ଫିରିଙ୍ଗିଆ, ୫l ୮ : ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପୋଲିସ ଚଢାଉ କରି ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏଥସହ ୭ ଜଣ ଗଞ୍ଜେଇ ମାଫିଆ ପୋଲିସ ହାତରେ ଧରାପଡିଛନ୍ତି । ସେମାନଙ୍କ ନିକଟରୁ କାର, ୭ଟି ବାଇକ ଓ ମାଉଜର ପୋଲିସ ଜବତ କରିଛି।
ଗୋଚ୍ଛାପଡ଼ାର ବିଭିନ୍ନ ଅଞ୍ଚଳରୁ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଗୋଛାପଡା ପୋଲିସକୁ ସୂଚନା ମିଳିଥିଲା l ଗୋଚ୍ଛାପଡ଼ା ଥାନା ଅଧିକାରୀ ଗଞ୍ଜେଇ ମାଫିଆ ମାନଙ୍କୁ ଧରିବା ପାଇଁ ୩ ଟି ଟିମ ଗଠନ କରିଥିଲେ। ବାଲାନ୍ଦାପଡ଼ା ଫାଣ୍ଡି ଅଞ୍ଚଳ ସହ ଫିରିଙ୍ଗିଆ ବ୍ଲକ ଠାରୁ କଣ୍ଟାମାଳ ଯାଇଥିବା ଘାଟି ରାସ୍ତା ସୁଟାଣି ଘାଟିରେ ବିଭିନ୍ନ ସ୍ଥାନରେ ପୋଲିସ ଛପି ରହିଥିଲା l ଗଞ୍ଜେଇ ଚାଲାଣ କାରୀ କେହି ନଥିବା ଭାବି ଗୋଚ୍ଛାପଡ଼ା ଥାନା ବାଳନ୍ଦା ପଡ଼ା ଓ ବିଭିନ୍ନ ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି କଣ୍ଟାମାଳ ଦେଇ ବାହାର ରାଜ୍ୟକୁ ଚାଲାଣ ପାଇଁ ଯାଉଥିଲେ। ଗୋଚ୍ଛାପଡ଼ା ପୋଲିସ ସୁଟାଣି ଘାଟି ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ବାଇକକୁ ଅଟକାଇ ଥିଲା l ଏହି ସମୟରେ ଗଞ୍ଜେଇ ଚାଲାଣକାରୀ ବାଇକ ଓ ଗଞ୍ଜେଇ ତଳେ ପକେଇ ଦୌଡି ଖସିଯିବାକୁ ଚେଷ୍ଟା କରିଥିଲେ। ପୋଲିସ ୬ ଜଣକୁ କାବୁ କରିବାରେ ସଫଳ ହୋଇଥିଲେ। ଘଟଣା ପରେ ଗଞ୍ଜେଇ ଚାଲାଣର ମୁଖ୍ୟ ପୋଲିସକୁ ଡକାୟତ ଭାବି ଏକ ଦାମୀ କାରରେ ଆସି ମାଉଜର ଦେଖାଇ ମାରିବାକୁ ଚେଷ୍ଟା କରିଥିଲା। ପୋଲିସ ତାଙ୍କୁ ମଧ୍ୟ କୌଶଳ କ୍ରମେ ଗିରଫ କରିବାରେ ସଫଳ ହୋଇଥିଲା l ଘଟଣା ସ୍ଥଳରୁ ଗୋଚ୍ଛାପଡ଼ା ପୋଲିସ ୪ କୁଇଣ୍ଟାଲ ଗଞ୍ଜେଇ, ଏକ ଦାମୀ କାର, ୭ ଟି ବାଇକ, ଗୋଟିଏ ମାଉଜର, ୬ ଟି ଗୁଳି, ୪୬ ହଜାର ଟଙ୍କା, ୧୦ ଟି ମୋବାଇଲ, ହକି ଷ୍ଟିକ, ୨ ଟି ବେଶ ବଲ ଷ୍ଟିକ ଜବତ କରିଥିଲା l ଘଟଣା ସ୍ଥଳରୁ ଜଣେ ଫେରାର ହୋଇଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବଡ଼ ଛପାପାଲି ଗାଁର ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ଖଟୁଆ, ଟିକ୍ରି ପଡ଼ା ଗାଁର ଅରୁଣ ରଣା, ବଡ଼ଛପା ପାଲି ଗାଁର ସୁବୁଦ୍ଧି ସାହୁ, ରୁଣ୍ଡି ମହୁଲି ଗାଁର ସଦାସନ ବାରିକ, ସାନ ଛପାପାଲି ରେଙ୍ଗାଲି ଗାଁର ରିତୁ ବାରିକ, ଗୋଚ୍ଛା ପଡ଼ା ଥାନା ଗ୍ଲଟ ଗାଁର ଲଣ୍ଡା ସାହୁ , ଗୋଚ୍ଛାପଡ଼ା ଥାନା କୁମେଲ ସିଂ ଗାଁର ସମୀର ସାହୁ ଓ ସୁବର୍ଣ୍ଣ ପୁର ଜିଲ୍ଲା ବୀରମହାରାଜପୁର ଥାନା କମଲପୁର ତିଥିପାଲି ଗାଁର ଆଲୋକ କୁମାର ପାତ୍ର । ଗୋଚ୍ଛାପଡ଼ା ଥାନାରେ ଫୁଲବାଣୀ ସଦର ଉପଖଣ୍ଡ ଅଧିକାରୀ ସୁପ୍ରସନ୍ନ ମଲିକ ଏ ନେଇ ସୂଚନା ଦେଇଛନ୍ତି। ୭ ଗଞ୍ଜେଇ ଚାଲାଣକାରୀଙ୍କ ସହ ଜବତ ଗଞ୍ଜେଇ କୁ କୋର୍ଟ ଚାଲାଣ କରିଥିବା ଗୋଚ୍ଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି l