ନୂଆଦିଲ୍ଲୀ, ୨୬।୨: ସାରା ବିଶ୍ୱରେ ବ୍ୟବସାୟ କ୍ଷେତ୍ରରେ ବେଶ୍ ଆଗରେ ରହିଛି ଭାରତ । ବର୍ତ୍ତମାନ ପରି ସ୍ୱାଧିନତା ପୂର୍ବରୁ ମଧ୍ୟ ଭାରତରେ ବାଣିଜ୍ୟ କାରବାରରେ ବେଶ୍ ଭଲ ଥିଲା । ତେଣୁ ଇଂରେଜମାନଙ୍କ ଅମଳରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ବଡ଼ ବଡ଼ କମ୍ପାନୀ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ଭାରତ ନିଜ ବ୍ୟବସାୟ ବଳରେ ଭାରତୀୟ ମସଲା ଓ କପା ଭଳି ସାମଗ୍ରୀ ସାରା ବିଶ୍ୱରେ ପରିଚିତ କରାଇଛି । ଭାରତରେ ମଧ୍ୟ ଅନେକ ବଡ଼ ବଡ଼ ଶିଳ୍ପପତି ଜନ୍ମ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ସ୍ୱାଧୀନତା ପୂର୍ବରୁ ଜଣେ ବେଶ୍ ଜଣାଶୁଣା ବ୍ୟବସାୟୀ ଥିଲେ । ଯାହାଙ୍କ ଠାରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ଲୋନ୍ ନେଇଥିଲା । ଆମେ କହୁଛୁ, ଭାରତୀୟ ଶିଳ୍ପପତି ବିରଜୀ ବୋରାଙ୍କ ବିଷୟରେ । ଯିଏ ବିଶ୍ୱର ସବୁଠୁ ଧନୀ ବିଜନେସ୍ ମ୍ୟାନ୍ ଭାବେ ପରିଚିତ ।
ମୁଗଲ ଶାସନ କାଳରେ ବିରଜୀ ବୋରା ବେଶ୍ ଚର୍ଚ୍ଚାରେ ଥିଲେ । ୧୬୧୭ରୁ ୧୬୭୦ ମସିହାରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀରେ ଜଣେ ବଡ଼ ଫାଇନାନ୍ସର ପଦବୀରେ କାମ କରୁଥିଲେ । ସେହି ସମୟରେ ସେ ଇଷ୍ଟ ଇଣ୍ଡିଆ କମ୍ପାନୀକୁ ୨ ଲକ୍ଷ ଟଙ୍କା ଲୋନ୍ ଦେଇଥିଲେ । ୧୫୯୦ ମସିହାରେ ଗୁଜୁରାଟୀ ବ୍ୟବସାୟୀ ବିରଜୀ ବୋରାଙ୍କ ଜନ୍ମ । ୧୬୭୦ରେ ସେ ମୃତ୍ୟୁବରଣ କରିଥିଲେ । ସେତେବେଳେ ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ଥିଲା ୮ ମିଲିୟନ୍ । ଯାହା ବର୍ତ୍ତମାନ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ସମ୍ପତ୍ତିଙ୍କଠାରୁ ଢେର ଗୁଣା ଅଧିକ । ସେ ସମୟରେ ବୀରଜି ବୋରା ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ସାମିଲେ ଥିଲେ । ବିରଜୀ ବୋରା ଅନେକ ସାମଗ୍ରୀର ବ୍ୟବସାୟ କରୁଥିଲେ । ବିଶେଷ କରି ଭାରତୀୟ ମସଲା । ଏଥିରେ ଗୋଲମରିଚ, ଗୁଜୁରାତି ଓ ଅନ୍ୟାନ୍ୟ ମସଲା ମଧ୍ୟ ସାମିଲ । ଏକାଧିକ ଦେଶ ସହ ଏହି ସାମଗ୍ରୀଗୁଡ଼ିକର ବ୍ୟବସାୟ କରୁଥିଲେ ।
୧୬୨୯ରୁ ୧୬୬୮ ମଧ୍ୟରେ ସେ ଇଂରେଜମାନଙ୍କ ସହ ବ୍ୟବସାୟିକ କ୍ଷେତ୍ରରେ ନେଣ-ଦେଣ କାରବାର କରୁଥିଲେ । ଏହି ସମୟରେ ତାଙ୍କ ବ୍ୟବସାୟ ଭଲ ଚାଲିବାରୁ ସେ ଭାରତରେ ନିଜ ବ୍ୟବସାୟିକ ସାମ୍ରାଜ୍ୟ ଛିଡ଼ା କରିବାକୁ ସକ୍ଷମ ହୋଇଥିଲେ । ତେବେ ବିରଜୀଙ୍କ ବ୍ୟବସାୟ କରିବାର ତରିକା ଥିଲା କିଛି ଅଲଗା । ସେ ଯେ କୌଣସି ସାମଗ୍ରୀର ବ୍ୟବସାୟ କରନ୍ତି ତା’ର ପୂରା ଷ୍ଟକ୍ କିଣିନେଇଥାନ୍ତି ଏବଂ ଲାଭ ଦେଖି ଏହାକୁ ବିକ୍ରି କରନ୍ତି । ବିରଜୀ ବୋରା ଜଣେ ସାହୁକାର ମଧ୍ୟ ଥିଲେ ଏବଂ ଇଂରେଜମାନେ ତାଙ୍କଠୁ ଟଙ୍କା ଉଧାର ନେଉଥିଲେ । ବିରଜୀ ବୋରାଙ୍କ ବ୍ୟବସାୟ ପୂରା ଭାରତ ସମେତ ଲାଲ ସାଗର ଓ ଦକ୍ଷିଣ-ପୂର୍ବ ଏସିଆ ବନ୍ଦରଗାହ ସହରରେ କରୁଥିଲେ ।