ସାକ୍ଷୀଗୋପାଳ,୧୧/୦୬: ଦେଶର ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ଶୋଭା ପାଇବ ସତ୍ୟବାଦୀର କତାଶିଳ୍ପ କାରିଗରି । ସତ୍ୟବାଦୀ ବ୍ଲକ ବିଶ୍ୱନାଥପୁର ଗ୍ରାମର ବିଶିଷ୍ଟ କତାଶିଳ୍ପ କାରିଗର ଡଲି ଦାସଙ୍କ ଠାରୁ ଏକ ତାଳ ଗଛ ନୀତା ଅମ୍ବାନୀ ନେବେ । ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହସ୍ତଶିଳ୍ପ ପ୍ରଦର୍ଶନୀରେ ଡଲି ଅଂଶଗ୍ରହଣ କରିଥାନ୍ତି ।
୨୦୨୩ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜିତ ତୋଷାଳୀ ମେଳାରେ ସେ ଯୋଗ ଦେଇଥିଲେ । ଏହି ମେଳାରେ ଡଲିଙ୍କ କଳାକୃତି ନୀତା ଅମ୍ବାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମନ ପସନ୍ଦ ହେବା ପରେ ନୀତା ଅମ୍ବାନୀ ଅନଲାଇନ୍ରେ ଏକ ତାଳ ଗଛ ଦେବା ନିମନ୍ତେ ଅର୍ଡର ଦେଇଥିଲେ । ପ୍ରାୟ ୬ ମାସ ହେଲାଣି ଡଲି ନିଜ ଅନୁଷ୍ଠାନରେ କତା ଦ୍ୱାରା ନିର୍ମିତ ଏହି ତାଳ ଗଛ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ଏହା ସମ୍ପୂର୍ଣ୍ଣ ଫିନିସିଂ ହେବା ନିମନ୍ତେ ଆଉ ପ୍ରାୟ ଏକ ସପ୍ତାହ ଲାଗିବ ।
କତା ପାରୁ ଓ ଅଠା ସୂତା ଦ୍ୱାରା ଏହି ତାଳ ଗଛ ନିର୍ମାଣ କରାଯାଇଛି । ଏଥିରେ ବାଇ ଚଢ଼େଇ ବସା ମଧ୍ୟ ଶୋଭା ପାଉଛି । ଏହି ତାଳ ଗଛ ନିର୍ମାଣରେ ସୌମ୍ୟଜିତ୍ ଲେଙ୍କା, ମୋନାଲିସା ପ୍ରଧାନ ଓ ସୁନିତା ମହାରଣା ଡଲିଙ୍କୁ ସହାୟତା କରିଥିଲେ । ଖୁବ୍ଶୀଘ୍ର ନୀତା ଅମ୍ବାନୀ ନିଜସ୍ୱ ଉଦ୍ୟମରେ ଏହି ତାଳ ଗଛଟିକୁ ବିଶ୍ୱନାଥପୁର ଗ୍ରାମରୁ ନେବେ ବୋଲି ଜଣାପଡ଼ିଛି