ମସ୍କୋ,୧୧/୦୮: ରୁଷର ୩ ଅଞ୍ଚଳରେ ପ୍ରବେଶ କରିଥିବା ୟୁକ୍ରେନ ସେନାକୁ ତଡିବା ଲାଗି ରୁଷୀ ସେନା ଆରମ୍ଭ କରିଛି ଆତଙ୍କବାଦ ନିରୋଧୀ ଅଭିଯାନ । ୟୁକ୍ରେନ ସୀମାକୁ ଲାଗିଥିବା କୁର୍ସ୍କ, ବେଲଗୋରୋଡ ଓ ବ୍ରିନ୍ସ୍କି ଅଞ୍ଚଳର ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଯାତାୟତ ଓ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିବା ବେଳେ ଲୋକମାନଙ୍କ ଫୋନ୍ ଟ୍ୟାପିଂ ମଧ୍ୟ କରାଯାଉଛି । ରୁଷର ଜାତୀୟ ଆତଙ୍କବାଦ ନିରୋଧ କମିଟି (ଏନ୍ଏକେ)ର ଆଦେଶ ଆଧାରରେ ଏଭଳି ପଦକ୍ଷେପ ନିଆଯାଇଛି । ଲୋକଙ୍କ ଧନଜୀବନ ସୁରକ୍ଷା ଓ ଆତଙ୍କବାଦ ଦମନ ଲାଗି ରୁଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲୋକଙ୍କ ଘରେ ପଶି ଯାଞ୍ଚ କରିବା, ଯାନବହନ ଚଳାଚଳ ଉପରେ କଟକଣା ଲଗାଇବା, ଲୋକଙ୍କ ଯାତାୟାତକୁ ସୀମିତ କରିବା, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ସୂଚନା ଆଦାନ ପ୍ରଦାନ ଉପରେ ନଜର ରଖିବା ଲାଗି ସ୍ଥାନୀୟ ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି ।
କୁରସ୍କ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୭୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆଜି ପଞ୍ଚମ ଦିନ ପାଇଁ ୟୁକ୍ରେନ ସେନା କୁର୍ସ୍କ ଅଞ୍ଚଳରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି । ସେମାନେ ପ୍ରାୟ ୧୦ କି.ମି. ରୁଷ ଭିତରକୁ ପଶି ଆସିଛନ୍ତି । ୨୦୨୨ ଫେବ୍ରୁଆରୀରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଘଟଣା ପରଠାରୁ ୟୁକ୍ରେନ ସେନାର ଏହା ପ୍ରଥମ ରୁଷ୍ ଅଭିଯାନ । ମଙ୍ଗଳବାର ସକାଳେ ୧ ହଜାରରୁ ଅଧିକ ୟୁକ୍ରେନ ସେନା ଟ୍ୟାଙ୍କ ଓ ଅନ୍ୟ ସାମରିକ ଗାଡି ସହ ସୀମା ଦେଇ କୁର୍ସ୍କ ଅଞ୍ଚଳରେ ପ୍ରବେଶ କରିଥିଲେ । ସେମାନେ ୧୦ କି.ମି. ଭିତରକୁ ଆସି କେତେକ ଗ୍ରାମ ଓ ସହରକୁ ମଧ୍ୟ କବ୍ଜା କରିନେଇଛନ୍ତି । ସେମାନଙ୍କ ଆକ୍ରମଣରେ ରୁଷର କିଛି ସୈନ୍ୟ ମୃତାହତ ହୋଇଥିଲା ବେଳେ କିଛି ସାମରିକ ଗାଡି ମଧ୍ୟ ଧ୍ୱଂସ ପାଇଯାଇଛି । କୁର୍ସ୍କରେ ୟୁକ୍ରେନ ସେନାକୁ ରୋକିବା ଲାଗି ରୁଷ ବହୁସଂଖ୍ୟକ ସୈନ୍ୟ ସହ ଟ୍ୟାଙ୍କ ଓ ରକେଟ ଲଞ୍ଚର ସିଷ୍ଟମ ପଠାଇଛି ।