ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଜୁଳୁଜୁଳିଆ ଓ ସାଧବ ପୋକଙ୍କ ବଂଶ ଏବେ ନିଶ୍ଚିହ୍ନ, ମଣିଷର ଉପକାର କରୁଥିବା ଏହି ପୋକ ଏବେ ବିଲୁପ୍ତ

ଭୁବନେଶ୍ୱର, ୧୦/୦୭ : ଦେଖିବାକୁ କେବଳ ସୁନ୍ଦର ନୁହନ୍ତି, କାମରେ ବି ସୁନ୍ଦର। ପରୋକ୍ଷରେ ମଣିଷକୁ ସାହାଯ୍ୟ କରିଥାନ୍ତି । ଜୀବଜଗତ ପାଇଁ ପ୍ରକୃତିର ଅମୂଲ୍ୟ ରତ୍ନ ଏମାନେ । ଜଣେ ଦିନ ରାତି ଜଳୁଥିବା ବେଳେ ଆଉ ଜଣେ ବର୍ଷାକୁ ସ୍ୱାଗତ କରିବାକୁ ବାହାରିପଡ଼େ । ଅନନ୍ତ କାଳରୁ ଏମାନେ ମଣିଷର ଜୀବନଶୈଳୀ ସହ ସିଧାସଳଖ ଜଡିତ । ହେଲେ କ୍ଷୋଭର ବିଷୟ, ଅନ୍ଧାର ରାତିରେ ତାରା ଭଳି ମିଞ୍ଜିମିଞ୍ଜି କରୁଥିବା ଅତି ପରିଚିତ ଜୁଳୁଜୁଳିଆ ପୋକ ଏବେ ପ୍ରାୟତଃ ବିଲୁପ୍ତ । ଗ୍ରାମାଞ୍ଚଳରେ ଏହା କାଁଭାଁ ଦେଖିବାକୁ ମିଳୁଥିବା ବେଳେ ସହରରେ ଜୁଳୁଜୁଳିଆ ପୋକ ବା ଫାୟାର ଫ୍ଲାଇଜ୍‌ର ଉପସ୍ଥିତି ଆଉ ନାହିଁ । ସେହିପରି ଅନ୍ୟଟି ହେଲା ‘ରେଡ୍‌ ଭେଲଭେଟ୍‌ ମାଇଟ୍‌’ । ଯାହାକୁ ଓଡିଶାର ଲୋକେ ଲାଲ୍‌ ଟୁକୁଟୁକୁ ସାଧବ ବୋହୂ କୁହନ୍ତି । ଦୁହେଁ ଚାଷୀକୂଳ ପାଇଁ ବରଦାନ । ହେଲେ ଉଭୟଙ୍କ ବଂଶ ଏବେ ନିଶ୍ଚିହ୍ନ ହେବାକୁ ବସିଛି । ଯାହାକୁ ନେଇ ଚିନ୍ତାରେ ପରିବେଶବିତ୍‌ । 

ବିଶେଷକରି ଶୀତଦିନରେ ଏହି ଜୁଳୁଜୁଳିଆ ପୋକଙ୍କ ସଂଖ୍ୟା ଅଧିକ ରହିଥାନ୍ତି । ରାତିରେ ଜଳିବାର ବିଜ୍ଞାନସମ୍ମତ ଓ ପ୍ରାକୃତିକ ପ୍ରକ୍ରିୟା କାରଣ ରହିଛି । ପର ନଥିବା ପୋକ ମାଇ ହୋଇଥିବା ବେଳେ ପରଥିବା ପୋକଟି ଅଣ୍ଡିରା ଅଟେ । ଏମାନେ ହଳଦିଆ, କମଳା ଓ ସବୁଜ ରଙ୍ଗର । ମାଈ ଜୁଳୁଜୁଳିଆ ପୋକ ନିଜର ପୁରୁଷ ସାଥୀଙ୍କୁ ଆକର୍ଷିତ କରିବା ସହ ଖାଦ୍ୟ ଅନ୍ୱେଷଣ ସମୟରେ ନିଜ ଶରୀରରେ ଆଲୋକ ଜାତ କରେ । ମାଈ ଜୁଳୁଜୁଳିଆ ପୋକ ରାତିରେ ଜଙ୍ଗଲରେ ଥିବା ଗଛ କୋରଡ଼ରେ ଅଣ୍ଡା ଦେଇଥାଏ । ଏମାନଙ୍କ ଅଣ୍ଡାରୁ ମଧ୍ୟ ଆଲୁଅ ଦେଖିବାକୁ ମିଳେ । ଅଣ୍ଡିରା ଜୁଳୁଜୁଳିଆ ପୋକ ରାତିରେ ହିଁ ଉଡ଼ି ବୁଲିଥାନ୍ତି । ୧୬୬୭ରେ ରବର୍ଟ ବୟଲ ନାମକ ଜଣେ ବୈଜ୍ଞାନିକ ଏହି ଜୁଳୁଜୁଳିଆ ପୋକ ଆବିଷ୍କାର କରିଥିଲେ । ଜୁଳୁଜୁଳିଆ ପୋକ ବାସ୍ତବରେ ମଣିଷର ପରମ ସାଥୀ । ବିଶେଷକରି, ଫସଲକୁ ହାନି ପହଞ୍ଚାଉଥିବା କ୍ଷୁଦ୍ର ଶାମୁକା ଓ ସ୍ଲଗ(ଲମ୍ବା ପୋକ)କୁ ଖାଇଦିଅନ୍ତି । ଯେଉଁ ଶାମୁକା ଓ ସ୍ଲଗ ଟମାଟୋ, ବିନ୍ସ ଓ ଲିଟ୍ୟୁସ୍‌ ଭଳି ପରିବାକୁ କ୍ଷତି ପହଞ୍ଚାଇଥାନ୍ତି । ପରୋକ୍ଷରେ ମଣିଷର ଉପକାର କରୁଥିବା ଏହି ପୋକଟି ଏବେ ବିଲୁପ୍ତ ଅବସ୍ଥାରେ ରହିଛି । ବିଗତ ୨୦ବର୍ଷ ମଧ୍ୟରେ ବିଶ୍ୱରେ ଏମାନଙ୍କ ସଂଖ୍ୟା ୭୫ ଭାଗ କମିଆସିଲାଣି ।

ଲାଲ୍‌ ଟୁକୁଟୁକୁ ସାଧବ ବୋହୂ

ରେଡ୍‌ ଭେଲଭେଟ୍‌ ମାଇଟ୍‌ ବା ସାଧବ ବୋହୂ ଓଡ଼ିଶାର ସବୁଠି ଦେଖିବାକୁ ମିଳେ । ବିଶେଷକରି ଏମାନେ ଘାସପଡ଼ିଆରେ ବାସ କରିଥାନ୍ତି । ବର୍ଷା ହେଲେ ମାଳ ମାଳ ହୋଇ ଏହି ପୋକମାନେ ବାହାରକୁ ବାହାରି ବିଚରଣ କରିଥାନ୍ତି । ଶରୀରର ରଙ୍ଗ ନାଲି ହୋଇଥିବାରୁ ଏମାନେ ଲୋକଙ୍କୁ ଆକର୍ଷିତ କରିଥାନ୍ତି । ଜୁନ ମାସରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେବା ସହ ବର୍ଷା ହୁଏ । ହେଲେ ଏବେ ପାଣି ପାଗ ବଦଳିଯାଇଛି । ଗ୍ଲୋବାଲ ୱାର୍ମିଂ ବଢ଼ୁଛି । ବର୍ଷାର ପରିମାଣ କମିଯାଇଛି । ଯଦ୍ୱାରା ଲାଲ ଟୁକୁଟୁକୁ ସାଧବ ବୋହୂର ବଂଶ ବିପଦରେ । ସାଧବବୋହୂ ପୋକ ଫସଲର କ୍ଷତି କରୁଥିବା କଟ୍‌ୱର୍ମ, ଝିଣ୍ଟିକା ଭଳି କୀଟମାନଙ୍କ ଅଣ୍ଡା ଖାଇଦିଅନ୍ତି । ତେଣୁ ଜୁଳୁଜୁଳିଆ ପୋକଙ୍କ ଭଳି ଏମାନେ ମଧ୍ୟ ମଣିଷର ସାଥୀ ଅଟନ୍ତି । 

ପୂର୍ବରୁ ଭୁବନେଶ୍ୱରରେ ଥିବା ଖାଲି ଜାଗା, ଘାସ ପଡ଼ିଆରେ ଏହି ପୋକ ଦେଖିବାକୁ ମିଳୁଥିଲା । ହେଲେ ଏବେ ଆଉ ଦେଖିବାକୁ ମିଳୁନି । ଏ ସଂକ୍ରାନ୍ତରେ ପରିବେଶବିତ ଡ. ବିଭୁପ୍ରସାଦ ପଣ୍ଡାଙ୍କ କହିବା କଥା, ସହରରେ ଏସବୁ ନାହାନ୍ତି, ହେଲେ ଏବେବି ଗ୍ରାମାଞ୍ଚଳରେ ଜୁଳୁଜୁଳିଆ ପୋକ ରହିଛନ୍ତି । ଏମାନେ ପ୍ରାୟତଃ ଅନ୍ଧାରରେ ରହିବାକୁ ଭଲ ପାଆନ୍ତି । ସହରରେ ଏବେ ଯେଉଁଭଳି ବିଦ୍ୟୁତ ଆଲୋକ ବ୍ୟବସ୍ଥା ହୋଇଛି, ସେଥିରେ ଜୁଳୁଜୁଳିଆ ପୋକମାନେ ଉଜ୍ଜଳ ଆଲୋକରେ ହଜିଯାଉଛନ୍ତି । ବରିଷ୍ଠ ପରିବେଶବିତ୍‌ ଡ.ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ମାଟିରେ ସାଧବ ବୋହୂ ରହନ୍ତି । ରଜ ବେଳେ ପହିଲି ବର୍ଷା ହେଲେ ଏମାନେ ମାଟିରୁ ବାହାରନ୍ତି । ଅଣ୍ଡା ଦିଅନ୍ତି । ଯଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ହୁଏ । ହେଲେ ପ୍ରଦୂଷଣ ଯୋଗୁ ସାଧବବୋହୂଙ୍କ ବିଲୁପ୍ତି ଘଟୁଛି । ଏବେ ଆଉ ଘାସପଡ଼ିଆ ନାହିଁ । ଯାହା ଟିକକ ଅଛି ତା ଉପରେ କଂକ୍ରିଟ ମାଡ଼ିଯାଉଛି । ତେଣୁ ଏମାନେ ଆଉ ଦେଖିବାକୁ ମିଳୁନାହାନ୍ତି । ସେହିପରି ମାଇ ଜୁଳୁଜୁଳିଆର ପୋକ ଆଲୋକ ଦେଖି ଅଣ୍ଡିରା ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ହେଲେ ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକ ଯୋଗୁ ଅଣ୍ଡିରା ପୋକ ଆଉ ମାଇ ଜୁଳୁଜୁଳିଆକୁ ପାଉନି । ଯଦ୍ୱାରା ଏମାନଙ୍କ ବଂଶ ବଢୁନି।

କାହିଁକି ଜଳେ ଜୁଳୁଜୁଳିଆ

ଜୁଳୁଜୁଳିଆ ପୋକ ବା ‘ଫାୟାର ଫ୍ଲାଏ’ରୁ ଆଳୁଅ ବାହାରେ । ଜୁଳୁଜୁଳିଆ ପୋକ ଶରୀରରେ ଫସଫରସ୍‌ ଅଛି ବୋଲି ସମସ୍ତଙ୍କ ଧାରଣା ଥିଲା । ପରେ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରିବା ପରେ ଜାଣିବାକୁ ପାଇଲେ ଯେ, ଫସଫରସ୍‌ ପାଇଁ ନୁହେଁ ବରଂ ତା' ପେଟର ସ୍ୱତନ୍ତ୍ର ଅଙ୍ଗରେ ଲୁସିଫେରିନ ନାମକ ପ୍ରୋଟିନ୍‌ ଅଛି । ଲୁସିଫେରିନ୍‌ ଅମ୍ଳଜାନ ଏବଂ ଲୁସିଫେରେଜ ନାମକ ଏନଜାଇମ୍‌ ସହ ସଂସ୍ପର୍ଶରେ ଆସିଲେ ରାସାୟନିକ ପ୍ରତିକ୍ରିୟା ଘଟି ସେମାନଙ୍କ ପେଟ ଆଲୋକିତ ହୋଇ ଚମକିଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.