ଚିକିଟୀ/ପାତ୍ରପୁର,୨୦/୦୮: ଗଞ୍ଜାମ ଜିଲ୍ଲାରେ ଗୋଳାବନ୍ଧ ମଦ ମୃତ୍ୟୁ ଆଜି ପର୍ଯ୍ୟନ୍ତ ଲୋକଙ୍କ ମନରୁ ଯାଇନି । ଏବେ ଚିକିଟୀ ବ୍ଲକ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ଦେଶୀ ମଦ ପିଇ ୧୫ ଜଣରୁ ଅଧିକ ଅସୁସ୍ଥ ହୋଇଛନ୍ତି । ସମସ୍ତେ ଚିକିଟୀ ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମଦ ପିଇ ଗୁରୁତର ହୋଇଥିବା ସମସ୍ତ ବ୍ୟକ୍ତି ଚିକିଟୀ ନିକଟ କରବାଲୁଆ ଓ ଜେନାପୁର ଗ୍ରାମର ।
ସୋମବାର ଅପରାହ୍ନରେ ଏମାନେ ମଦ ପିଇବାକୁ ମାଉନ୍ଦପୁର ଗାଁକୁ ଯାଇଥିଲେ । ଅପରାହ୍ନ ୨ଟାରେ ଜେନାପୁର ଗାଁର ଦୀନବନ୍ଧୁ ବେହେରା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସନ୍ଧ୍ୟା ସୁଦ୍ଧା ଜେନାପୁରର ରାମ ବେହେରା, ପ୍ରଦୀପ ବେହେରା, ଶତ୍ରୁଘ୍ନ ବେହେରା, ବୁଲୁ ସେଠୀ, ବାଇରି ସେଠୀ, କାଳୁ ସେଠୀ, ଜୁର ବେହେରାଙ୍କ ସହ କରବାଲୁଆ ଗାଁର ଖଲିଆ ସେଠୀ, ଦୁର୍ଯ୍ୟୋଧନ ସେଠୀ, ଭୁବନି ସେଠୀ ପ୍ରମୁଖଙ୍କ ସହ ଆଉ କେତେକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମଦ ପିଇବା ପରେ ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । କରବାଲୁଆ ଗାଁର କମା ସେଠୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ମଦ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଶରୀର ଥରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ପ୍ରଦୀପ ଓ ଶତ୍ରୁଘ୍ନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଚିକିତ୍ସା କରୁଥିବା ଡାକ୍ତର ଏସ୍. ରାଜେନ୍ଦ୍ର ରେଡ୍ଡୀ କହିଛନ୍ତି, ଅସୁସ୍ଥଙ୍କ ପାଖରେ ଯାହା ଲକ୍ଷଣ ଦେଖାଦେଇଛି ତାହା ବିଷାକ୍ତ ମଦ ପିଇବାରୁ ହୋଇଥିବା ସନ୍ଦେହ କରାଯାଉଛି । ଅବକାରୀ ଅଧୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଚିକିଟୀ ଅବକାରୀ ଷ୍ଟେସନ୍ ଅଧିକାରୀ ଏସ୍ଆଇ ପ୍ରସନ୍ନ କୁମାର ଜାଲିଙ୍କ ସ୍ୱତନ୍ତ୍ର ଟିମ୍ ମାଉନ୍ଦପୁର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।