କେନ୍ଦୁଝର, ୧୨/୦୪ : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀ ଏକଦା ବିଜେପିର ଗଡ଼ ଥିଲା । ଜିଲ୍ଲାର ଆଗଧାଡିର ନେତା ଏହି ନିର୍ବାଚନମଣ୍ଡଳୀରୁ ନିଜର ଦକ୍ଷତା ବଳରେ ଜିଲ୍ଲା ଓ ରାଜ୍ୟକୁ ମନୋନିତ ହୋଇଥାନ୍ତି। ଏଥର ସାଧାରଣ ନିର୍ବାଚନରେ ବିଜେପି ଏହି ନିର୍ବାଚନମଣ୍ଡଳୀରେ ବହୁ ପଛରେ ପଡିଛି। ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ୧୫ ଦିନ ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ବିଜେପିର ଅଙ୍କ ଦିନକୁ ଦିନକୁ ଦିନ ବଦଳିବାରେ ଲାଗିଛି। ସଠିକ୍ ପ୍ରାର୍ଥୀ ଚୟନ ନହେଲେ ବିଜେପି ପୁଣି ପଛରେ ପଡିବା ପରିସ୍ଥିତି ଉପୁଜିଛି । କେନ୍ଦୁଝର ଜିଲ୍ଲାର ପାଟଣା ନିର୍ବାଚନମଣ୍ଡଳୀ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଆସନ। ପାଟଣା ଓ ସାହାରପଡା ବ୍ଲକର ସମସ୍ତ ଅଞ୍ଚଳ ସହିତ ଚମ୍ପୁଆ ବ୍ଲକ୍ର ୬ଟି ଏବଂ ଝୁମ୍ପୁରା ବ୍ଲକ୍ର ୧୦ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ।
୨୦୦୯ରୁ ବିଜେଡି ଅଧୀନରେ ଏହି ଆସନ ରହିଛି । ୨୦୦୦ ମସିହାରେ ବିଜେଡି ଓ ବିଜେପି ମେଣ୍ଟରୁ ଗୌରହରି ନାଏକ ୨ ଥର ବିଧାୟକ ହେବା ପରେ ୨୦୦୯ ମସିହାରୁ ବିଜେଡିର ହୃଷିକେଶ ନାଏକ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଥିଲେ । ଗତ ନିର୍ବାଚନରେ ବିଜେଡି ଜଗନ୍ନାଥ ନାଏକଙ୍କୁ ପ୍ରାର୍ଥୀ କରିଥିଲା । ବିଜେପିର ଭବାନୀ ନାଏକଙ୍କୁ ଜଗନ୍ନାଥ ପରାଜିତ ପରି ୫ ବର୍ଷ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ । ଚଳିତଥର ବିଜେଡି ପୁଣି ଜଗନ୍ନାଥଙ୍କ ଉପରେ ଆସ୍ଥାପ୍ରକଟ କରି ପ୍ରାର୍ଥୀ କରିଛି । ଏଥର ନିର୍ବାଚନରେ ଅନେକ ପରିବର୍ତ୍ତନ ଘଟିଛି । ବିଜେପିରୁ ପ୍ରାର୍ଥୀ ହୋଇ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ଭବାନୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ୫ଥର ବିଧାୟକ ଭାବେ ବିଭିନ୍ନ ଦଳରୁ ନିର୍ବାଚିତ ହୋଇ ଆସୁଥିବା ହୃଷିକେଶ ନାଏକ ଚଳିତଥର କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି । ଏଭଳିସ୍ଥିତିରେ ଭବାନୀ ଦଳ ଛାଡିବା ପରେ ବିଜେପିର ପ୍ରାର୍ଥୀଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ଦେଖାଦେଇଛି । ଅନେକ ଆଶାୟୀ ନିର୍ବାଚନ ଲଢ଼ିବାକୁ ଟିକଟ୍ ଲବିରେ ରହିଛନ୍ତି । ପ୍ରଶାସନିକ ଚାକିରି ଛାଡି ଦଳରେ ଯୋଗ ଦେଇଥିବା ଅଖିଳ ଚନ୍ଦ୍ର ନାଏକ ସହିତ ସତ୍ୟବ୍ରତ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମମିତା ନାଏକ ପ୍ରମୁଖ ଟିକଟ୍ ଲବିରେ ଆଗରେ ରହିଛନ୍ତି ।
ଏହି ନିର୍ବାଚନମଣ୍ଡଳୀରେ ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ନାଏକ ସହିତ ୨ଥର ସଭାପତି ଦାୟିତ୍ୱ ତୁଲାଉଥିବା ଅଂଶୁମାନ ସବୁଜ ମହାନ୍ତ ବର୍ମା ସହିତ ଯୁବମୋର୍ଚ୍ଚା ସଭାପତି ସବିର ଦାଶ ଭଳି ଆଗଧାଡିର ନେତା ଏହି ଅଞ୍ଚଳରୁ ହୋଇଥିବାରୁ ବିଜେପିର ଫଳାଫଳ ଦଳୀୟନେତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେବେ ୨୦୧୯ ନିର୍ବାଚନରେ ବିଜେଡିର ଜଗନ୍ନାଥ ନାଏକ ୭୦୩୧୦ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭବାନୀ ନାଏକ ୬୨୫୧୪ ଖଣ୍ଡ ଭୋଟ ପାଇଥିଲେ । ଅଖିଳ ନାଏକ ବିଦ୍ରୋହୀ ପ୍ରାର୍ଥୀ ହୋଇ ୮୦୭୪ ଖଣ୍ଡ ଭୋଟ ପାଇବା ଯୋଗୁ ବିଜେପି ପ୍ରାର୍ଥୀ ପରାଜିତର ଅନ୍ୟ ଏକ ପ୍ରମୁଖ କାରଣ ରହିଥିଲା । ଏଥର ଅନେକ ପରିବର୍ତ୍ତନ ପାଟଣା ନିର୍ବାଚନମଣ୍ଡଳୀରେ ଘଟିଥିବାରୁ ବିଜେପି ପାଇଁ ଏହି ଆସନ ସବୁଠାରୁ ସମ୍ମାନର ପ୍ରଶ୍ନ ହୋଇଛି । ବିଜେଡିରୁ ହୃଷିକେଶ ଦଳ ଛାଡିବା ପରେ ଭବାନୀଙ୍କୁ ବିଜେପିରୁ ଆଣି ଶାସକଦଳ ସୁବିଧାଜନକସ୍ଥିତିରେ ରହିଛି ।
କଂଗ୍ରେସ ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇପାରିଛି । ହେଲେ ବିଜେପି ଭବାନୀଙ୍କ ଅନୁପସ୍ଥିତର ଭରଣା ଅଦ୍ୟାବଧି କରିପାରିନି । ତେଣୁ ପ୍ରାର୍ଥୀ ଚୟନରେ ସାମାନ୍ୟ ତ୍ରୃଟି ରହିଲେ ଶାସକ ଦଳ ପୁଣି ବାଜି ମାରିନେବା ସମ୍ଭାବନା ଦେଖାଦେଇଛି । ଟିକଟ୍କୁ ନେଇ ବିଜେପିରେ ଅଧିକ ଗୋଷ୍ଠୀକନ୍ଦଳ ରହିଥିବା ବେଳେ ପାଟଣା ନିର୍ବାଚନମଣ୍ଡଳୀର ନେତା ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟକୁ ଯାଇ କର୍ମକର୍ତ୍ତାଙ୍କୁ ଭେଟି ଆଶାୟୀଙ୍କ ସପକ୍ଷରେ ମତ ଦେଇଛନ୍ତି । ବିଜେପି ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟକୁ ଆଧାର କରି ପ୍ରାର୍ଥୀ ଚୟନ କରାଯିବ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡିଛି ।