ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରଙ୍କୁ ବଡ଼ ଝଟ୍‌କା: ବନ୍ଦ ହେଲା ୧୬୦ ଦୋକାନ, ୧୮ ବାର୍‌, ଜଣେ ପୂର୍ବତନ ବିଧାୟକ ଫାଙ୍କିଛନ୍ତି ୨୦ କୋଟିରୁ ଅଧିକ

ଭୁବନେଶ୍ୱର,୧୧/୦୪(ଦିଲ୍ଲୀପ ରାଉତ): ମଦ ବିକ୍ରିରୁ ରାଜସ୍ୱ ଘୋଷାଡ଼ି ତହବିଲ ଭର୍ତ୍ତି ଯୋଜନାରେ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି । ସରକାରଙ୍କ ଧାର୍ଯ୍ୟ କୋଟା ମୁତାବକ ମଦ ଉଠାଇ ନ ପାରି ୧୬୦ ମଦ ଦୋକାନ (ଦେଶୀ ଓ ବିଦେଶୀ) ଓ ୧୮ଟି ବାର୍‌ ହାତ  ଟେକି ଦେଇ ଆତ୍ମସର୍ମପଣ କରିଛନ୍ତି । ଫଳରେ ପାଖାପାଖି ୨୦୦ କୋଟି ଟଙ୍କା ରାଜସ୍ୱ ବୁଡ଼ିଯାଇଛି । ଏଥିସହ ନିର୍ବାଚନ ସମୟରେ ପ୍ରବଳ ଚୋରାମଦ କାରବାର ଆଶଙ୍କା ସୃଷ୍ଟି ହୋଇଛି । ନିର୍ବାଚନ ଆଚରଣବିଧି ଯୋଗୁଁ ବନ୍ଦ ହୋଇଥିବା ଦୋକାନ ଓ  ବାର୍‌ ପୁଣି ଥରେ ନିଲାମ ହେଲା ଭଳି ଲାଗୁନାହିଁ । ଫଳରେ ସିଧାସଳଖ ଆଉ ୨୦୦ କୋଟି ଟଙ୍କାର  ରାଜସ୍ୱ ମଧ୍ୟ ଉଡ଼ିଯିବ ତାହା ଜଳଜଳ ଦିଶୁଛି ।  

୨୦୨୩/୨୪ ମସିହାରେ ଅବକାରୀ ବିଭାଗ  ୧୦୪୯ ଠିପି ବନ୍ଦ (ବିଦେଶୀ), ୫୧୨ ଠିପି  ଖୋଲା (ବାର୍‌, ପବ୍‌ ଓ ହୋଟେଲ୍‌, ୧୭୮ ଠିପି  ବନ୍ଦ (ଦେଶୀ ମଦ) ଦୋକାନୀଙ୍କୁ ଲାଇସେନ୍ସ  ଦେଇଥିଲା । ଏସବୁ ଦୋକାନ ପାଇଁ ଲାଇସେନ୍ସ ଫି  ଧାର୍ଯ୍ୟ କରାଯାଇଥିଲା । ଏଥିସହ ନିର୍ଦ୍ଦିଷ୍ଟ ପରିମାଣର  ମଦ ବିକ୍ରି କରିବାକୁ ସର୍ତ୍ତ ଥିଲା । ଯାହାକୁ ମିନିମମ୍‌  ଗ୍ୟାରେଣ୍ଟେଡ୍‌ କ୍ୱାଣ୍ଟିଟି (ଏମ୍‌ଜିକ୍ୟୁ) କୁହାଯାଏ । ଦୋକାନୀଟି ଏମ୍‌ଜିକ୍ୟୁ ଠାରୁ ଅଧିକ ପରିମାଣର  ମଦ ଉଠାଇବାକୁ ବାଧ୍ୟ । ଏପଟେ ପ୍ରତିବର୍ଷ ଏହି ଏମ୍‌ଜିକ୍ୟୁର ପରିମାଣ ସରକାର ବଢ଼ାଇ ଚାଲିଛନ୍ତି ।  ଲାଇସେନ୍ସରେ ସର୍ତ୍ତ ରହିଛି ଯେଉଁ ଦୋକାନ ଅଧିକରୁ ଅଧିକ ମଦ ଉଠାଇ ଏମ୍‌ଜିକ୍ୟୁରେ ପହଞ୍ଚି  ନ ପାରିଲା ତାକୁ ଜରିମାନା ଦେବାକୁ ପଡ଼ିବ ।

 ଏମ୍‌ଜିକ୍ୟୁ ବାବଦରେ ସରକାରଙ୍କ ମଦ ନିଗମରୁ  ମଦ କିଣିବାରେ ଦୋକାନୀଠାରୁ ଯେତିକି ରାଜସ୍ୱ  ମିଳିଥାନ୍ତା ସେତିକି ପରିମାଣର ଜରିମାନା ଅସୁଲ  କରିବାର ନିୟମ ରହିଛି । ଅର୍ଥାତ ମଦ ବିକ ବା  ନ ବିକ ସରକାର ଟଙ୍କା ନେବା କଥା ନେବେ । ସରକାରଙ୍କ ଏଭଳି ସର୍ତ୍ତରେ ୧୭୮ଟି ଦୋକାନୀ  ଯେତେ ଚେଷ୍ଟା କଲେ ବି ଅଧିକରୁ ଅଧିକ ମଦ  ବିକ୍ରି କରିପାରିଲେ ନାହିଁ । ବାଧ୍ୟ ହୋଇ ଅବକାରୀ  ବିଭାଗ ପାଖରେ ଆତ୍ମସର୍ମପଣ କଲେ । ଏପ୍ରିଲ ୧ରୁ  ଦୋକାନଗୁଡ଼ିକ ବନ୍ଦ ହୋଇଥିଲା । ହେଲେ ଏଥିପାଇଁ  ୨୦୦ କୋଟି ରାଜସ୍ୱ କ୍ଷତି କିଏ ଭରଣା କରିବ ସେ  ବିଷୟରେ କେହି କିଛି ଚିନ୍ତା କଲେନାହିଁ । ସରକାରଙ୍କୁ  ଏତେ ପରିମାଣର ରାଜସ୍ୱ ଘାଟା କରାଇବାରେ  ପୂର୍ବତନ ବିଧାୟକ, କର୍ପୋରେଟର, ବିଧାୟକଙ୍କ  ଭାଇ ଏମିତି ଅନେକ ରାଜନେତା ସାମିଲ ଅଛନ୍ତି ।  

ଏମ୍‌ଜିକ୍ୟୁ ପୂରଣ କରି ନ ପାରି ରାଜ୍ୟରେ  ୧୨୦ ବିଦେଶୀ ଠିପି ବନ୍ଦ ଦୋକାନ, ୪୦ଟି  ଦେଶୀ ମଦ ଦୋକାନ ଓ ୧୮ଟି ବାର୍‌ କିଛି  ଦିନ ହେବ ବନ୍ଦ ପଡ଼ିଛି । ସର୍ବାଧିକ ୩୬ଟି  ମଦ ଦୋକାନ ଓ ବାର୍‌ ବନ୍ଦ ହୋଇଛି କଟକ  ଜିଲ୍ଲାରେ । ଭୁବନେଶ୍ୱରରେ ବାପୁଜୀନଗର-୧,  ରାଜମହଲ ଛକ-୧, ଅଶୋକ ନଗର-୧,  ଖାରବେଳ ନଗର-୨, ବମିଖାଲ, ଲକ୍ଷ୍ମୀସାଗର,  ଜାଗମରା (ଏୟାରପୋର୍ଟ ପଛ) ଓ କେଶୁରା ଛକ  ଉପରେ ଥିବା ଠିପି ବନ୍ଦ ଦୋକାନ ବନ୍ଦ ରହିଛି । ଏମ୍‌ଜିକ୍ୟୁ ପୂରଣ ନ କରିପାରିଲେ ଲିଟର  ପିଛା ଟିକସ ଦେବାକୁ ପଡ଼ିବ । ବିଦେଶୀ ମଦରେ  ଏମ୍‌ଜିକ୍ୟୁ ପୂରଣ ନ ହେଲେ ଲଣ୍ଡନ୍‌ ପ୍ରୁଫ୍‌  ଲିଟର (ଏଲ୍‌ପିଏଲ୍‌) ପିଛା ୬୯୨.୮୨ ଟଙ୍କା  ଟିକସ ଦେବାକୁ ବାଧ୍ୟ । ଗୋଟିଏ ପେଟିରେ  ୬.୪୮ ଏଲ୍‌ପିଏଲ୍‌ ମଦ ଥାଏ । ସେହି ହିସାବରେ  ଦେଖିବାକୁ ଗଲେ ପ୍ରତି ପେଟି ପିଛା ପ୍ରାୟ ୪୬୮୯  ଟଙ୍କା ଟିକସ ଦେବାକୁ ବାଧ୍ୟ । ସେହିଭଳି ବିୟର  ଏମ୍‌ଜିକ୍ୟୁ ନ ହେଲେ ବଲ୍କ୍‌ ଲିଟର୍‌ (ବିଏଲ୍‌)  ପିଛା ୧୦୪.୧୧ ଟଙ୍କା ଟିକସ ଦେବାକୁ ପଡ଼ିବ ।  ଗୋଟିଏ ପେଟି ବିୟର (କାଚ ବୋତଲ)ରେ ୭.୮  ବଲ୍କ୍‌ ଲିଟର୍‌ ଥାଏ । ସେହି ହିସାବରେ ଦେଖିବାକୁ  ଗଲେ ୮୧୨ ଟଙ୍କା ଟ୍ୟାକ୍ସ ଦେବାକୁ ପଡ଼ିବ ।  

ଯଦି ବିୟର କେନ୍‌ କଥା ଦେଖିବା ତା’ହେଲେ  ପ୍ରତି ପେଟି ପିଛା ୧୨୪୯ ଟଙ୍କା ଟିକସ ପଡ଼ିବ ।  ଦେଶୀ ମଦରେ ପ୍ରତି ଏଲ୍‌ପିଏଲ୍‌ରେ ୨୨୨.୬୯  ଟ୍ୟାକ୍ସ ଲଗାଇଛି ଅବକାରୀ ବିଭାଗ । ଜଣେ  ପୂର୍ବତନ ବିଧାୟକଙ୍କ ଭୁବନେଶ୍ୱରରେ ଠିପି ବନ୍ଦ  ଦୋକାନ ଥିଲା । ସେ ଏମ୍‌ଜିକ୍ୟୁ ପୂରଣ କରି  ପାରିନାହାନ୍ତି । ଏତେ ପରିମାଣରେ ଏମ୍‌ଜିକ୍ୟୁ  ଫାଙ୍କିଛନ୍ତି ଯେ ତାଙ୍କୁ ୨୦ରୁ ୨୨ କୋଟି ଟଙ୍କା ଟିକସ  ଦେବାକୁ ପଡ଼ିବ ବୋଲି ଅବକାରୀ ବିଭାଗ କହିଛି ।  ଟଙ୍କା ଦେଇ ନ ପାରି ପୂର୍ବତନ ବିଧାୟକ ବୁଦ୍ଧି  ଖଟାଇ ଦୋକାନ ବନ୍ଦ କରି ଦେଇଛନ୍ତି । ପଶ୍ଚିମ ଓଡ଼ିଶାରେ ଜଣେ ବିଧାୟକଙ୍କ ସମ୍ପର୍କୀୟ ଭାଇ  ମଧ୍ୟ ୨ କୋଟିରୁ ଅଧିକ ଟଙ୍କା ଟିକସ୍‌ ଫାଙ୍କିଛନ୍ତି । 

ପୁରୀ ଓ ଅନୁଗୁଳ ଜିଲ୍ଲାରେ କୌଣସି ଦୋକାନ  ବି ବାର୍‌ ବନ୍ଦ ହୋଇନାହିଁ । ବାକି ସବୁ ଜିଲ୍ଲାରେ  ୨ରୁ୩ଟି ଲେଖାଏଁ ଦୋକାନ ବନ୍ଦ ହୋଇଛି।  ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବା  କଥା ଏହି ବନ୍ଦ ଯୋଗୁ ପ୍ରାୟ ୨୦୦ କୋଟି ରାଜସ୍ୱ  କ୍ଷତି ହୋଇଛି । ସେଥିରୁ କେବଳ ରାଜଧାନୀ  ଭୁବନେଶ୍ୱରରେ ୧୦୦ କୋଟି ଘାଟା ହୋଇଛି ।  ୨୦୨୩-୨୪ ଆର୍ଥିକ ବର୍ଷରେ ୭ ହଜାର  ୮୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟ ରଖିଥିଲେ  ସରକାର । ହେଲେ ଏହା ପୂରଣ ହୋଇପାରିନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.