ଶୁଭନାରାୟଣ ଶତପଥୀ ବିଜିପୁର, ବ୍ରହ୍ମଗିରି/ପୁରୀ : ପ୍ରାଚୀନ ସୌରଝଡ଼ର ପ୍ରମାଣ ରଖିଥାଏ ବରଫ । ବରଫ ଖଣ୍ଡରେ ଥିବା ରେଡିଓଧର୍ମୀ ରସାୟନ ତଥା ଟେଲ୍ଟେଲ୍ ଆଇସୋଟପର ବିଶ୍ଳେଷଣରୁ ଜଣାଯାଏ ପ୍ରାୟ ୯୨୦୦ ବର୍ଷ ପୂର୍ବରୁ ପୃଥିବୀ ଉପରେ ଏକ ବିଶାଳ ସୌରଝଡ଼ ସଂଗଠିତ ଥିଲା । ସ୍ୱିଡେନର ଲୁଣ୍ଡ ବିଶ୍ୱବିଦ୍ୟାଳୟର ଭୂ-ବିଜ୍ଞାନର ପ୍ରଫେସର ରାୟମୁଣ୍ଡ ମସ୍କେଲାରଙ୍କ ଅନୁଯାୟୀ ଅଧିକାଂଶ ଉଚ୍ଚ ଉର୍ଜାର ସଂପର୍ଣ୍ଣ ଘଟଣା ଭୂଚୁମ୍ବକୀୟ ତୋଫାନ ସହ ଯୋଡ଼ି ହୋଇଥାଏ । ଯାହାର ପରିଣାମସ୍ୱରୂପ ଉଚ୍ଚ ଉର୍ଜା କଣିକାର ଏକ ବିଶାଳ ପ୍ରବାହ ପୃଥିବୀ ସହିତ ଧକ୍କା ହୋଇଥିଲା । ଏହା ପ୍ରୋଟୋନ, ଇଲେକ୍ଟ୍ରୋନ ଓ ଆୟନର ଏକ ସୌରଝଡ଼ ଥିଲା । ଏହି ପରିବେଶରେ ବେରିଲିୟମ ଓ କ୍ଲୋରିନର ବିଶିଷ୍ଟ ରେଡିଓଧର୍ମୀ ଲକ୍ଷଣର ସୃଷ୍ଟିହେଲା । ଫଳରେ ଏହି ଆଇସୋଟପ ବରଫପାତ ସହିତ ମିଶି ଭୂମିରେ ପଡ଼ିବା ପରେ ପ୍ରାଚୀନ ବରଫ ପରସ୍ତରେ ସଂରକ୍ଷିତ ହୋଇରହିଗଲା । ଏହାକୁ ସୌର ଉର୍ଜାବାନ କଣିକା କୁହାଗଲା ।
ତେବେ ନକ୍ଷତ୍ରପୁଞ୍ଜ ଗାମାକିରଣ ବିସ୍ଫୋରଣ ଓ ସୁପରନୋଭାର ରାସାୟନିକ ସଂକେତ ବରଫରେ ରହିଯାଏ । ଏଣୁ ଅନୁସନ୍ଧାନକାରୀମାନେ ଆଂଣ୍ଟାର୍କଟିକା ଓ ଗ୍ରୀନ୍ଲ୍ୟାଣ୍ଡ ବରଫ ଚଦରକୁ ଛିଦ୍ରକରି ଏହା ଜାଣିପାରିଥିଲେ । ଏହିପରି ଘଟଣା ସଂଗଠିତ ହେଲେ ଏହା ଏକ ବିପର୍ଯ୍ୟୟ ଆଣିବ, ଯେଉଁଥିରେ ବିଜୁଳି ଗ୍ରୀଡ୍, ଉପଗ୍ରହ, ସଂଚାର ନେଟ୍ୱର୍କ କ୍ଷେତ୍ର ନଷ୍ଟି ହେବାର ସମ୍ଭାବନା ରହିଥାଏ । ତେବେ ସେହି ସମୟର ସୌରଝଡ଼ ବର୍ତ୍ତମାନ ସମୟରେ ଘଟୁଥିବା ସୌର ଝଡ଼ର ୧୦ଗୁଣ ଅଧିକ ବିଶାଳ । ଆଶ୍ଚର୍ଯ୍ୟର କଥାହେଲା ଖ୍ରୀଷ୍ଟପୂର୍ବ ୭୧୭୬ରେ ପ୍ରାୟ ପ୍ରତି ୧୧ ବର୍ଷର ସୌର ଗତିବିଧି ପରେ ସର୍ବନିମ୍ନ ସୌର ଗତିବିଧି ଶାନ୍ତ ଥିବାବେଳେ ଏପରି ଘଟଣା ଘଟିଥିଲା । ଏ ସମ୍ବନ୍ଧରେ ନାସାର ସୌର ପଦାର୍ଥବିଜ୍ଞାନୀ ଡିନ୍ ପେସ୍ନେଲ କୁହନ୍ତି ସୌର ଗତିବିଧି ଚକ୍ରର ଆରମ୍ଭ ସମୟରେ ସୌର ଝଡ଼ ହୋଇପାରେ ।
ଦୁଇ କ୍ଷେତ୍ରର ବରଫ ଟୁକୁଡ଼ାରେ ଖ୍ରୀଷ୍ଟାବ୍ଦ ୯୯୪, ୭୭୫ ଏବଂ ଖ୍ରୀଷ୍ଟ ପୂର୍ବ ୬୬୦ରେ ସୌର ଉର୍ଜାବାନ କଣିକା ପାଇଥିଲେ, ଯାହା ସୌରଝଡ଼ ସହିତ ଜଡ଼ିତ ଥିଲା । ୧୮୫୯, ୧୯୮୯, ୨୦୦୩ ମସିହାରେ ସଂଗଠିତ ସୌରଝଡ଼ ଦ୍ୱାରା ମଧ୍ୟ ପୃଥିବୀରେ ବୈଦ୍ୟୁତିକ, ସିପ୍ ନାଭିଗେସନ, ଯୋଗାଯୋଗ ଆଦି କ୍ଷତିଗ୍ରସ୍ତ ହୋଇଥିଲା । ଏହି ସୌର ଝଡ଼କୁ ୧୮୫୯ ମସିହାରେ କାରିଙ୍ଗଟନ ଇଭେଣ୍ଟ ଓ ୨୦୦୩ ମସିହାରେ ହାଲୋୱିନ୍ ତୋଫାନ କୁହଗଲା । ତୀବ୍ର ବିକିରଣ ଓ ବିସ୍ଫୋରଣ କାରଣରୁ ଅନ୍ତରୀକ୍ଷ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ତେବେ ଏ ପର୍ଯ୍ୟନ୍ତ ସୌରଝଡ଼ ଯୋଗୁଁ ପୃଥିବୀରେ ଅଧିକ କିଛି କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳେ ।