ପୁରୀ, ୨୩।୮: ପୁଣି ଖୋଲିଲା ବାହାର ଏବଂ ଭିତର ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟରେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ । କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ମଧ୍ୟାହ୍ନ ୧ଟାରେ ରତ୍ନଭଣ୍ଡାର ଖୋଲା ଯାଇଥିଲା । ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ । ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ, ମେଟାଲ ଡିଟେକ୍କର ସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି ।
ବାହାର ଏବଂ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ l ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠିତ ହୋଇଛି । ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ କାର୍ଯ୍ୟକୁ ନଜରରେ ରଖି ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଆଜି ରାତ୍ର ୨ଟା ୪୦ରେ ଦ୍ୱାର ଫିଟା ଅନୁଷ୍ଠିତ ହୋଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଦ୍ୱାରଫିଟା ସମୟରେ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ ।
ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ଦିନଦ ୧ଟାରୁ ସ୍ଥାନାନ୍ତର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ । ସୂଚନାନୁସାରେ, ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଂକାର ଏବଂ ମୂଲ୍ୟବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇସାରିଛି ।