ପ୍ରମୂଖ ଖବର
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଗ୍ରାମାଞ୍ଚଳରେ ନୂଆ ‘ଠିପି ଖୋଲା’ ମଦ ଦୋକାନ ପାଇଁ ଲାଇସେନ୍ସକୁ ନା, ଅବକାରୀ ବିଭାଗ ନିଷ୍ପତ୍ତି ହାଇକୋର୍ଟରେ କାଏମ୍‌

କଟକ,୩୦/୦୩: ୨୦୨୩-୨୪ ଅବକାରୀ ନୀତି ଅନୁସାରେ ରାଜ୍ୟର ଗ୍ରାମାଞ୍ଚଳରେ ‘ଠିପି ଖୋଲା’ ମଦ ଦୋକାନ ଖୋଲିବା ପାଇଁ ନୂଆ ଲାଇସେନ୍ସ ଦିଆଯାଇ ପାରିବନାହିଁ । ଏନେଇ ରାଜ୍ୟ ଅବକାରୀ ବିଭାଗ ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ୍‌ ରଖିଛନ୍ତି । ୩୫ଜଣ ଆବେଦନକାରୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ।  କେବଳ ସେତିକି ନୁହେଁ, ଆବେଦନକାରୀମାନେ ଲାଇସେନ୍ସ ପାଇବା ପାଇଁ ଯେଉଁ ୧ଲକ୍ଷ ୧୦ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ ଉକ୍ତ ଅର୍ଥ ଫେରସ୍ତ ସଂକ୍ରାନ୍ତରେ ମଧ୍ୟ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି । ଆବେଦନକାରୀମାନେ ଯଦି ଚାହିଁବେ ତେବେ ରାଜ୍ୟ ଅବକାରୀ ବିଭାଗ ସଚିବଙ୍କ ନିକଟରେ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ୧୫ଦିନ ମଧ୍ୟରେ ବିଭାଗୀୟ ସଚିବ ଆଇନ ଅନୁଯାୟୀ ଯାହା ନିଷ୍ପତ୍ତି ନେବେ ବୋଲି ଖଣ୍ଡପୀଠ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।  

ମାମଲାରୁ ଜଣାଯାଇଛି ଯେ, ଆବେଦନକାରୀମାନେ ୨୦୨୨-୨୩ ମସିହାରେରେ ଗ୍ରାମାଞ୍ଚଳରେ ‘ଠିପି ଖୋଲା’ ମଦ ଦୋକାନ ଲାଇସେନ୍ସ ପାଇଁ ଜିଲ୍ଲାପାଳମାନଙ୍କ ନିକଟରେ ଆବେଦନ କରିଥିଲେ । ସେମାନଙ୍କର ବିଭିନ୍ନ ଡକ୍ୟୁମେଣ୍ଟ ଯାଞ୍ଚ୍‌ ପରେ ଲାଇସେନ୍ସ ପ୍ରଦାନ ପାଇଁ ରାଜ୍ୟ ଅବକାରୀ ବିଭାଗ ନିକଟକୁ ଆବେଦନପତ୍ର ପଠାଯାଇଥିଲା । ୨୦୨୩-୨୪ ଅବକାରୀ ନୀତି ଅନୁସାରେ ରାଜ୍ୟ ଅବକାରୀ ବିଭାଗ ଏହି ଆବେଦନକାରୀଙ୍କୁ ଲାଇସେନ୍ସ ଦେବାକୁ ମନା କରି ଦେଇଥିଲା । ବିଭାଗ ଦର୍ଶାଇ ଥିଲା ଯେ, ୨୦୨୩-୨୪ ନୂତନ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ଚଳିତ ବର୍ଷଠାରୁ ନୂଆ ‘ଠିପି ଖୋଲା’ ମଦ ଦୋକାନ ଖୋଲିବ ନାହିଁ । ଅର୍ଥାତ୍‌ ଏଥିପାଇଁ ଆଉ ନୂତନ ଲାଇସେନ୍ସ ଦିଆଯିବ ନାହିଁ । କେବଳ ସହରାଞ୍ଚଳରେ କେତେକ ହୋଟେଲ୍‌ ଅବା ରେଷ୍ଟୁରାଣ୍ଟକୁ ଏହି ଲାଇସେନ୍ସ ଦିଆଯାଇପାରେ । ଗ୍ରାମାଞ୍ଚଳରେ ମଦ ବ୍ୟବସାୟକୁ ନିୟନ୍ତ୍ରଣ କରିବା ଲାଗି ଏଭଳି ଏକ ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଆବେଦନକାରୀଙ୍କ ଯୁକ୍ତି ହେଲା ଯେ, ସେମାନେ ୨୦୨୨-୨୩ରେ ‘ଠିପି ଖୋଲା’ ମଦ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଥିଲାବେଳେ ସେମାନଙ୍କ କ୍ଷେତ୍ରରେ ୨୦୨୩-୨୪ ନିୟମ ଲାଗୁହେବ ନାହିଁ । କିନ୍ତୁ ହାଇକୋର୍ଟ ଆବେଦନକାରୀଙ୍କ ଏହି ଯୁକ୍ତିକୁ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କାଏମ୍‌ ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.