ଓ୍ବାଶିଂଟନ ଡିସି: ପାଲେଷ୍ଟାଇନର କ୍ଷେତ୍ର ଗାଜାରେ ଇସ୍ରାଏଲ ସେନା ପକ୍ଷରୁ ଆକ୍ରମଣ ଜାରି ରହିଛି । ଏପରିକି ଗାଜାକୁ ଚାରିପଟୁ ଘେରି ରଖିଛି ଇସ୍ରାଏଲ । ସେଠାରେ ପାଣି, ଖାଦ୍ୟ ଏବଂ ବିଜୁଳି ଯୋଗାଣ ମଧ୍ୟ ବନ୍ଦ ରହିଛି । ଏଭଳି ସ୍ଥିତିରେ ଇସ୍ରାଏଲ ଗାଜାକୁ ନିଜ ନିୟନ୍ତ୍ରଣକୁ ନେଇଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏନେଇ ଇସ୍ରାଏଲ ପକ୍ଷରୁ ମଧ୍ୟ ମଝିରେ ମଝିରେ ସଂକେତ ମିଳୁଛି । ଯାହାକୁ ନେଇ ଆମେରିକା ଉଦବେଗ ପ୍ରକାଶ କରିଛି।
ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଇସ୍ରାଏଲକୁ ତାଗିଦ କରିଛନ୍ତି । ଏବେ ନୁହେଁ କିମ୍ବା ଯୁଦ୍ଧ ଶେଷ ହେଲା ପରେ ଗାଜାକୁ ନିଜ କବଜାକୁ ଆଣିପାରିବ ନାହିଁ ଇସ୍ରାଏଲ । ଜାପନାରେ ଅନୁଷ୍ଠିତ ଜି-୭ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରୁ ଏଭଳି କହିଛନ୍ତି ଆଣ୍ଟୋନି ବ୍ଲିଙ୍କେନ୍ । ଗାଜାରେ ଶାନ୍ତି ପ୍ରତିଷ୍ଠା ଲାଗି ମଧ୍ୟ ସେ କେତେକ ପ୍ରସ୍ତାବ ରଖିଛନ୍ତି । ଗାଜାରୁ ପାଲେଷ୍ଟାଇନ ନାଗରିକଙ୍କୁ ଜୋର ଜବରଦସ୍ତି ବିତାଡ଼ିତ କରାଯାଇପାରିବ ନାହିଁ । ଗାଜାକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ଯୁଦ୍ଧ ବନ୍ଦ ହେଲା ପରେ ବି ଗାଜା ଉପରେ ପୁଣି ଥରେ ନିୟନ୍ତ୍ରଣ ଜାହିର କରିପାରିବ ନାହିଁ ଇସ୍ରାଏଲ । ଏପରିକି ଗାଜାକୁ ଘେରାବନ୍ଦୀ କରାଯାଇପାରିବ ନାହିଁ ବୋଲି ବ୍ଲିଙ୍କେନ କହିଛନ୍ତି ।
ସେପଟେ ଜି-୭ ଦେଶର ବୈଦେଶିକ ମନ୍ତ୍ରୀମାନେ ଗାଜାକୁ ମାନବୀୟ ସହାୟତା ଯେଉଁଭଳି ନିରନ୍ତର ଭାବେ ମିଳିପାରିବ ତାଉପରେ ଗୁରୁତ୍ବାରୋପ କରିଛନ୍ତି । ସହାୟତା ପାଇଁ ରାସ୍ତା ଖୋଲିବା ଦରକାର ବୋଲି କହିବା ସହ ଗାଜାର ବାସିନ୍ଦାଙ୍କୁ ସାହାଯ୍ୟ ଏବଂ ସହଯୋଗ ଯୋଗାଇବା ଜାରି ରଖିବାର ଆବଶ୍ୟକତା ଥିବା ନେଇ ସେମାନେ କହିଛନ୍ତି । ଜାପାନର ବୈଦେଶିକ ମନ୍ତ୍ରୀ ୟୋକୋ କାମିକାଓ୍ବା କହିଛନ୍ତି ଯେ, ଜି-୭ର ଏହି ବୈଠକରେ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ।
ଏହା ସହ ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ଦ୍ବାରା ଆକ୍ରମଣକୁ ସେ ନିନ୍ଦା କରିଛନ୍ତି । ହେଲେ ଗାଜାରେ ରହୁଥିବା ସାଧାରଣ ନାଗରିକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବୈଦେଶିକ ମନ୍ତ୍ରୀମାନଙ୍କ ସନ୍ଦେଶ ବିଲୁକୁଲ ଠିକ୍ ବୋଲି ସେ କହିଛନ୍ତି । ସେପଟେ ଏହି ବୈଠକରେ ଋଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା ହୋଇଛି । ୟୁକ୍ରେନର ପ୍ରତିଆକ୍ରମଣ ଏବଂ ଏହାର ସ୍ବାଧୀନତା ଉପରେ ଗୁରୁତ୍ବରୋପ କରାଯାଇଛି । ଏହି ବୈଠକରେ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ମଧ୍ୟ ଯୋଗ ଦେଇଥିଲେ ।