ଦାରିଙ୍ଗବାଡି, ୨୭/୫ : ଗଞ୍ଜାମକୁ ଶାଗୁଆନ କାଠଗଣ୍ଡି ଚୋରା ଚାଲାଣ ବେଳେ ମାଡି ବସିଲା ବନ ବିଭାଗ। ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ବନାଞ୍ଚଳରେ ୮ ଚାଲାଣକାରୀଙ୍କୁ ଗିରଫ କଲା ବନ ବିଭାଗ।
ସୂଚନା ମୁତାବକ, ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱ କ୍ରମେ କାଟିଙ୍ଗିଆ ବନପାଳ ସରୋଜ ମଙ୍ଗରାଜ, ବ୍ରାହ୍ମଣୀଗାଁ ବନପାଳ ଦୀପକ ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ଶନିବାର ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ୪୦୭ ଗାଡ଼ିରେ ଶାଗୁଆନ କାଠଗଣ୍ଡି ଗଞ୍ଜାମ ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା। ରାତି ପ୍ରାୟ ସାଢେ ୩ଟା ବେଳେ ଗୁଡିକିଆ ଛକରେ ବନ ବିଭାଗ ଗାଡିକୁ ଅଠକାଇ ଯାଞ୍ଚ୍ କରିଥିଲା। ଯାଞ୍ଚ୍ ବେଳେ ଗାଡ଼ିରେ ୨୪ଟି ଶାଗୁଆନ ଗଣ୍ଡି ରହିଥତିବା ଜଣାପଡ଼ିଥିଲା। ଏହାପରେ ବନ ବିଭାଗ ୮ ଜଣ ଚାଲାଣକାରୀଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅଞ୍ଚଳର ପ୍ରଶାନ୍ତ ସାହୁ, ଉପେନ୍ଦ୍ର ଗୌଡ଼, ଶରତ ସେଠୀ, ବାବୁଲା ସ୍ୱାଇଁ, ଶିବ ଜେନା, କୃଷ୍ଣ ବିଷୋୟୀ, ବାବୁଲା ଘଡେଇ, ଏବଂ ଶଙ୍କର ପାତ୍ର। ତେବେ ଜବତ ହୋଇଥିବା ଗଣ୍ଡିର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବନ ବିଭାଗ ଏନେଇ ମାମଲା ରୁଜୁ କରି ଗିରଫ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ହରିହର ବେହେରା ସୂଚନା ଦେଇଛନ୍ତି।