ମନମୁଣ୍ଡା,୪/୧୧ : ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ମନମୁଣ୍ଡା ପୁଲିସ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ଥାନା ବିଲାସପୁର ପଞ୍ଚାୟତ ଥାଟିପାଲି ଗ୍ରାମର ସର୍ବେଶ୍ଵର ଜାନୀ(୪୩) ଏବଂ ବଡ଼ଯୁନାନି ଗ୍ରାମର କୃପାସିନ୍ଧୁ ପ୍ରଧାନ(୩୫)ବୋଲି ଆଇଆଇସି ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ କୋଲକାତା ସଂକ୍ରେନ୍ ଥାନା ପୁଲିସ କେତେକ ଅଭିଯୁକ୍ତକୁ ବିପୁଳ ପରିମାଣର ଗଞ୍ଜେଇ ସହ ଗିରଫ କରିଥିଲେ । ସେ ନେଇ ସେହି ଥାନାରେ ଦୁଇଟି ମାମଲା ନଂ ଯଥାକ୍ରମେ ୨୯୨/୨୩ ଏବଂ ୩୩୧/୨୩ରେ ମାମଲା ରୁଜୁ କରାଯାଇଥିଲା । ସେଠିକାର ପୁଲିସ ଗିରଫ ଅଭିଯୁକ୍ତମାନଙ୍କୁ ଜେରା କରିବାରେ ସେମାନେ ଉପରୋକ୍ତ ଲିଖିତ ଦୁଇ ଅଭିଯୁକ୍ତଙ୍କଠାରୁ ଗଞ୍ଜେଇ ଆଣିଥିବା ପ୍ରକାଶ କରିଥିଲେ। ଏହି ଦୁଇଜଣ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସେଠିକାର ପୁଲିସ ପ୍ରମାଣ ପାଇଥିଲା ଓ ଶୁକ୍ରବାର ମନମୁଣ୍ଡା ଥାନାକୁ ଆସି ତାହା ଜଣାଇଥିଲେ । ମନମୁଣ୍ଡା ଆଇଆଇସି ଭାବାନନ୍ଦ ପ୍ରଧାନ ଶୁକ୍ରବାର ରାତିରେ ଏକ ଟିମ୍ ଗଠନ କରି ଚଢ଼ଉ ଅଭିଯାନ କରିଥିଲେ । ଜଙ୍ଗଲ ଅଞ୍ଚଳରେ ବୁଲି ଉକ୍ତ ଦୁଇ ଅଭିଯୁକ୍ତକୁ ରାତି ପ୍ରାୟ ୨ଟା ସମୟରେ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲେ ।
ମନମୁଣ୍ଡା ପୁଲିସ ଆଜି ଉକ୍ତ ଦୁଇ ଅଭିଯୁକ୍ତକୁ କୋଲକାତା ସଂକ୍ରେନ ପୁଲିସକୁ ହସ୍ତାନ୍ତର କରିଥିଲେ । ସଂକ୍ରେନ ପୁଲିସ ଆଜି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ କଣ୍ଟାମାଳ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କଠାରେ ଉପସ୍ଥିତ କରାଇବା ପୂର୍ବକ ସେମାନଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେଇଥିବା ଆଇଆଇସି ଶ୍ରୀ ପ୍ରଧାନଙ୍କଠାରୁ ଜାଣିବାକୁ ମିଳିଛି । ପ୍ରକାଶ ଥାଉକି, ୨୦୧୪ମସିହାରେ ମନମୁଣ୍ଡା ଥାନା ବିକ୍ରମପୁରରେ ଘଟିଥିବା ହତ୍ୟାକାଣ୍ଡରେ ଗିରଫ ହୋଇଥିବା ସର୍ବେଶ୍ଵର ଜାନୀ ମୁଖ୍ୟ ଅଭିଯୁକ୍ତ ଥିଲା ଓ ସେ ଜାମିନରେ ଆସିଛି ଏବଂ ଉକ୍ତ ମାମଲା ଟ୍ରାଇଲ ଚାଲିଛି ବୋଲି ଆଇଆଇସି କହିଛନ୍ତି।