ନୂଆଦିଲ୍ଲୀ,୦୨/୦୯: କୌଣସି ଅବୈଧ ବିବାହରୁ ଜନ୍ମିତ ଶିଶୁ ବୈଧ ଏବଂ ସେମାନେ ମାତାପିତାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକ୍ଦାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏପରି ମାମଲାରେ ଝିଅମାନଙ୍କ ମଧ୍ୟ ସମାନ ଅଧିକାର ରହିବ । ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୨୦୧୧ ମସିହାର ରେୱନାସିଦ୍ଦପ୍ପା ବନାମ ମଲ୍ଲିକାର୍ଜୁନ ମାମଲାର ଶୁଣାଣି କରି ଏହା କହିଛନ୍ତି । ଏହି ନିଷ୍ପତ୍ତି କେବଳ ହିନ୍ଦୁ ମିତାକ୍ଷରା ଆଇନ ଦ୍ୱାରା ଶାସିତ ହିନ୍ଦୁ ସଂଯୁକ୍ତ ପରିବାରର ସମ୍ପତି ଉପରେ ଲାଗୁ ହେବ । ୩ ବିଚାରପତିଙ୍କ ଏହି ଖଣ୍ଡପୀଠ ୨୦୧୧ ମସିହାର ଏହି ମାମଲାରେ ଦୁଇ ବିଚାରପତିଙ୍କ ଖଣ୍ଡପୀଠଙ୍କ ବିଚାର ବିରୋଧରେ ଆଗତ ପିଟିସନର ଶୁଣାଣି କରୁଥିଲେ ।
ପୂର୍ବ ରାୟରେ ମଧ୍ୟ ଖଣ୍ଡପୀଠ କହିଥିଲେ ଯେ, ଅବୈଧ ବା ଅମାନ୍ୟ ବିବାହରୁ ଜନ୍ମିତ ଶିଶୁ ନିଜ ମାତାପିତାଙ୍କ ସମ୍ପତ୍ତି ପାଇବାକୁ ଯୋଗ୍ୟ, ତାହା ସେମାନଙ୍କ ସ୍ୱଅର୍ଜିତ ହେଉ କି ପୈତୃକ । ଏହି ମାମଲା ସମ୍ପ୍ରତି ଲାଗୁ ଥିବା ହିନ୍ଦୁ ବିବାହ ଆଇନ ୧୯୫୫ ଧାରା ୧୬(୩)ର ବାଖ୍ୟା ସହ ସମ୍ବନ୍ଧିତ, ଯାହା କି ଅବୈଧ ବିବାହରୁ ଜନ୍ମିତ ଶିଶୁକୁ ବୈଧ ମାନ୍ୟତା ଦେଇଥାଏ । ଏହି ଧାରାରେ ଆହୁରି କୁହାଯାଇଛି ଯେ, ଏହି ଶିଶୁମାନେ କେବଳ ନିଜ ମାତାପିତାଙ୍କ ସମ୍ପତ୍ତି ପାଇବାକୁ ହକଦାର, ଅନ୍ୟ କୌଣସି ସହଦାୟିକ ଅଂଶରେ ସେମାନଙ୍କ କୌଣସି ଭାଗ ନାହିଁ ।