ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖିଆ ମହାସଂଗ୍ରାମ: ହିଞ୍ଜିଳିରେ ନବୀନଙ୍କ ଷଷ୍ଠ ଇନିଂସ, ଚାନ୍ଦବାଲିରେ ପରାଜୟ ଧରା ଭାଙ୍ଗିବେ କି ମନମୋହନ, ନୂଆପଡ଼ାରୁ ଶରତ ଆସିବେ କି ବିଧାନସଭା?

ଭୁବନେଶ୍ୱର,୧୨/୦୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରାଜେୟ ରେକର୍ଡକୁ କ’ଣ ଟକ୍କର ଦେଇପାରିବେ ବିରୋଧୀ? ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥର ପରାଜୟ ଭଉଁରୀରୁ ମୁକୁଳି ପାରିବେ ତ?  କଂଗ୍ରେସ ରାଜ୍ୟ ସଭାପତି ଶରତ ପଟ୍ଟନାୟକ କ’ଣ ବିଧାନସଭା ପହଞ୍ଚିପାରିବେ? 

ଖାଲି ଏହି ତିନି ଜଣ ନୁହନ୍ତି, ୨୦୨୪ରେ ପୂର୍ବତନ ରାଜ୍ୟ ସଭାପତିମାନଙ୍କ ରାଜନୈତିକ ଭାଗ୍ୟ ଚମକିବ ନା ମଉଳିଯିବ? ଏମିତି ଅନେକ ପ୍ରଶ୍ନ ଏବେ ଘୂରି ବୁଲୁଛି ତିନି ଦଳର ଦପ୍ତରରୁ ନିର୍ବାଚନ ମଇଦାନ ଯାଏଁ ।

୨୭ ବର୍ଷର ରାଜନୈତିକ ଯାତ୍ରାରେ କେବେ ହାରିନାହାନ୍ତି ନବୀନ । ସବୁବେଳେ ବିଜୟର ରେକର୍ଡ ଛିଡ଼ା କରିଛନ୍ତି । ଆସିକାରୁ ୨ ଥର ସାଂସଦ ହେବା ପରେ ହିଞ୍ଜିଳିରୁ ଲଗାତାର ୫ ଥର ବିଧାୟକ ହୋଇଛନ୍ତି । ଏହି ୫ ଥରିଆ ମୁଖ୍ୟମନ୍ତ୍ରୀ ଏଥର ପୁଣି ହିଞ୍ଜିଳିରୁ ନିର୍ବାଚନ ଲଢ଼ୁଛନ୍ତି । ୨୦୧୯ରେ ବିଜୟର ବ୍ୟବଧାନ ୬୦ ହଜାରରୁ ଅଧିକ ଥିଲା । ଏଥର ନବୀନଙ୍କ ବିରୋଧରେ ବିଜେପିରୁ ଲଢ଼ୁଛନ୍ତି ଶିଶିର ମିଶ୍ର ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି । 

ପରାଜୟର ଧାରା ଭାଙ୍ଗିବେ କି ମନମୋହନ? ବିଜେପି ରାଜ୍ୟ ସଭାପତି ମନମୋହନ ଏଥର ପୁଣି ଚାନ୍ଦବାଲିରୁ ଲଢ଼ୁଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ୨୦୧୯ରେ ପ୍ରାୟ ୮ ହଜାର ଭୋଟରେ ହାରିଥିଲେ ମନମୋହନ । ୨୦୧୪ରେ ବି ଏହି ଆସନରୁ ହାରିଥିଲେ ବଡ଼ ବ୍ୟବଧାନରେ । ୨୦୦୯ରେ ଭଣ୍ଡାରିପୋଖରୀ ଆସନରୁ ଲଢ଼ି ପରାଜିତ ହୋଇଥିଲେ । ବିଜେଡି-ବିଜେପି ମେଣ୍ଟ ସମୟରେ ୨୦୦୪ରେ ସେ ଧାମନଗରରୁ ଲଢ଼ି ମାତ୍ର ଥରୁଟିଏ ଜିତିଥିଲେ । ମନମୋହନ ପୁଣି ବିଧାନସଭା ଯିବେ କି ନାହିଁ, ତାହା ଉପରେ ସଭିଙ୍କ ନଜର ରହିଛି । 

ଏବେ ନଜର ପକାଇବା ନୂଆପଡ଼ା ଆସନ ଉପରେ । ଏଥର ଏ ଆସନରୁ ଲଢ଼ୁଛନ୍ତି କଂଗ୍ରେସ ରାଜ୍ୟ ମୁଖିଆ ଶରତ ପଟ୍ଟନାୟକ । ଜୀବନରେ ପ୍ରଥମ ଥର ପାଇଁ ଶରତ  ବିଧାନସଭା ମଇଦାନକୁ ଓହ୍ଲାଇଛନ୍ତି । ରାଜନୈତିକ ଜୀବନ କାଳ ଭିତରେ ଦୁଇ ଥର ଲୋକସଭା ସାଂସଦ ଥିବା ଶରତ ୧୯୯୮ ପରେ ଆଉ ବିଜୟ ସ୍ୱାଦ ଚାଖି ନାହାନ୍ତି । ୨୦୧୯ରେ ଶରତ ସମ୍ବଲପୁର ଲୋକସଭାରୁ ଲଢ଼ି ୧ ଲକ୍ଷ ୩୬ ହଜାର ଭୋଟ ପାଇ ତୃତୀୟରେ ଥିଲେ । ୨୦୧୪ରେ ବଲାଙ୍ଗୀର ଲୋକସଭା ପାଇଁ ଲଢ଼ି ହାରିଥିଲେ । ଏଥର ନୂଆପଡ଼ାରେ ଶରତ ପ୍ରଥମ ଥର ପାଇଁ ବିଧାନସଭା ଲାଗି ଭାଗ୍ୟ ପରୀକ୍ଷା କରୁଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେଡି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ । ସଙ୍କଟ ଭିତରେ ଗତି କରୁଥିବା ଶରତଙ୍କ ଉପରେ ରାଜ୍ୟ କଂଗ୍ରେସର ଆଶା ଲଟକିଛି ।

ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏଥର ନିର୍ବାଚନ ମଇଦାନରେ ଓହ୍ଲାଇନାହାନ୍ତି । ବସନ୍ତ ପଣ୍ଡା ବି ପୁଅ ପାଇଁ ବାଟ ଛାଡ଼ି ଦେଇଛନ୍ତି । କନକ ବର୍ଦ୍ଧନ ସିଂହଦେଓ ପୁଣି ଥରେ ପାଟଣାଗଡ଼ରୁ ପ୍ରାର୍ଥୀ ହୋଇଛନ୍ତି । ଲଗାତାର ୫ ଥର ପାଟଣାଗଡ଼ରୁ ଜିତି ଆସୁଥିବା ପାଟଣାଗଡ଼ ରାଜା କେଭିଙ୍କ ବିଜୟ ରଥକୁ ୨୦୧୯ରେ ଅଟକାଇଥିଲେ ବିଜେଡିର ସରୋଜ ମେହେର । ଏଥର ପୁଣି ସରୋଜ-କେଭି ଲଢ଼େଇ ଜମିବ ପାଟଣାଗଡ଼ ମଇଦାନରେ । ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ ପୁଣି ଥରେ ସୁନ୍ଦରଗଡ଼ ଲୋକସଭାରୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ ଓ ୨୦୧୯ ଭଳି ଏଥର ବି ଜିତିବାକୁ ସେ ଟାର୍ଗେଟ ରଖିଛନ୍ତି । ତାଙ୍କ ବିରୋଧରେ ବିଜେଡି ହକି ତାରକା ଦିଲ୍ଲୀପ ତୀର୍କି ଓ କଂଗ୍ରେସ ପୂର୍ବତନ ବିଧାୟକ ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିଛି । ସୁରେଶ ପୂଜାରୀ ବରଗଡ଼ରୁ ସାଂସଦ ଥିବାବେଳେ ଏଥର ବ୍ରଜରାଜନଗରରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି । 

କଂଗ୍ରେସର ହେଭିୱେଟ ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ବି ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି । ନିରଞ୍ଜନ ଭଣ୍ଡାରିପୋଖରୀରୁ ନିର୍ବାଚନ ଲଢ଼ିବା ସମ୍ଭାବନା ଅଧିକ । ଗତ ଥର ସେ ଉଭୟ ଭଣ୍ଡାରିପୋଖରୀ ଓ ଘସିପୁରାରୁ ଲଢ଼ି ହାରିଥିଲେ । ସୀମା ନିର୍ଦ୍ଧାରଣ ପୂର୍ବରୁ ଥିବା ରାମଚନ୍ଦ୍ରପୁର ଆସନରୁ ନିରଞ୍ଜନ ୪ ଥର ଜିତିଥିଲେ । ୨୦୦୪ରେ ସେ ଶେଷ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ଜୟଦେବ ମଧ୍ୟ ୨୦୦୪ ପରଠାରୁ ଆଉ ଜିତିନାହାନ୍ତି । ଆନନ୍ଦପୁରରୁ ୪ ଥର ବିଧାୟକ ହୋଇଥିବା ଜୟଦେବ ୨୦୦୪ରେ ଶେଷ ଥର ପାଇଁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ବିଜେଡିର ଭାଗିରଥୀ ସେଠୀଙ୍କଠାରୁ ୪୪ ହଜାର ଭୋଟରେ ପରାଜିତ ହୋଇଥିଲେ । ୨୦୧୪ ଓ ୨୦୦୯ରେ ବି ହାରିଥିଲେ ଜୟଦେବ । ପିସିସିର ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଏଥର ନିର୍ବାଚନ ଲଢ଼ିବା ନେଇ ଦ୍ୱନ୍ଦ୍ୱ ରହିଛି । ସେ ଲଢ଼ିବାକୁ ରାଜି ନଥିବାବେଳେ ଦଳ ତାଙ୍କୁ ପୁରୀରୁ ସାଂସଦ ପ୍ରାର୍ଥୀ କରିବାକୁ ଚାହୁଁଛି । ସେ ସତ୍ୟବାଦୀରୁ ୩ ଥର ବିଧାୟକ ହୋଇଥିବାବେଳେ ୨୦୧୪ ଓ ୨୦୧୯ରେ ହାରିଥିଲେ ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.