ଆଠଗଡ଼,୧୬/୧୦ ଆଠଗଡ଼ ବିଜେପି ଶିବିରରେ ଗୋଷ୍ଠୀ ବିବାଦ ଦୀର୍ଘ ଦିନ ଲାଗି ରହିଛି । ବିଶେଷ କରି ପୂର୍ବତନ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର ରାଏ ଓ ଯୁବନେତା ଅଭୟ ବାରିକଙ୍କ ଶିବିର ମଧ୍ୟରେ ଆରୋପ, ଆକ୍ଷେପକୁ ନେଇ ଅତୀତରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା । କିନ୍ତୁ ବୁଧବାର ଦୀର୍ଘଦିନ ପରେ ଦୁଇ ନେତା ଦଳୀୟ ସ୍ୱାର୍ଥରେ ଏକାଠି ହୋଇଥିବା ଦେଖିବାକୁ ମିଳିଛି । ଆଠଗଡ଼ରେ ଶାସକ ଦଳ ବିରୋଧରେ ସଭାରେ ଗୋଟିଏ ଜାଗାରେ ବସି ଦୁହେଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ରଙ୍କ ଉପସ୍ଥିତିରେ ଆଜି ଆଠଗଡ଼ରେ ହୋଇଥିବା ଜନଆକ୍ରୋଶ ଆନ୍ଦୋଳନରେ ଦୁଇ ଶିବିର ନେତା ଏକାଠି ହେବା ଚର୍ଚ୍ଚା ସୃଷ୍ଟି କରିଛି ।
ଗତ କିଛି ଦିନ ଧରି ଆଠଗଡ଼ରେ ରାଜନୈତିକ ପାଣିପାଗରେ ଉଷ୍ମତା ଭରିଛି । ପ୍ରଥମେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଏବଂ ପରେ ଆବାସ କେଳେଙ୍କାରୀକୁ ନେଇ ବିରୋଧୀ ମୁଦ୍ଦା କରିଛନ୍ତି । ସେହିପରି ମନରେଗା ଠାରୁ ଆରମ୍ଭ କରି ଭତ୍ତା ପର୍ଯ୍ୟନ୍ତ ସବୁଠି ପିସି କାରବାର ଚାଲିଥିବା ଅଭିଯୋଗ ହୋଇଛି । ଆଠଗଡ଼ ବ୍ଲକ୍ କାର୍ଯ୍ୟାଳୟ ଏହି ସବୁ କାରବାରର ମୁଖ୍ୟ କେନ୍ଦ୍ର ପାଲଟିଛି । ବିଜେଡି ସରକାର ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ବିଜେପି ପକ୍ଷରୁ ହେଉଥିବା ଜନଆକ୍ରୋଶ ଆନ୍ଦୋଳନ ଆଜି ଆଠଗଡ଼ ବ୍ଲକ୍ ସମ୍ମୁଖରେ କରାଯାଇଥିଲା ।
ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଆଠଗଡ଼ ଜଗନ୍ନାଥ ମନ୍ଦିରଠାରୁ ବାହାରି ସହର ପରିକ୍ରମା କରିବା ପରେ ବ୍ଲକ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଛାମୁଆ ନେତା । ବିଶେଷ କରି ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୀର୍ଘ ବର୍ଷ ଧରି ଆଠଗଡ଼ ଶାସନ ଦାୟିତ୍ୱରେ ରହିଥିବା କାରଣରୁ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢ଼ିଥିବା ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଥିଲେ । ଏମାନଙ୍କୁ ଶାସନ ଗାଦିରୁ ହଟାଇ ଆଠଗଡ଼ବାସୀ ବିଜେପିକୁ ବିଶ୍ୱାସକୁ ନିଅନ୍ତୁ ବୋଲି ସେ ଆଠଗଡ଼ବାସୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ମହିଳା ମୋର୍ଚ୍ଚା ଉପସଭାପତି ଇଲା ପଣ୍ଡା, କଟକ ଲୋକସଭା ମଣ୍ଡଳୀ ସଂଯୋଜକ ସୁକାନ୍ତ ବିଶ୍ୱାଳ, ବ୍ରଜେନ୍ଦ୍ର ରାଏ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ତେବେ ଗୋଟିଏ ମଞ୍ଚରେ ବ୍ରଜେନ୍ଦ୍ର ଓ ଅଭୟଙ୍କ ବିଜେଡିକୁ ମିଳିତ ଆକ୍ରମଣ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ଏହାପୂର୍ବରୁ ଉଭୟଙ୍କୁ କୌଣସି ଗୋଟିଏ ମଞ୍ଚରେ ଦେଖିବାକୁ ମିଳିନଥିଲା । ଏମିତିକି ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମରେ ମଧ୍ୟ ବ୍ରଜେନ୍ଦ୍ର ରାଏଙ୍କୁ ଦେଖିବାକୁ ମିଳିନଥିଲା । ଯଦିଓ ସେ ମହାଳୟା ଶ୍ରାଦ୍ଧ ଅର୍ପଣ କରିବାକୁ ପୁରୀ ଯାଇଥିବା ନେଇ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ । ପରେ ଏହାକୁ ନେଇ ଅନେକ ରାଜନୈତିକ ଆଲୋଚନା ଜାରି ରହିଥିବା ବେଳେ ଉଭୟ ବ୍ରଜେନ୍ଦ୍ର ଓ ଅଭୟ ଗୋଟିଏ ମଞ୍ଚରେ ଏକାଠି ହେବା ଆଠଗଡ଼ ବିଜେପି ଶିବିର ସଂଗଠିତ ଥିବାର ସୂଚନା ଦେଉଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂତନ ରାଉତ, ତପନ ଲେଙ୍କା, ସରୋଜ ଦାସ, ନଚିକେତା ପରମାଣିକ ପ୍ରମୁଖ ସହଯୋଗ କରିଥିଲେ ।