ଵ୍ରହ୍ମପୁର, ୭/୧୧ : ଵ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ- ୧ ଡ. ଇନ୍ଦୁ ଶର୍ମା ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଆର. ହରି ପାତ୍ର ସମେତ ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ପ୍ରତ୍ୟେକ ୧୫ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦେଶ ହୋଇଛି। ଜରିମାନା ଅନାଦେୟ ଅତିରିକ୍ତ ବର୍ଷେ ଏକ ମାସ ପ୍ରତ୍ୟେକ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ୨୦୧୭ ସେପ୍ଟମ୍ବର ୧୭ ସନ୍ଧ୍ୟାରେ ବୁଡୁ ପାତ୍ର ସହ ଆର. ହରି ପାତ୍ରର ପୂର୍ବ ଶତ୍ରୁତାକୁ ନେଇ ଝଗଡା ହୋଇଥିଲା। ବୁଡୁ ସେତେବେଳେ ହରି ଓ ତାର ଅନ୍ୟ ଜଣେ ସାଙ୍ଗଙ୍କୁ ମାଡ଼ ମାରିଥିଲେ। ପରେ ସମସ୍ତେ ନିଜ ନିଜର ଘରକୁ ଫେରିଯାଇଥିଲେ। ରାତ୍ର ୧୦ ଟା ବେଳେ ଗାଁ'କୋଠଘରେ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାକୁ ବୁଡୁ ପାତ୍ରଙ୍କୁ ଡକାଯାଇଥିଲା।ସେହି ସମୟରେ ହରି ଓ ତାର ଜଣେ ସହଯୋଗୀ ବୁଡୁଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇ ବୁଡୁ ସେଠାରୁ ଦୌଡ଼ି ଦୌଡ଼ି ନିକଟରେ ଥିବା ତାଙ୍କ ଭାଇ ଲଡୁ ପାତ୍ରଙ୍କ ଘର ଭିତରକୁ ଚାଲିଯାଇଥିଲେ। ପରେ ହରି ପାତ୍ରଙ୍କ ନେତୃତ୍ୱରେ ୭ଜଣ ଲୋକ ହାତରେ ଠେଙ୍ଗା , ପନିକି , ଶାବଳ, କାତି ଇତ୍ୟାଦି ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। ବୁଡୁ ପାତ୍ରଙ୍କୁ ଘର ଭିତରୁ ବାହାରକୁ ଛାଡିବାକୁ ତାଙ୍କ ଭାଇଙ୍କୁ କହିଥିଲେ। ବୁଡୁ ଘର ଭିତରୁ ବାହାରକୁ ନ ଆସିବାରୁ ସେମାନେ ଘର କବାଟ ଭାଙ୍ଗି ବୁଡୁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ରକ୍ତାକ୍ତ ଅବସ୍ଥାରେ ଛାଡି ସେଠାରେ ଚାଲିଯାଇଥିଲେ। ଏହାର ପ୍ରତିବାଦ କରିବାରୁ ଲଡୁଙ୍କ ମଧ୍ୟ ସେମାନେ ଆକ୍ରମଣ କରି ଭୟଭୀତ କରିଥିଲେ। ପରିବାର ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଡୁଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ।ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ମୃତକଙ୍କ ଭାଇ ଏମ. ଲଡୁ ପାତ୍ର ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏସଂକ୍ରାନ୍ତରେ ୧୯୪/୧୭ ରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୂର୍ବଶତ୍ରୁତାରୁ ବୁଡୁ ପାତ୍ରଙ୍କୁ ହତ୍ୟା କରାଯାଇଥିଲା ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ପରେ ଉକ୍ତ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଉକ୍ତ ଗ୍ରାମର ଆର . ହରି ପାତ୍ର (୩୦), ଆର. ଲୋକନାଥ ପାତ୍ର(୨୧), ଏମ.ଦଣ୍ଡ ପାତ୍ର(୪୫), କେ. ବଇରି ପାତ୍ର (୫୫), କେ. ଭୀମ ପାତ୍ର(୪୭) ଏମ. ସୋମେଶ ପାତ୍ର(୨୦), ବି. ନୋଈ ପାତ୍ର(୩୭) ଓ ବି. ଭାସ୍କର ପାତ୍ର (୨୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଶିବଶଙ୍କର ମହାପାତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ ୨୦୨୦ ମସିହାରେ ଜାମିନ ମିଳିଥିଲା। ଉକ୍ତ ମାମଲାର ବିଚାରଣା ବେଳେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମଙ୍ଗଳବାର ରାୟ ପ୍ରକାଶ ବେଳେ ସମସ୍ତ ୮ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ।ସାକ୍ଷୀ ମାନଙ୍କ ବୟାନ ଓ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।
ଆହୁରି ପଢନ୍ତୁ : ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୩ ସାଙ୍ଗ : ଜଣେ ମୃତ, ୨ ଉଦ୍ଧାର