ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ: ଆଜି ମଙ୍ଗଳକୃତ୍ୟ ନୀତି, ସୋମବାର ହର-ଗୌରୀଙ୍କ ପଡିବ ହସ୍ତଗଣ୍ଠି

ଭୁବନେଶ୍ୱର,୦୯/୦୬: ରବିବାର ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଥୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବ । ଏହି ଦେବ ବିବାହ ଉତ୍ସବ ନିମନ୍ତେ ମନ୍ଦିର ପ୍ରଶାସନ ଓ ଶୀତଳଷଷ୍ଠୀ କମିଟି ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ମଙ୍ଗଳକୃତ୍ୟର ସମସ୍ତ ନୀତି ରବିବାର ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ । ୩୫ଟି କୁଡୁଆରେ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଖେଚୁଡି ଭୋଗ ଲାଗି ହେବ। ଅଷ୍ଟଚଣ୍ଡୀଙ୍କୁ  ନିମନ୍ତ୍ରଣ ପାଇଁ ଶୋଭାଯାତ୍ରାରେ ଘଣ୍ଟ ଓ ମଶାଲ ସହ ପୂଜାପଣ୍ଡା,ମହାସୁଆର,ପତ୍ରୀ,ବଡୁ ଓ ଅନ୍ୟାନ୍ୟ ସେବକ ଯିବେ । ସୋମବାର ପଞ୍ଚମୀ ତିଥିରେ ଦେବ ବିବାହ ପର୍ବ ଅନୁଷ୍ଠିତ ହେବ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ବିବାହ ନିମନ୍ତେ ସୋମବାର ରାତି ସାଢ଼େ ୯ଟାରୁ ସାଢ଼େ ୧୦ଟା  ମଧ୍ୟରେ ବରଯାତ୍ରୀ ମାନେ ଭୋଜିଭାତରେ ଆପ୍ୟାୟିତ ହୋଇ ଗୌରୀ ମନ୍ଦିର ଅଭିମୁଖେ ରାତି ୧୧ଟାରେ ବାଜା ରୋଷଣୀ  ଧରି ଶ୍ରୀଜିଉଙ୍କ ସହିତ ଯିବେ । ଏଥର ଶୋଭାଯାତ୍ରାରେ ବାଣ ଏବଂ ଡିଜେ ବ୍ୟବହାର ଉପରେ କଟକଣା ରହିଛି। ଭୋର  ୩ଟା ସୁଦ୍ଧା ହସ୍ତଗଣ୍ଠି ପଡ଼ି ବିବାହ ନୀତି ସମାପନ ହେବ । ଏହାପରେ ଦେବ ଦମ୍ପତି ଦିନ ତମାମ କେଦାରଗୌରୀ ପୀଠରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । 

ମଙ୍ଗଳବାର ରାତି  ୧୦ଟାରେ ମନ୍ଦିର ଅଭିମୁଖ ପ୍ରତ୍ୟାବର୍ତ୍ତନ କରିବେ । ବିଦାୟ  ବେଳେ ଶ୍ୱଶୁର ଘର ତରଫରୁ ଶ୍ରୀଲିଙ୍ଗରାଜଙ୍କୁ ଇନ୍ଦ୍ର ହାତୀ ଉପହାର ସ୍ୱରୂପ ପ୍ରଦାନ କରାଯିବ ବୋଲି ବରିଷ୍ଠ ସେବାୟତ  ମିହିର ମହାପାତ୍ର ଓ ଲୁଲୁ ମହାପାତ୍ର କହିଛନ୍ତି । ଶୀତଳ  ଷଷ୍ଠୀ ଯାତ୍ରାରେ ଲଉଡ଼ି ନୃତ୍ୟ,ପଶୁ ପକ୍ଷୀ ବେଶ ନୃତ୍ୟ ଏବଂ  ଅନେକ ପାରମ୍ପରିକ ବାଜା ଓ ନୃତ୍ୟ ପରିବେଷଣ କରାଯିବ  ବୋଲି ଶୀତଳ ଷଷ୍ଠୀ କମିଟିର ସମ୍ପାଦକ ପୃଥ୍ୱୀକାନ୍ତ ମହାପାତ୍ର  ଏବଂ ସୁରେଶ କୁମାର ରାଉତରାୟ କହିଛନ୍ତି । ଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ଲାଗି ପୋଲିସ ପ୍ରଶାସନ ଦ୍ୱାରା  ସମସ୍ତ ବ୍ୟବସ୍ଥା ହୋଇଛି । ନିଶାଡିଙ୍କ ଉପରେ କଡ଼ା ନଜର  ରଖାଯିବ । ଆବଶ୍ୟକ ସ୍ଥଳେ ବ୍ରେଥ ଆନାଲାଇଜର ଦ୍ୱାରା  ପରୀକ୍ଷା କରାଯାଇ ଦଣ୍ଡିତ କରାଯିବ ବୋଲି ଶ୍ରୀଲିଙ୍ଗରାଜ  ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ବ୍ରାହ୍ମଣ ନିଯୋଗ  ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ।  

୨ ଦିନ ଲାଗି ରହିବ ଭୋଜିଭାତ

ସୋମବାର ଓ ମଙ୍ଗଳବାର ସନ୍ଧ୍ୟାରେ ହେବ ଭୋଜିଭାତ । ସୋମବାର ମନ୍ଦିର ପ୍ରଶାସନ ତରଫରୁ ବିବାହ ଉତ୍ସବରେ  ୨୦୦ ଜଣ ବରଯାତ୍ରୀଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା  ହୋଇଛି । ସନ୍ଧ୍ୟାରେ ଶ୍ରୀଜିଉଙ୍କ ମନ୍ଦିର ସମ୍ମୁଖରେ ପ୍ରାୟ  ୨୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ସେବାୟତ ମାନଙ୍କ ଦ୍ୱାରା ଅନ୍ୟ  ଏକ ଭୋଜି ଦିଆଯିବ । ସେହିପରି ମଙ୍ଗଳବାର ଶୀତଳଷଷ୍ଠୀ  ଅବସରରେ ଗୌରୀଙ୍କ ପୀଠରେ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ।  

ସାମିଲ ହେବେନି ଶ୍ରୀକପିଳେଶ୍ୱର 

ପରମ୍ପରା ମୁତାବକ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ  ଉତ୍ସବରେ ଦୁଇ ଦିନ ଯାକ ଶ୍ରୀକପିଳେଶ୍ୱର ଉପସ୍ଥିତ ରହିବା  ପରମ୍ପରା ରହିଛି । କିନ୍ତୁ ପ୍ରାୟ ୯ ବର୍ଷ ହେଲାଣି ଏହା  ବନ୍ଦ ପଡିଛି । ତଥାପି ମନ୍ଦିର ପ୍ରଶାସନ ଏବେବି ପ୍ରତିବର୍ଷ ନୀତି ନିର୍ଘଣ୍ଟରେ ଶ୍ରୀକପିଳେଶ୍ୱରଙ୍କ ବିଜେ ନିମନ୍ତେ ସମୟ ସଂରକ୍ଷିତ ରଖୁଛନ୍ତି । କିନ୍ତୁ ପ୍ରଶାସନ,ଦେବୋତ୍ତର  ବିଭାଗ ଓ ଉଚ୍ଚ ନ୍ୟାୟାଳୟଙ୍କ ଚରମ ଅବହେଳାରୁ ଏହି  ମହାନ ପରମ୍ପରା ରକ୍ଷା ହେଉନାହିଁ । ତେଣୁ ଏଥର ମଧ୍ୟ ଶ୍ରୀକପିଳେଶ୍ୱର ଏହି ଦେବବିବାହ ଉତ୍ସବରେ ସାମିଲ ନହେବାର ଆଶଙ୍କା ଉପୁଜିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.