହଞ୍ଚି ଦ୍ୱିତୀୟ ବିଚାର ନିମନ୍ତେ ଗୁହାରି କରିଥିଲେ । ଏକଦା ଝଡ଼ବର୍ଷା ରାତିରେ ସମ୍ପୃକ୍ତ ସେବକ ପରିବାର ଚାକରାଣୀ ରୂପ ଧାରଣ କରିଥିବା ଚର୍ଚ୍ଚିକାଙ୍କୁ ଅନ୍ଧାର ଭିତରେ ଆଲୁଅ ଆଣିବାକୁ କହିଥିଲେ, ଏହି ସମୟରେ ମା’ ହାତ ବଢ଼ାଇ ଶ୍ରୀମନ୍ଦିର ଗରୁଡ଼ ସ୍ତମ୍ଭ ପାଖରୁ ଦୀପ ଉଠାଇ ଆଣି ରଖି ଦେବାରୁ ଦିବ୍ୟତା ସମ୍ପର୍କରେ ଜଣାପଡ଼ିଯାଇଥିଲା ।
ସେପଟେ ଦ୍ୱିତୀୟ ବିଚାରରେ ମହାପ୍ରଭୁ ଖୁସି ପ୍ରକାଶ କରି ସେବକଙ୍କ ରକ୍ତ ଛିଟା ଲାଗିଥିବା ସ୍ଥାନରେ ‘ସୁନା କୁଅ’ ଖନନ କରି ଏଠାରେ ‘ଶୀତଳା’ ଠାକୁରାଣୀ ନାମରେ ପୂଜା ପାଇବାକୁ ଆଜ୍ଞା ଦେଇଥିଲେ । ସେହି ଆଜ୍ଞା ମୁତାବକ ବର୍ଷକରେ ମାତ୍ର ଗୋଟିଏ ଥର ସ୍ୱାନ ପୂର୍ଣ୍ଣମୀ ଦିନ ଏହି କୂଅ ଖୋଲାଯାଇ ଉକ୍ତ ଜଳରେ ଠାକୁରାଣୀଙ୍କ ମାଜଣା କରାଯିବା ପରେ ଶ୍ରୀଜିଉମାନେ ସ୍ନାନ ମଣ୍ଡପରେ ୧୦୮ କଳସ ପାଣିରେ ସ୍ନାନ କରନ୍ତି । ମା’ଙ୍କ ମାଜଣା କରି ପୂଜା କଲେ ଶିଶୁମାନଙ୍କ ବିଭିନ୍ନ ବ୍ୟାଧି ଦୂରିଭୁତ ହୁଏ । ମା’ ଶିତଳା ଏହି ‘ସୁନା କୁଅ’କୁ ଶ୍ରୀଜିଉଙ୍କ ଆଜ୍ଞା କ୍ରମେ ଜଗି ରହିଛନ୍ତି ।