ଯାଜପୁର ରୋଡ, ୫।୮ : ଯାଜପୁର ଜିଲ୍ଲା ଟମକା ବନାଞ୍ଚଳ ଅଧିନ ଆମ୍ବଡାହି ନିକଟରୁ ବନବିଭାଗ ପକ୍ଷରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବନବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
ସୂଚନା ମୁତାବକ ଟମକା ବନାଞ୍ଚଳ ଅଧିନ ଆମ୍ବଡାହି ନିକଟରେ ସୋମବାର ମଧ୍ୟାହ୍ନରେ ବାହାର ରାଜ୍ୟକୁ ବାଘଛାଲ ଚାଲାଣ ପାଇଁ ମୁଲଚାଲ ହେବାକୁ ଥିବାନେଇ ବନବିଭାଗ ବିଶେଷ ସୁତ୍ରରୁ ଖବର ପାଇଥିଲା। ପରେ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶରେ ବନବିଭାଗର ଏକ ଟିମ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ଏହି ବାଘଛାଲ କେଉଁଠାରୁ ଆସିଲା, କେଉଁଠାକୁ ଚାଲାଣ ହୋଇଥାନ୍ତା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି, ସେସବୁ ଦିଗ ଉପରେ ଛାନଭିନ୍ ଚଳାଇଛି ବନବିଭାଗ।