ପ୍ରମୁଖ ଖବର
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ଅକ୍ଷୟ ଶକ୍ତିକୁ ନୂଆ ବଳ: ଭାରତକୁ ଲୋଡ଼ା ୨୪ ଲକ୍ଷ କୋଟି, ୨୦୭୦ ସୁଦ୍ଧା ‘ନେଟ୍‌ ଜିରୋ’ ଲକ୍ଷ୍ୟ

ନୂଆଦିଲ୍ଲୀ,୦୩/୧୨: ଅକ୍ଷୟ ଶକ୍ତି  ଉତ୍ପାଦନ ୩ ଗୁଣା କରିବାକୁ କପ୍‌-୨୮  ଜଳବାୟୁ ସମ୍ମିଳନୀରେ ସହମତି ପ୍ରକାଶ  ପାଇଥିବା ବେଳେ ଭାରତ ଏଥିରେ ସମ୍ପୂର୍ଣ୍ଣ  ହଁ ଭରିବାକୁ ପଛଘୁଞ୍ଚା ଦେଇଛି । କାରଣ  ଏହି ରାସ୍ତାରେ ବାଧକ ସାଜିଛି ପାଣ୍ଠି । ଭାରତ  ପ୍ରକୃତରେ ୨୦୩୦ ସୁଦ୍ଧା ଏହାର ଅକ୍ଷୟ  ଶକ୍ତି ଉତ୍ପାଦନ ୩ ଗୁଣା ବୃଦ୍ଧି ପାଇଁ ଲକ୍ଷ୍ୟ  ରଖିଛି । କିନ୍ତୁ ଏହି ମହତ୍‌ ଉଦ୍ଦେଶ୍ୟ ହାସଲ  ନିମନ୍ତେ ୨୯,୩୦୦ କୋଟି ଡଲାର (ପ୍ରାୟ  ୨୪ ଲକ୍ଷ କୋଟି ଟଙ୍କା) ଆବଶ୍ୟକ ପଡ଼ିବ । 

ଗ୍ଲୋବାଲ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ‘ଏମ୍ବର୍‌’ ଦ୍ୱାରା ପ୍ରକାଶିତ  ଏକ ସଦ୍ୟ ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ଆହୁରି  ଦର୍ଶାଇଛି ଯେ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ)ର ପ୍ରସ୍ତାବିତ  ନେଟ୍‌ ଜିରୋ ଲକ୍ଷ୍ୟ ଅନୁପାତରେ ଭାରତ ଯଦି ଏହାର ଅକ୍ଷୟ ଶକ୍ତି  ଉତ୍ପାଦନ ବୃଦ୍ଧି କରେ, ତେବେ ଏଥିଲାଗି ଭାରତକୁ ଅତିରିକ୍ତ ୧୦  ହଜାର କୋଟି ଡଲାର(୮.୫ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ କରିବାକୁ  ପଡ଼ିବ । ଦେଶ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବ । 

ଆଇଇଏ  ପ୍ରସ୍ତାବ ଅନୁସାରେ ୨୦୫୦ ସୁଦ୍ଧା ଶୂନ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ  ରହିଛି । ଏହା ଭାରତ ପକ୍ଷେ ସମ୍ଭବ ହେବନାହିଁ । କୋଇଲା,  ପ୍ରାକୃତିକ ଗ୍ୟାସ୍‌ ଭଳି ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭର  କରୁଥିବା ଭାରତ ଉପରେ ଚାପ ବଢୁଥିଲେ ବି ଏହା ସହଜ ନୁହେଁ ।  ତେଣୁ ୨୦୭୦ ସୁଦ୍ଧା ଭାରତ ନେଟ୍‌ ଜିରୋ ଲକ୍ଷ୍ୟ ହାସଲ କରିବାକୁ  ଚାହୁଁଛି । ଆର୍ଥିକ ବାଧା ରହିଥିଲେ ବି ଭାରତ ଏହାର ଅକ୍ଷୟ ଶକ୍ତି  ଉତ୍ପାଦନ ଆଖିଦୃଶିଆ ଭାବେ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ  କରିଛି । ଏଥିଲାଗି ଅକ୍ଷୟ ଶକ୍ତି ଉତ୍ପାଦନ ୩ ଗୁଣା କରିବାକୁ  ଚାହୁଁଛି ଦେଶ । କିନ୍ତୁ ୨୦୫୦ ସୁଦ୍ଧା ନେଟ୍‌ ଜିରୋ ଅଙ୍ଗାରକ ନିର୍ଗମନ  ଲକ୍ଷ୍ୟ ସମ୍ଭବ ହେବନାହିଁ । ଭାରତ ଯଦି ଆଇଇଏର ଯୋଜନା  ପାଳନ କରିବାକୁ ଚାହେଁ, ତେବେ ଏହାକୁ ବଡ଼ ଲକ୍ଷ୍ୟ ଧାର୍ଯ୍ୟ  କରିବାକୁ ପଡ଼ିବ । ଏହାର ଅର୍ଥ ୨୦୩୦ ସୁଦ୍ଧା ଦେଶ ସୌର ଶକ୍ତିରୁ  ୩୨% ଓ ପବନରୁ ୧୨% ବିଦ୍ୟୁତ୍‌ ଉତ୍ପାଦନ କରିବାକୁ ହେବ । 

ଏହି ଲକ୍ଷ୍ୟ ହାସଲ ଲାଗି ଭାରତ ୨୦୩୦ ସୁଦ୍ଧା ୧୧୫ ଗିଗାୱାଟ୍‌  ସୌର ଏବଂ ୯ ଗିଗାୱାଟ୍‌ ପବନ ଶକ୍ତି କ୍ଷମତା ଯୋଡ଼ିବାକୁ ପଡ଼ିବ । ଏହାଦ୍ୱାରା ୨୦୩୦ ସୁଦ୍ଧା ଦେଶର ମୋଟ ଅକ୍ଷୟ ଶକ୍ତି ଉତ୍ପାଦନ  କ୍ଷମତା ୪୪୮ ଗିଗାୱାଟ୍‌ (ସୌର) ଏବଂ ୧୨୨ ଗିଗାୱାଟ୍‌ (ପବନ) କୁ ବୃଦ୍ଧି ପାଇବ । ୨୦୩୦ ପାଇଁ ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ଭାରତର  ସଂସ୍ଥାପିତ ବିଜୁଳି କ୍ଷମତାକୁ ୫୦୦ ଗିଗାୱାଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ ନିମନ୍ତେ ୨୦୨୩ରୁ ୨୦୩୦  ମଧ୍ୟରେ ଭାରତ ୨୯,୩୦୦ କୋଟି ଡଲାର ଦରକାର କରିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦୁବାଇ କପ୍‌-୨୮  ସମ୍ମିଳନୀରେ ଉଦ୍‌ବୋଧନ ବେଳେ ଭାରତର ଲକ୍ଷ୍ୟ ବାବଦରେ  ସୂଚନା ଦେଇଛନ୍ତି । କହିଛନ୍ତି, ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ  ସମସ୍ତଙ୍କ ଭାଗୀଦାର ରହିବା ଦରକାର । ଆଜି ଭାରତ ପରିବେଶ ଓ ଅର୍ଥ ବ୍ୟବସ୍ଥା ମଧ୍ୟରେ ଉତ୍ତମ ତାଳମେଳ ରଖି ଉଦାହରଣ ସୃଷ୍ଟି କରିଛି ।  ଭାରତରେ ବିଶ୍ୱର ୧୭% ଜନସଂଖ୍ୟା ରହିଥିବା ସତ୍ତେ୍ୱ ବିଶ୍ୱ ଅଙ୍ଗାରକ  ନିଗର୍ମନରେ ଦେଶର ଭାଗୀଦାରି ୪%ରୁ କମ୍‌ ରହିଛି । ୨୦୩୦ ସୁଦ୍ଧା  ଅଣଜୀବାଶ୍ମ ଇନ୍ଧନ ଭାଗ ବଢ଼ାଇ ଏହା ୫୦% କରିବାକୁ ଲକ୍ଷ୍ୟ  ରହିଛି । ସେହିଭଳି ୨୦୭୦ ସୁଦ୍ଧା ଆମେ ନେଟ୍‌ ଜିରୋ ଲକ୍ଷ୍ୟ ରଖିଛୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.