ଭୁବନେଶ୍ୱର,୧୩/୦୯: ପୁଣି ବଡ଼ ବର୍ଷା ଆସୁଛି । ଶୁକ୍ରବାର ଠାରୁ ବଢ଼ିବ ବର୍ଷା । ୧୬ ଯାଏ ପ୍ରବଳ ବର୍ଷା ହୋଇପାରେ । ୧୩ ତାରିଖରେ ଉତ୍ତର ଓଡ଼ିଶା ଓ ଏହା ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ବି ବର୍ଷା ହେବ । ୧୪ରୁ ୧୬ ଯାଏ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଛତିଶଗଡ଼ରେ ବି ଲଗାଣ ବର୍ଷା ଆଶଙ୍କା ଅଛି । ସମ୍ଭାବ୍ୟ ଲଘୁଚାପରୁ ଅବପାତ ସୃଷ୍ଟି ହେବା ସମ୍ଭାବନା ଥିବାରୁ ଏଭଳି ବର୍ଷା ହୋଇପାରେ । ଯଦି ଏମିତି ହୁଏ, ତେବେ ମହାନଦୀ ଫୁଲିପାରେ ।
ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ଅଛି। ଏହା ଘନୀଭୂତ ହୋଇ ଶୁକ୍ରବାର ବେଳକୁ ଉପକୂଳ ବାଂଲାଦେଶ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ । ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଅବପାତରେ ପରିଣତ ହେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଉପକୂଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଆସିବ । ଏହା ପ୍ରଭାବରେ ଶୁକ୍ରବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ, ସମ୍ଭାବ୍ୟ ଅବପାତ ପ୍ରଭାବରେ ୧୬ ଯାଏ ବର୍ଷା ଲାଗି ରହିବ । ଶୁକ୍ରବାରଠାରୁ ଉତ୍ତର ଓଡ଼ିଶାରେ ବଢ଼ିବ । ୧୪ରୁ ୧୬ ଯାଏ ପଶ୍ଚିମ ଓଡ଼ିଶା ଏବଂ ଛତିଶଗଡ଼ରେ ଅଧିକ ବର୍ଷିବ ।
ପାଣିପାଗ ବିଭାଗ ଆକଳନ କରିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। କଳାହାଣ୍ଡିରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେତେକ ଜିଲ୍ଲାରେ ବଜ୍ରପାତ ଆଶଙ୍କା ଅଛି । ୧୪ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତରର ଅଧିକାଂଶ ଓ ଦକ୍ଷିଣର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି ।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର (୭୦ ମିମିରୁ ୨୦୦ ମିମି) ବର୍ଷା ହୋଇପାରେ । ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କୋରାପୁଟ, ନବରଙ୍ଗପୁର, ଯାଜପୁର, ବରଗଡ଼, ରାୟଗଡ଼ା, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୧୫ରେ ବି ପ୍ରବଳ ବର୍ଷା ହୋଇପାରେ ।