ଭୁବନେଶ୍ୱର, ୪।୯: ଭାରପ୍ରାପ୍ତ କୁଳପତିରେ ଚାଲିଛି ୫ ବିଶ୍ୱବିଦ୍ୟାଳୟ । ୪ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ କାର୍ଯ୍ୟକାଳ ଶେଷ ପରେ ନିକଟବର୍ତ୍ତୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି । କେବଳ ଏତିକି ନୁହେଁ ନୂତନ କରି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହୋଇଥିବା ଧରଣୀଧର ଓ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଆଦୌ କୁଳପତି ନିଯୁକ୍ତ ହୋଇନାହାନ୍ତି । ପ୍ରଥମରୁ ସେଠାରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (ଓଏସ୍ଡି) ନିଯୁକ୍ତ କରାଯାଇଛି । ସେହିପରି ଗତବର୍ଷ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଇସ୍ତଫା ଦେବା ପରେ ସେଠାରେ ମଧ୍ୟ ନିକଟବର୍ତ୍ତୀ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଦାୟିତ୍ୱ ଦିଆଯାଇଛି । ଏଠି ପ୍ରଶ୍ନ ଉଠୁଛି ଯଦି କୌଣସି ବିଶ୍ୱବିଦ୍ୟାଳୟରେ ମୁଖିଆ ନରହିବେ ତେବେ ସେ ବିଶ୍ୱବିଦ୍ୟାଳୟର ପାଠପଢ଼ା ଓ ପ୍ରଶାସନିକ ବ୍ୟବସ୍ଥା ଚାଲିବ କିପରି? ଏହି ସମସ୍ୟା କେତେଦିନ ଚାଲିବ, ଏହାର ସମାଧାନ କେବେ ହେବ ତାହା ମଧ୍ୟ ଅସ୍ପଷ୍ଟ ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନକୁ ନେଇ ଉଚ୍ଚଶିକ୍ଷା ବିଭାଗ ଓ ୟୁଜିସି ବିବାଦ ମଧ୍ୟରେ ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୧୮ ସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ଏହି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ), ଧରଣୀଧର ବିଶ୍ୱବିଦ୍ୟାଳୟରେ ଆଦୌ କୌଣସି ଅଧ୍ୟାପକ ପଦବି ମଞ୍ଜୁର କରାଯାଇନାହିଁ । ଗତବର୍ଷ ଗୁରୁ ଦିବସରେ ଲୋକାର୍ପିତ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ସରକାର ମାତ୍ର ୩ଟି ପଦବି ମଞ୍ଜୁର କରିଛନ୍ତି । ରାଜ୍ୟରେ ଥିବା ସରକାରୀ ବିଶ୍ୱବିଦ୍ୟାଳୟ ପାଇଁ ୧୯୦୧ଟି ମଞ୍ଜୁରିପ୍ରାପ୍ତ ଅଧ୍ୟାପକ ପଦବି ରହିଛି । ଏଥିରୁ ୭୧୪ଟିରେ ଅଧ୍ୟାପକ କାର୍ଯ୍ୟ କରୁଛନ୍ତି । ଆଉ ୧୧୮୭ ପଦବି ଖାଲି ପଡ଼ିଛି । କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ ଜୟପୁରର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ଆଜି ପର୍ଯ୍ୟନ୍ତ କୁଳପତି ନିଯୁକ୍ତ ହୋଇନାହାନ୍ତି । ଏଠାରେ ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ (ଓଏସ୍ଡି) ରହିଛନ୍ତି । ଏମାନଙ୍କର କାର୍ଯ୍ୟକାଳ ମଧ୍ୟ ଆସନ୍ତାବର୍ଷ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି ।
ସେହିପରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଅସ୍ଥାୟୀ ଭାବେ ୨୦୨୫ ଜାନୁଆରୀ ୩୧ ଯାଏ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ପ୍ରଫେସର କିଶୋର କୁମାର ବାସା ୨୦୨୨ ନଭେମ୍ବର ମାସରେ ଇସ୍ତଫା ଦେଇ ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣର (ଏନ୍ଏମ୍ଏ) ଅଧ୍ୟକ୍ଷ ହୋଇଥିଲେ । ସେ ସମୟରୁ ନିକଟବର୍ତ୍ତୀ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରବୀନ୍ଦ୍ର ପଣ୍ଡା ଇସ୍ତଫା ଦେବା ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ପ୍ରଧାନଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି । ଆସନ୍ତା ନଭେମ୍ବରରେ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଗଙ୍ଗାଧର ମେହେର (ଜିଏମ୍) ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ ।
୨୦୨୫ ମାର୍ଚ୍ଚରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଏପ୍ରିଲ୍ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, ଅଗଷ୍ଟରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ । ସେହିପରି ୨୦୨୬ ମେ’ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ୨୦୨୭ ଜାନୁଆରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବ । ଅଧ୍ୟାପକ ଓ କୁଳପତି ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଚାଲିଥିବା ନ୍ୟାୟିକ ମାମଲାରେ ଅନ୍ତ ଘଟିଲେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ କହୁଛନ୍ତି । ଗତ ଅଗଷ୍ଟ ୩୦ରେ ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ ମଧ୍ୟ କହିଥିଲେ, ନୂତନ କୁଳପତି ନିଯୁକ୍ତି ପାଇଁ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ୟୁଜିସି ନିର୍ଦ୍ଦେଶାବଳୀ ଅନୁଯାୟୀ ପରିବର୍ତ୍ତନ ଆଣିବାକୁ ପ୍ରକ୍ରିୟା ଚାଲିଛି ।