ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ପୁଅ, କେଉଁ ଦଳରେ ମିଶିବେ ଅକ୍ଟୋବରରେ କହିବେ ମନ୍ମଥ

ଜଟଣୀ,୦୭/୦୯: ମୁଁ କଂଗ୍ରେସରୁ  ଲଢ଼ିବିନାହିଁ । ଏକଥା ବୁଧବାର ଗଣମାଧ୍ୟମ  ଆଗରେ ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ  କୁମାର ରାଉତରାୟଙ୍କ ପୁଅ ମନ୍ମଥ  ରାଉତରାୟ । ୨୦୨୪ ସାଧାରଣ ନିର୍ବାଚନରେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିବା ପରେ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ସେ ବିଜେଡି ନା ଅନ୍ୟ କୌଣସି ଦଳରେ ସାମିଲ ହେବେ ଏପରି  ନାନା କଳ୍ପନାଜଳ୍ପନା ଓ ପ୍ରଶ୍ନ ଲୋକଙ୍କ ମଧ୍ୟରେ ଉଙ୍କି ମାରିଛି।  

ବର୍ତ୍ତମାନର ବିଧାୟକ ସୁର ରାଉତରାୟ ଆଗାମୀ  ନିର୍ବାଚନରେ ନ ଲଢ଼ି ତାଙ୍କର ରାଜନୈତିକ ଉତ୍ତରାଧିକାରୀ  ଭାବେ ସାନପୁଅ ମନ୍ମଥଙ୍କ ନାମ ବହୁ ପୂର୍ବରୁ ଘୋଷଣା  କରିସାରିଛନ୍ତି । ଏହି ଘୋଷଣା ପରେ ମନ୍ମଥ ନିର୍ବାଚନମଣ୍ଡଳୀ  ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ  ସ୍ଥାନୀୟ ନାନା ସମସ୍ୟାକୁ ନେଇ ଆନ୍ଦୋଳନ କରିବା,  ଦାବିପତ୍ର ଦେବା କାର୍ଯ୍ୟକଳାପ ଜାରି ରଖିଛନ୍ତି । 

୨ ମାସ ପୂର୍ବେ ସେ ପାଇଲଟ୍‌ ଚାକିରିରୁ ଇସ୍ତଫା  ଦେଇଥିଲେ । ପରେ ସେ ପ୍ରାର୍ଥୀହେବା ନିଶ୍ଚିତ ବୋଲି  ସମସ୍ତେ ଧରିନେଇଥିଲେ । ଅବଶ୍ୟ ମନ୍ମଥ  ଏଯାବତ୍‌ କୌଣସି ଦଳର ସଦସ୍ୟତା  ଗ୍ରହଣ କରିନାହାନ୍ତି । ଅକ୍ଟୋବରରେ  ଏନେଇ ସେ ଘୋଷଣା କରିବେ ବୋଲି  କହିଛନ୍ତି । ବାପା ତାଙ୍କର କଂଗ୍ରେସର  ପୁରୁଣା ଓ ବରିଷ୍ଠ ନେତା ହୋଇଥିବାରୁ  ପୁଅ କେଉଁ ଦଳ ଆଡ଼କୁ ମୁହାଁଇବେ  ତାକୁ ନେଇ ଆଲୋଚନା ଲାଗି ରହିଛି । ପୁଅ ବିଜେଡିରେ ସାମିଲ ହେବା  ନେଇ ହେଉଥିବା ଚର୍ଚ୍ଚାକୁ ସୁର ଅନେକ ସମୟରେ ଖଣ୍ଡନ  କରିଛନ୍ତି । କଂଗ୍ରେସରୁ ଲଢ଼ିବେ ନାହିଁ ବୋଲି ମନ୍ମଥଙ୍କ ସ୍ପଷ୍ଟ  ଘୋଷଣା ପରେ ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତା, କର୍ମୀ  ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନେ ମନ୍ମଥଙ୍କ ପଛରେ ରହିବେ  ନା କଂଗ୍ରେସ ଦଳରେ ରହିବେ ଏପରି ଦୋଛକିରେ ଅଛନ୍ତି । କିଛି ମାସ ହେବ ମନ୍ମଥଙ୍କ ଗତିବିଧି ଓ ମତାମତରୁ  କଂଗ୍ରେସ ଅପେକ୍ଷା ବିଜେଡି ପ୍ରତି ତାଙ୍କର ଦୁର୍ବଳତା  ପ୍ରକାଶ ପାଉଥିବା ଲୋକେ ଅନୁମାନ କରୁଥିଲେ । ଆଉ  ଆଜି କଂଗ୍ରେସରୁ ଲଢ଼ିବେ ନାହିଁ ଘୋଷଣା ପରେ ଏପରି  ଅନୁମାନର ଗୁରୁତ୍ୱ ବଢ଼ିଯାଇଛି । ମନ୍ମଥ କହିଛନ୍ତି,  ଏପରି ଘୋଷଣା କରିବା ପୂର୍ବରୁ ବାପା, ପରିବାର  ସଦସ୍ୟ ଓ ସମର୍ଥକଙ୍କ ସହିତ ଆଲୋଚନା କରିଛି ।

Copyright © 2022 - Summa Real Media Private Limited. All Rights Reserved.