ଅଗରତାଲା: ଅନ୍ତର୍ଜାତୀୟ ସୀମା ଡେଇଁ ତ୍ରିପୁରାରେ ପ୍ରବେଶ କରିଥିବା ୧୪ ଜଣ ବାଂଲଶଦେଶୀଙ୍କୁ ପୋଲିସ ଗିରଫ କରିଛି । ଶନିବାର ଦିନ ବାଂଲାଦେଶର ଲୋକମାନେ ସୀମା ପାର ହୋଇ ଭାରତରେ ପ୍ରବେଶ କରିଥିବା ଜଣାପଡ଼ିଥିଲା। ଏନେଇ ଛାନଭିନ କଲାପରେ ରବିବାର ୧୪ ବାଂଲଶଦେଶୀଙ୍କ ସମେତ ଅନ୍ୟ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଦକ୍ଷିଣ ତ୍ରିପୁରାରେ ଥିବା ବୈଷ୍ଣବପୁର ଗାଁରେ ଅନୁପ୍ରବେଶକାରୀ ଶରଣ ନେଇଥିଲେ । ସେମାନଙ୍କୁ ସୀମା ପାର କରାଇବାକୁ ସାହାଯ୍ୟ କରିଥିବା ଦୁଇ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସାବରୁମ୍ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ବାଂଲଦେଶୀଙ୍କ ପାଖରୁ ଦୁଇଟି ମୋବାଇଲ ଫୋନ୍ ଏବଂ ଭାରତୀୟ ଟଙ୍କା ଜବତ କରାଯାଇଛି । ବାଂଲାଦେଶର ୬ଟି ଭିନ୍ନ ଭିନ୍ନ ସ୍ଥାନରୁ ୧୪ ଜଣ ଭାରତ ଆସିଥିଲେ । ସେମାନଙ୍କ ମଧ୍ୟରେ ନୁଶକର ଜାହାଁ (୨୩), ରାଇସା ଜାହାଁ(୦୪), ସାଇକା ଜାହାଁ (୮ ମାସ) ରହିଛନ୍ତି । ସେହିଭଳି ବାଂଲାଦେଶର ଶରମଖୋଲା ଅଞ୍ଚଳରୁ ତନୀଶା ଅଖତର (୨୩), ଓ୍ବାହିଦ ହୁସେନ(୨), ଢ଼ାକାର ମୁଜିବୁର ମର୍କତ ଏବଂ ଲାଇଜୁ ବେଗମ (୩୦), ରାଇହାନ ହାଓ୍ବାଲଦାର(୧୩), ଜାହାନ ହାଓ୍ବାଲଦାର(୧୦), ହରି ଅଖତର (୦୩) ଭାରତ ପ୍ରବେଶ କରିଥିଲେ ।
ସେମାନଙ୍କ ବ୍ୟତୀତ ରାଜାପୁର ଅଞ୍ଚଳର ଅପସାନା ଅଖତର, ବାଗେରହାଟ ଶରଲଖୋଲାର ସାଇଦୁଲ ଇସ୍ଲାମ, ସାଇଦାବାଦରୁ ରୁବେଲ ଶେଖ ଏବଂ ଖୁଲନାରୁ ଇସମାଇଲ ଶେଖ ସୀମା ଡେଇଁ ଭାରତରେ ପହଞ୍ଚିଥିଲେ । ଅନୁପ୍ରବେଶକାରୀଙ୍କ ମଧ୍ୟରେ ଅନେକ ଶିଶୁ ଏବଂ ମହିଳା ରହିଛନ୍ତି । ତେବେ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ବିଦେଶୀ ଆକ୍ଟ ଏବଂ ପାସପୋର୍ଟ ଆକ୍ଟ ଜରିଆରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି ।