ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୂଗୋଳ ଭଣ୍ଡାରର ଅଳନ୍ଧୁ ମଧ୍ୟରେ ଲୁକ୍କାୟିତ କୀର୍ତ୍ତନିଆ ବେଳାଭୂମି, ବିକାଶ କଥା ଭୁଲିଗଲେ ସରକାର

ଚନ୍ଦନେଶ୍ୱର, ୦୧/୧୨ : ପ୍ରାକୃତିକ ପ୍ରାବଲ୍ୟ ଯେଉଁଠି ସମ୍ପୂର୍ଣ୍ଣ ପରିସ୍ପୁଟ, ସାଗର ଶଯ୍ୟା ଯେଉଁଠି ବିସ୍ତାରିତ, ସ୍ୱର୍ଗୀୟ ସୁଷମା ଯେଉଁଠି ଆଭୂମି ପରିବ୍ୟାପ୍ତ ପର୍ଯ୍ୟଟନର ସେହି ପ୍ରମୁଖ ପୃଷ୍ଠଭୂମି "କୀର୍ତ୍ତନିଆ' ଏବେ ମଧ୍ୟ ଭୂଗୋଳ ଭଣ୍ଡାରର ଅଳନ୍ଧୁ ମଧ୍ୟରେ ଲୁକ୍କାୟିତ ହୋଇ ରହିଯାଇଛି । ରାଜ୍ୟରେ ୪୮୦ କିମି ସୁଦୀର୍ଘ ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲା ଭୋଗରାଇରେ ପ୍ରାୟ ୧୨ କିମିରୁ ଅଧିକ ରହିଛି। ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ଠାରୁ କୀର୍ତ୍ତନିଆ ପର୍ଯ୍ୟନ୍ତ ଏହି ସୁଦୀର୍ଘ ବେଳାଭୂମି ମଧ୍ୟରୁ ୨.୬ କିମିକୁ ବାଦ୍‌ ଦେଲେ ଅବଶିଷ୍ଟ ଅଞ୍ଚଳ ସମ୍ପୂର୍ଣ୍ଣ ଅଣଦେଖା ହୋଇ ପଡ଼ିରହିଛି । ତେବେ କୀର୍ତ୍ତନିଆର ବିକାଶ କଥା ସରକାର ପ୍ରତିଶ୍ରୁତି ଦେଇଥିଲେ ବି ଏବେ ଭୁଲି ଯାଇଥିବା ଲୋକେ ସମାଲୋଚନା କରନ୍ତି । 

ବଙ୍ଗୋପସାଗର ଓ ଖରସ୍ରୋତା ସୁବର୍ଣ୍ଣରେଖାର ମିଳନ ସ୍ଥଳ ଏହି ଅଞ୍ଚଳ । ଏଠାକାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୂର ରହିଥିବା ବେଳେ ଝାଉଁ ଜଙ୍ଗଲର ମହୁଲିଆ ପବନ, ଲାଲ କଙ୍କଡ଼ା ଓ ବିଦେଶାଗତ ପକ୍ଷୀ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜେ । ବିବରଣୀରୁ ପ୍ରକାଶ ଉଦୟପୁର, ତାଳସାରୀ ଭଳି କୀର୍ତ୍ତନିଆ ମଧ୍ୟ ମନୋରମ ବେଳାଭୂମି । ୨୦୧୫ ଅକ୍ଟୋବର ୧୯ରେ ଗଠିତ ହୋଇଥିବା ଉଦୟପୁର ତାଳସାରୀ ଉନ୍ନୟନ କର୍ତ୍ତୃପକ୍ଷରେ କୀର୍ତ୍ତନିଆକୁ ମଧ୍ୟ ସାମିଲ କରାଯାଇଥିଲା । ତେବେ ପରିତାପର ବିଷୟ ଉଦୟପୁର, ତାଳସାରୀ ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରୁଥିଲେ ମଧ୍ୟ କୀର୍ତ୍ତନିଆ ପାଇଁ ଟଙ୍କାଟିଏ ସହାୟତା ମିଳୁନାହିଁ । ସୁବର୍ଣ୍ଣରେଖାର ଗୋଟିଏ ପଟେ ବାଲିଆପାଳର ଚୌମୁଖ ରହିଥିବା ବେଳେ ଅନ୍ୟପଟେ କୀର୍ତ୍ତନିଆ । ୨୦୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୀର୍ତ୍ତନିଆରେ ବନ୍ଦର ନିର୍ମାଣ ପାଇଁ ଘୋଷଣା କରିଥିଲେ । ସେତେବେଳେ ଭୋଗରାଇବାସୀ ବେଶ୍‌ ଖୁସି ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଏହି ବନ୍ଦର ବାଲିଆପାଳ ପଟକୁ ଚାଲିଗଲା । ଲୋକେ ନିରାଶ ହେଲେ । ଏଠାରେ ଥିବା ମାଛଧରା ଜେଟି ଭୁଶୁଡ଼ି ପଡ଼ିଲାଣି । 

ସେହିପରି ମାତ୍ର ୭ଶହ ମିଟର ପଥର ବନ୍ଧ ହୋଇଥିବା ବେଳେ ବାକିତକ ମୁକୁଳା ପଡ଼ିଛି । ଚନ୍ଦନେଶ୍ୱର ଠାରୁ ପ୍ରାୟ ୧୫ କି.ମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥାନ ଅବହେଳିତ । ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ବିଚିତ୍ରପୁର ଇକୋ ଟୁରିଜିମ୍‌କୁ ଆସନ୍ତି । ଏହି ବାଟ ଦେଇ ଏସିଆର ସର୍ବ ବୃହତ ଶିବଲିଙ୍ଗ ବାବା ଭୁଷଣ୍ଡେଶ୍ୱରଙ୍କ ନିକଟକୁ ଆସନ୍ତି ମାତ୍ର କୀର୍ତ୍ତନିଆକୁ କେହି ମୁହଁ ବୁଲାଇ ଅନାନ୍ତି ନାହିଁ । ଏହି ବେଳାଭୂମିର ବିକାଶ ହେଲେ ଭାରତର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇ ପାରିବ । ଏହି ବେଳାଭୂମିର ବୈଶିଷ୍ଟ୍ୟ ଏହି ଯେ ଏହା ଅଗଭୀର ଓ ମତ୍ସ୍ୟ ଆମଦାନୀ କେନ୍ଦ୍ର । ଏଠାକାର ବେଳାଭୂମିର ଧୂସର ଶଯ୍ୟା ଉପରେ ବହୁ ସଂଖ୍ୟାରେ ଲାଲ କଙ୍କଡ଼ା ବିଚରଣ କରନ୍ତି । ଏହା ପର୍ଯ୍ୟଟକ ଏବଂ ବିଶେଷତଃ ଶିଶୁମାନଙ୍କୁ ବେଶ ଆକର୍ଷିତ କରିଥାଏ । 

ସବୁଠାରୁ ବଡ଼ କଥା ହେଉଛି ଶୀତଦିନେ ଏଠାକାର ତାପମାତ୍ରା ସର୍ବାଧିକ ୨୭ ଡିଗ୍ରୀ ଓ ସର୍ବନିମ୍ନ ୧୬ ଡିଗ୍ରୀ ରହୁଥିଲା ବେଳେ ଖରା ଦିନେ ସର୍ବାଧିକ ୩୫ ଓ ସର୍ବନିମ୍ନ ୨୩ ରହିଥାଏ । ଏନେଇ ନାରାୟଣ ମହାନ୍ତି ପଡ଼ିଆ ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବେହେରା କହନ୍ତି ସରକାର ଏହା ଉପରେ ଟିକିଏ ଗୁରୁତ୍ୱ ଦେଲେ ଏହି ଅଞ୍ଚଳ ବେଶ ଉନ୍ନତ ହୋଇପାରନ୍ତା । ସେହିଭଳି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନନ୍ଦଦୁଲାଲ ବେଜ୍‌ କହନ୍ତି ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ନିଆରା। ପର୍ଯ୍ୟଟକ ଆସିଲେ ବହୁ ଖୁସି ହୋଇ ଫେରିଥା’ନ୍ତି। ମାତ୍ର ଆଲୁଅ, ରହିବା, ଖାଇବା ଆଦି ଭିତ୍ତିଭୂମିର ଅଭାବ ପାଇଁ ସମସ୍ତେ ମନ ଦୁଃଖରେ ଫେରିଥା’ନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.