ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବାର୍କଲେ ମାରାଥନ ଶେଷ କରିବାରେ ଯଶମିନ ବିଶ୍ୱର ପ୍ରଥମ ମହିଳା

ଟେନେସି (ଆମେରିକା), ୩।୪: ବିଶ୍ୱର ସବୁଠୁ କଷ୍ଟ ସାଧ୍ୟ ମାରାଥନ ‘ବାର୍କଲେ ମାରାଥନ’ । ବିଶ୍ୱର ପ୍ରଥମ ମହିଳା ଭାବେ ସ୍କଟଲାଣ୍ଡର ଯଶମିନ ପ୍ୟାରିସ ଚଳିତ ବର୍ଷ ଏହି ମାରାଥନ ଶେଷ କରିବାରେ ଗୌରବ ଲାଭ କରିଛନ୍ତି । ଆମେରିକାର ଟେନେସିର ଫ୍ରୋଜେନ ହେଡ୍‌ ଷ୍ଟେଟ୍‌ ପାର୍କରେ ପ୍ରତି ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ମାରାଥନ ଆୟୋଜିତ ହୋଇଥାଏ । ୧୦୦ ମାଇଲ ବା ୧୬୦ କିଲୋ ମିଟର ବିଶିଷ୍ଟ ଏହି ଦୌଡ଼କୁ ୫ଟି ଲାପ୍‌ରେ ଭାଗ କରାଯାଇଥାଏ । ଗୋଟିଏ ଲାପ୍‌ ୨୦ ମାଇଲ ବା ୩୨ କିଲୋ ମିଟର ହୋଇଥାଏ । ମାରାଥନରେ ସବୁଠୁ କଷ୍ଟକର ଦିଗଟି ହେଉଛି ପ୍ରତିଯୋଗୀଙ୍କୁ ୬୦,୦୦୦ ଫୁଟ୍‌ ପାହାଡ଼ ଆରୋହଣ ଓ ଅବରୋହଣ କରିବାକୁ ପଡ଼ିଥାଏ । ପୁଣି ୬୦ ଘଣ୍ଟା ମଧ୍ୟରେ ମାରାଥନ ଶେଷ କରିବାର ନିୟମ ରହିଛି । ଏ ପର୍ଯ୍ୟନ୍ତ ୧୯ ଜଣ ପୁରୁଷ ଏହି ମାରାଥନ ଶେଷ କରିବାରେ ସଫଳ ହୋଇଛନ୍ତି । ୨୦ତମ ପ୍ରତିଯୋଗୀ ଭାବେ ଯଶମିନ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି । ୧୯୯୫ ମସିହାରେ ମାର୍କ ୱିଲିୟମ ପ୍ରଥମ ପ୍ରତିଯୋଗୀ ଭାବେ ଏହି ମାରାଥନ ପୂରା କରିଥିଲେ । ସେ ୫୯ ଘଣ୍ଟା ୨୮ ମିନିଟ ୪୮ ସେକେଣ୍ଡ୍‌ ନେଇଥିଲେ । 

ଚଳିତ ବର୍ଷ ଗତ ଶୁକ୍ରବାର (ମାର୍ଚ୍ଚ ୨୯) ଦିନ ମାରାଥନ ଆୟୋଜିତ ହୋଇଥିଲା । ଯଶମିନ ମାତ୍ର ୯୦ ସେକେଣ୍ଡ ପୂର୍ବରୁ ମାରାଥନ ପୂରା କରିଥିଲେ । ସେ ୫୯ ଘଣ୍ଟା ୫୮ ମିନିଟ୍‌ ୨୧ ସେକେଣ୍ଡ ନେଇଥିଲେ । ୪୦ ବର୍ଷୀୟା ଯଶମିନଙ୍କ ସାହସ, ଧୈର୍ଯ୍ୟ ଓ ଦୃଢ଼ ଆତ୍ମବିଶ୍ୱାସକୁ ସାରା ବିଶ୍ୱ ପ୍ରଶଂସା କରୁଛି । ସେ କହିଛନ୍ତି, ‘ ମୁଁ ନିଜର ସାମର୍ଥ୍ୟ ପରୀକ୍ଷା କରିବାକୁ ଚାହୁଁଥିଲି ଏବଂ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ମୋର ଉଦ୍ଦେଶ୍ୟ ଥିଲା ।’ ‘ ଶେଷ ଲାପ୍‌ରେ କେବଳ ମୁଁ ହିଁ କିଛି ସମୟ ପାହାଡ଼ ଉପରେ ଛିଡ଼ା ହୋଇ ରହିଥିଲି । ୬୦ ଘଣ୍ଟା ପୂର୍ବରୁ ମାରାଥନ ପୂରା କରିବା ପାଇଁ ଶେଷରେ ଦୌଡ଼ିବା ଆରମ୍ଭ କରିଥିଲି । ଶେଷ ମୁହୂର୍ତ୍ତ ବହୁତ କଷ୍ଟଦାୟକ ରହିଥିଲା । ଦୀର୍ଘ ୩ ବର୍ଷର ମୋର ପ୍ରସ୍ତୁତି ଥିଲା ଏବଂ ଶେଷରେ ମୁଁ ସଫଳ ହେଲି, ଯାହାକୁ ନେଇ ବହୁତ ଖୁସି । ବିଶ୍ୱର ମହିଳାମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ଏଭଳି ମାରାଥନରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲି ବୋଲି ଯଶମିନ କହିଥିଲେ । କିନ୍ତୁ ଏତିକିରେ ସେ କ୍ଳାନ୍ତ ହୋଇ ନାହାନ୍ତି । କିଛି ଦିନର ବିଶ୍ରାମ ପରେ ସେ ମେ’ ୧୭ ତାରିଖରେ ସ୍କଟିଶ ଆୟଲାଣ୍ଡସ ପିକ୍‌ ରେସ୍‌ରେ ଅଂଶ ଗ୍ରହଣ କରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.