ନୂଆଦିଲ୍ଲୀ,୦୭/୧୧: ଚଳିତମାସ ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୋମବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଘୋଷଣା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ବିଶ୍ୱ ସ୍ତରରେ ପଞ୍ଚମ ବୃହତ୍ତମ ବଜାର, ଭାରତର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଏକ ଶକ୍ତି । ଏହି ବଜାର ପ୍ରତିବର୍ଷ ବୃଦ୍ଧି ପାଉଛି ଏବଂ ଏଥିରେ ଗତ ୩ ବର୍ଷ ମଧ୍ୟରେ ହାରାହାରି ବାର୍ଷିକ ଅଭିବୃଦ୍ଧି ୨୦% ରହିଛି । ଭାରତରେ ନିର୍ମିତ ସିନେମାଗୁଡ଼ିକ ଦେଶର କୋଣାନୁକୋଣକୁ ଅତିକ୍ରମ କରି ଏବେ ବିଶ୍ୱର ଦୂରଦୂରାନ୍ତର ବିଭିନ୍ନ ଅଞ୍ଚଳରେ ପହଞ୍ଚିବାରେ ଲାଗିଛି ।
ଚଳିତବର୍ଷ ସତ୍ୟଜିତ୍ ରାୟ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ ପୁରସ୍କାର ବିଶ୍ୱ ସିନେମାର ଉଜ୍ଜ୍ୱଳ ତାରକା ତଥା ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଜଣାଶୁଣା ମାଇକେଲ୍ ଡଗ୍ଲାସ୍ଙ୍କୁ ପ୍ରଦାନ କରାଯିବ । ମନ୍ତ୍ରୀ କହିଛନ୍ତି ଯେ ଆଇଏଫ୍ଏଫ୍ଆଇର ଅନ୍ତର୍ଜାତୀୟ ବିଭାଗରେ ପ୍ରାପ୍ତ ଚଳଚ୍ଚିତ୍ର ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି ଏବଂ ଏହା ଆଇଏଫ୍ଏଫ୍ଆଇ ପ୍ରତି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଶିଳ୍ପର ଆକର୍ଷଣର ପ୍ରତିଫଳନ ।
ନୂତନ ଭାବେ ଆରମ୍ଭ ହୋଇଥିବା ଓଟିଟି ପୁରସ୍କାର ବାବଦରେ ସେ କହିଛନ୍ତି, କୋଭିଡ-୧୯ ମହାମାରୀ ପରଠାରୁ ଭାରତରେ ଓଟିଟି ଶିଳ୍ପରେ ଉନ୍ନତି ଘଟିଛି ଏବଂ ଭାରତରେ ସୃଷ୍ଟି ହୋଇଥିବା ମୂଳ ବିଷୟବସ୍ତୁ ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଛି। ବାର୍ଷିକ ୨୮% ଅଭିବୃଦ୍ଧି ହେଉଥିବା ଏହି କ୍ଷେତ୍ରର ଗତିଶୀଳ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମରେ ଉତ୍କୃଷ୍ଟ ବିଷୟବସ୍ତୁ ନିର୍ମାତାମାନଙ୍କୁ ସମ୍ମାନ ଜଣାଇ ଏହି ପୁରସ୍କାର ଆରମ୍ଭ କରିଛି । ୧୫ଟି ଓଟିଟି ପ୍ଲାଟଫର୍ମରୁ ୧୦ଟି ଭାଷାରେ ମୋଟ ୩୨ଟି ଏଣ୍ଟ୍ରି ମିଳିଛି ଏବଂ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।
ଏହି ମହୋତ୍ସବରେ ୪ଟି ସ୍ଥାନରେ ୨୭୦ରୁ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ । ୫୪ତମ ଆଇଏଫ୍ଏଫ୍ଆଇର ଅନ୍ତର୍ଜାତୀୟ ବିଭାଗରେ ୧୯୮ଟି ସିନେମା ରହିବ, ଯାହାର ସଂଖ୍ୟା ୫୩ତମ ଆଇଏଫ୍ଏଫ୍ଆଇଠାରୁ ୧୮ ଅଧିକ । ଏଥିରେ ୧୩ଟି ବିଶ୍ୱ ପ୍ରିମିୟର, ୧୮ଟି ଅନ୍ତର୍ଜାତୀୟ ପ୍ରିମିୟର, ୬୨ଟି ଏସିଆ ପ୍ରିମିୟର ଏବଂ ୮୯ଟି ଇଣ୍ଡିଆ ପ୍ରିମିୟର ରହିବ ।
ଚଳିତବର୍ଷ ଆଇଏଫ୍ଏଫ୍ଆଇକୁ ୧୦୫ଟି ଦେଶରୁ ରେକର୍ଡ ସଂଖ୍ୟକ ୨୯୨୬ଟି ଏଣ୍ଟ୍ରି ମିଳିଛି, ଯାହା କି ପୂର୍ବବର୍ଷ ତୁଳନାରେ ୩ ଗୁଣ ଅଧିକ । ଇଣ୍ଡିଆନ ପାନୋରାମା ବିଭାଗରେ ଭାରତର ୨୫ଟି ଫିଚର ଫିଲ୍ମ ଓ ୨୦ଟି ନନ୍-ଫିଚର ଫିଲ୍ମ ପ୍ରଦର୍ଶନ ହେବ । ଚଳିତବର୍ଷ ଶ୍ରେଷ୍ଠ ୱେବ ସିରିଜ ପୁରସ୍କାର ଓଟିଟି ପ୍ଲାଟଫର୍ମର ସମୃଦ୍ଧ ବିଷୟବସ୍ତୁ ଏବଂ ଏହାର ନିର୍ମାତାମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେବା, ଉତ୍ସାହିତ କରିବା ଓ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ।