ନୂଆଦିଲ୍ଲୀ, ୩୦।୯: ଭାରତୀୟ ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ବଡ଼ ଖୁଲାସା । ‘କୋଭିଡ ଲକଡାଉନ’ର ପ୍ରଭାବ କେବଳ ସାରା ବିଶ୍ୱରେ ନୁହେଁ, ଚନ୍ଦ୍ର ଉପରେ ବି ପଡ଼ିଥିଲା । ପୃଥିବୀରେ ମାନବୀୟ କାର୍ଯ୍ୟକଳାପ ବନ୍ଦ ହେତୁ ବିକିରଣ କମିଗଲା । ଫଳରେ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନକୁ ବଢ଼ାଇଥିଲା । ଯାହାର ପ୍ରଭାବରେ ୨୦୨୦ରେ ହ୍ରାସ ପାଇଥିଲା ଚନ୍ଦ୍ରର ତାପମାତ୍ରା ।
କୋଭିଡ୍ ଲକଡାଉନ୍ ସମୟରେ ପୃଥିବୀର ତାପମାତ୍ରା ଏବଂ ପ୍ରଦୂଷଣରେ ଆସିଥିବା ହ୍ରାସ ରେକର୍ଡ କରାଯାଇଥିଲା । ଏହାର ପ୍ରଭାବ ଚନ୍ଦ୍ର ପର୍ଯ୍ୟନ୍ତ ଦେଖାଦେଇଥିଲା ବୋଲି ଭାରତୀୟ ଅନୁସନ୍ଧାନକାରୀମାନେ ଏକ ଅଧ୍ୟୟନରେ ଦାବି କରିଛନ୍ତି । ଏପ୍ରିଲ ଏବଂ ମେ ମାସରେ ଲାଗୁ ହୋଇଥିଲା କଡ଼ା ଲକଡାଉନ୍ । ସେହି ସମୟରେ ଚନ୍ଦ୍ରର ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ କମ୍ ହୋଇଯାଇଥିଲା । ଫିଜିକାଲ୍ ରିସର୍ଚ୍ଚ ଲାବ୍ରୋଟୋରୀର କେ ଦୁର୍ଗା ପ୍ରସାଦ ଏବଂ ଜି ଆମ୍ବିଲି ୨୦୧୭ ରୁ ୨୦୨୩ ମଧ୍ୟରେ ଚନ୍ଦ୍ରରେ ବିଭିନ୍ନ ସ୍ଥାନର ତାପମାତ୍ରାର ବିବରଣୀ ସଂଗ୍ରହ କରିଥିଲେ । ପିଆରଏଲର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜ କହିଛନ୍ତି ଯେ, ତାଙ୍କ ଗ୍ରୁପ୍ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଏବଂ ଏହା ଏକ ଭିନ୍ନ ଗବେଷଣା ।
ଅନୁସନ୍ଧାନରୁ ଜଣାପଡିଛି ଯେ, ଅନ୍ୟ ବର୍ଷ ତୁଳନାରେ ଲକଡାଉନ୍ ବର୍ଷର ତାପମାତ୍ରା ସ୍ୱାଭାବିକଠାରୁ ୮ ରୁ ୧୦ କେଲଭିନ୍ କମ୍ ଥିବା ଜଣାପଡ଼ିଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ପୃଥିବୀରେ ମାନବ କାର୍ଯ୍ୟକଳାପ ବନ୍ଦ ହେତୁ ବିକିରଣ କମିଗଲା ଫଳରେ ଚନ୍ଦ୍ରରେ ମଧ୍ୟ ଏହାର ପ୍ରଭାବ ଦେଖାଗଲା । ୨୦୨୦ ରେ ଚନ୍ଦ୍ରର ତାପମାତ୍ରା ହ୍ରାସ ପାଇଥିଲା । ପରବର୍ତ୍ତୀ ଦୁଇ ବର୍ଷରେ ତାପମାତ୍ରା ପୁଣି ବଢ଼ିଗଲା, କାରଣ ପୃଥିବୀର ସମସ୍ତ କାର୍ଯ୍ୟକଳାପ ପୁଣି ଆରମ୍ଭ ହୋଇଥିଲା । ନାସାର ଚନ୍ଦ୍ର ଅର୍ବିଟରରୁ ଡାଟା ନେବା ପରେ ଏହି ଅଧ୍ୟୟନ କରାଯାଇଥିଲା । ପୃଥିବୀରେ ମାନବ କାର୍ଯ୍ୟକଳାପ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନକୁ ବଢ଼ାଇଥାଏ । ଏହା ପରେ ପୃଥିବୀର ବାୟୁମଣ୍ଡଳରୁ ବିକିରଣ ହେତୁ ଚନ୍ଦ୍ରର ତାପମାତ୍ରା ମଧ୍ୟ ପ୍ରଭାବିତ ହୁଏ ।