ପ୍ରମୂଖ ଖବର

ଲୋକେ ଅଭିନୟକୁ ମୁହଁ ମୋଡ଼ୁଛନ୍ତି, ଅଭିନେତାଙ୍କୁ ପସନ୍ଦ କରିବେ ତ ? ଷ୍ଟାରଙ୍କୁ ନେଇ ଭ୍ରମରେ ରାଜନୈତିକ ଦଳ...

ଭୁବନେଶ୍ୱର, ୧୫/୦୪ : ଫିଲ୍ମ ଚାଲୁନି । ଟଙ୍କା ଉଠୁନି । ହଲ୍‌ ଫାଙ୍କା । ଏଣେ କିନ୍ତୁ ରୁବାବ କାହିଁରେ କ’ଣ? କଳି-ଝଗଡ଼ାରେ ଧୂଳି ଉଡ଼ୁଛି । କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଏଇ କିଛି ଦିନ ଭିତରେ ଜିରୋ-ହିରୋଙ୍କ ସବୁ ଗୁମର ଖୋଲିଯାଇଛି । କିନ୍ତୁ କିଏ ଜିରୋ, କିଏ ହିରୋ ତାକୁ ନେଇ ବାକ୍‌ଯୁଦ୍ଧ । ଓଡ଼ିଶା ରାଜନୀତିରେ ପାଣିପାଗ ଭାରି ତତଲା ଥିଲାବେଳେ ଏ ପ୍ରସଙ୍ଗ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡି ଫିଲ୍ମ ସିଣ୍ଡିକେଟ୍‌ ଏବେ ବିଜେପିରେ । ସେଥିପାଇଁ ଆରମ୍ଭ ହୋଇଛି ଘଣ୍ଟାଚକଟା । ନିକଟରେ ସବୁ ବଡ଼ ବଡ଼ ଷ୍ଟାର୍‌ ବିଜେପିରେ ମିଶିବା ପରେ ଏକପ୍ରକାରର ଷ୍ଟାର୍‌ ଶୂନ୍ୟ ହେଇଯାଇଛି ବିଜେଡି । ବିକଳ୍ପ ଭାବେ ଆଉ କିଛି ଷ୍ଟାର୍‌ଙ୍କୁ ନେଇ ରଣନୀତି କରୁଛି ଦଳ । 

ଶୁକ୍ରବାର ଡଜନେରୁ ଅଧିକ କଳାକାର ନବୀନ ନିବାସ ଯାଇଥିଲେ । ସେଠାରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି । ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ସଂକଳ୍ପ ନେଇଛନ୍ତି ବୋଲି ନବୀନ ନିବାସରୁ ଫେରି ଗଣମାଧ୍ୟମରେ କଳାକାରମାନେ କହିଛନ୍ତି । ମାତ୍ର ବାସ୍ତବରେ ତାହା କେତେ ସଫଳ ହେବ ସମୟ କହିବ । ଏବେ କିନ୍ତୁ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଏହି ମେଳିରେ ସାମିଲ ହୋଇନଥିବା କିଛି କଳାକାର ସୋସିଆଲ୍‌ ମିଡିଆରେ ଉଲ୍ଲେଖ କରିଛନ୍ତି, ସରକାରଙ୍କ ବେଳକୁ ଆମେ ଅଛୁ, ଆମ ବେଳକୁ ସରକାର ରହିବେ ତ? କଳାକାରଙ୍କ ଏ ପୋଷ୍ଟ ବିତର୍କ ଛିଡ଼ା କରାଇଛି । କିଛିଦିନ ପୂର୍ବରୁ ଦଳଡିଆଁ ପର୍ବରେ ପ୍ରଥମେ ଜଣେ ଆକ୍ସନ୍‌ ଷ୍ଟାର୍‌ଙ୍କ ପରେ ଜଣେ ଏଭରଗ୍ରୀନ୍‌ ଅଭିନେତା ବିଜେଡିକୁ ବାଏ ବାଏ କରିଥିଲେ । ସେତେବେଳେ ବିଜେଡି ରାଜ୍ୟସଭା ସାଂସଦ ଥିବା ଅଭିନେତା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଆଗରେ ସେମାନେ ସବୁ ବିଗ୍‌ ଜିରୋ । 

ଶୁକ୍ରବାର ଯେତେବେଳେ ନବୀନ ନିବାସରେ ଷ୍ଟାର୍‌ଙ୍କ ମେଳି ହେଲା ସେତେବେଳେ ବିଜେଡିରୁ ବିଜେପି ଯାଇଥିବା ଆକ୍ସନ୍‌ ଷ୍ଟାର୍‌ କହିଲେ, ସବୁ ତ ବିଗ୍‌ ଜିରୋ । ଏବେ ପୁଣି କ’ଣ ଦରକାର ପଡ଼ିଲା? ନବୀନ ହାତ ହଲେଇ ଦେଲେ ଭୋଟ ତ ଅଜାଡ଼ି ହେଉଛି । ବିଜେଡି କଳାକାରଙ୍କୁ କାହିଁକି ନବୀନ ନିବାସ ନିମନ୍ତ୍ରଣ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି । ବିଜେପି ଶନିବାର ଏହି ପ୍ରସଙ୍ଗରେ, ବିଜେଡିକୁ ଟାର୍ଗେଟ୍‌ କରିଛି । ଏବେ କାହିଁକି ଷ୍ଟାର୍‌ଙ୍କୁ ଖୋଜା ପଡ଼ିଲା ବୋଲି ପ୍ରଶ୍ନ କରିଛି । ଯଦି ଦରଦ ଅଛି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ । ଓଡ଼ିଆ କଳାକାରଙ୍କ ଉନ୍ନତି ଚିନ୍ତା କରନ୍ତୁ । କଂଗ୍ରେସ କିନ୍ତୁ ଏ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛି । ଏ ପ୍ରସଙ୍ଗରେ ବର୍ଷୀୟାନ୍‌ କଳାକାରଙ୍କ ମତ ହେଉଛି, ନିର୍ବାଚନ ଆସୁଛି ବୋଲି ସବୁ ଦଳ ନିଜ ସ୍ୱାର୍ଥ ପାଇଁ ଷ୍ଟାର୍‌ଙ୍କୁ ଖୋଜୁଛନ୍ତି । ଷ୍ଟାର୍‌ ବି ନିଜ ସ୍ୱାର୍ଥ ପାଇଁ ତାଙ୍କ ସହିତ ଯୋଡ଼ି ହେଉଛନ୍ତି । ଅତୀତରେ ବି ଏ ଧାରା ଦେଖାଯାଇଛି । କିନ୍ତୁ ନା କେବେ କୌଣସି ଷ୍ଟାର୍‌ ନିଜ କଳା ଜଗତ କଥା ଚିନ୍ତା କରିଛନ୍ତି ନା’ କଳାକାର ପରିବାରର କଥା । ଦଳମାନେ ବି ଇଣ୍ଡଷ୍ଟ୍ରି ବିଷୟରେ କେବେ କିଛି ପଦୁଟିଏ କହନ୍ତି ନାହିଁ । 

ପୂର୍ବରୁ ଏମିତି କେତେ ଅଭିନେତା ନେତା ହେଇଛନ୍ତି ଆଉ ଦଳରେ ଅଛନ୍ତି । ହେଲେ ଇଣ୍ଡଷ୍ଟ୍ରି ଯେଉଁଠି ଥିଲା, ତଳକୁ ଯାଇଛି ସିନା ଉପରକୁ ବେଶି ଉଠିନି । ଏଭିତରେ ଏହି ଫ୍ୟୁଜ୍‌ମାନଙ୍କୁ ନେଇ ରାଜନୈତିକ ଦଳମାନେ ଆହୁରି ଫ୍ୟୁଜ୍‌ ହେବେ ସିନା ତାରକା ହୋଇ ଚମକିବେନି । କାରଣ ଯାହାଙ୍କୁ ଲୋକ ପରଦାରେ ପସନ୍ଦ କରୁନାହାନ୍ତି ସେମାନେ ପାଖକୁ ଗଲେ କେମିତି ପସନ୍ଦ କରିବେ? କେବଳ ଭୋଟ ପ୍ରଚାରରେ ବୁଲି କିଛି ଟଙ୍କା ରୋଜଗାର କରିବେ । ମାସେ ଦି’ ମାସେ ନିର୍ବାଚନରେ ବୁଲିଲେ ୨/୩ଟି ଫିଲ୍ମର ଟଙ୍କା ମିଳିବ ବୋଲି କଳାକାର ଆଶା ବାନ୍ଧିଛନ୍ତି । ସିନେ ସମୀକ୍ଷକଙ୍କ ମତରେ ପରଦାରେ ପୂରା ଫ୍ୟୁଜ୍‌ ଏହି ସିନେଷ୍ଟାର୍‌ଙ୍କୁ ରାଜନୈତିକ ଦଳ ପ୍ରଧାନ୍ୟ ଦେଇ ଅଯଥାରେ ଷ୍ଟାର୍‌ ବନାଉଛନ୍ତି । ଏମାନଙ୍କ ଅଭିନୟକୁ ଦର୍ଶକ ଦେଖୁନାହାନ୍ତି । ପ୍ରଯୋଜକମାନେ ଥରେ ଫିଲ୍ମରେ ନେଲେ ଦ୍ୱିତୀୟ ଥର ଭରସା କରିପାରୁନାହାନ୍ତି । ଲୋକେ ଭରସା କରିବେ ତ? ରାଜନୈତିକ ଦଳମାନେ ଏହା ଉପରେ ଟିକେ ସମୀକ୍ଷା ଓ ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି । ଓଲିଉଡ୍‌ ସାଉଥ୍‌ ଇଣ୍ଡଷ୍ଟ୍ରି ନୁହେଁ । ସେଠି ସିନେଷ୍ଟାର୍‌ ଲୋକଙ୍କ ସହ ଯୋଡ଼ି ହୋଇ ରହୁଥିବାରୁ ଅଲଗା ପ୍ରକାରର କ୍ରେଜ୍‌ । ମାତ୍ର ଆମର ଏଠି କିଏ ପଚାରୁଛି? ରାଜନୈତିକ ଦଳ ପୂରା ଭ୍ରମରେ ଅଛନ୍ତି । ନିଷ୍ପ୍ରଭ ତାରକାଙ୍କୁ ନେଇ ଅଯଥାରେ ବୋଝ ମୁଣ୍ଡାଉଛନ୍ତି । 

  • prameyanews
  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.