ଦାରିଙ୍ଗବାଡ଼ି, ୨୦/୧୧ : ଦାରିଙ୍ଗବାଡ଼ିରେ ଖସୁଛି ପାରଦ, ବଢୁଛି ଶୀତ। ପ୍ରକୃତିର ଗନ୍ତାଘର ତଥା ଓଡ଼ିଶାର କାଶ୍ମୀର ହେଉଛି ଦାରିଙ୍ଗବାଡ଼ି। ଏଠାକୁ ଶୀତର ମଜା ନେବା ପାଇଁ ଅନେଇ ବସିଥାନ୍ତି ପର୍ଯ୍ୟଟକ। ଶୀତ ଋତୁ ଆସିଲେ ଲୋକଙ୍କୁ ମନେପଡ଼େ ଦାରିଙ୍ଗବାଡ଼ିର ଶୀତ।
ଶୀତୁଆ ସକାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଓଡ଼ିଶା କାଶ୍ମୀରକୁ ଛୁଟନ୍ତି ପର୍ଯ୍ୟଟକ। ତେବେ ଏହି କିଛି ଦିନ ହେବ ପାଗ ମେଘୁଆ ଥିବା ଫଳରେ ଶୀତ ହ୍ରାସ ପାଇଥିଲା। ହେଲେ ସୋମବାର ଦିନ ଠାରୁ ଶୀତ ପୁଣି ବୃଦ୍ଧି ହୋଇଛି । ଗୋଟିଏ ଦିନ ମଧ୍ୟରେ ତାପମାତ୍ରାରେ ବିରାଟ ପରିବର୍ତ୍ତନ ହୋଇଛି। ଦାରିଙ୍ଗବାଡ଼ିରେ ରବିବାର ଦିନ ୧୫.୫ ଡିଗ୍ରୀ ସେଲସିଅସ ତାପମାତ୍ରା ରହିଥିବା ବେଳେ ସୋମବାର ଦିନ ୧୩.୫ ଡିଗ୍ରୀକୁ ଖସି ଆସିଛି । ଗୋଟିଏ ଦିନରେ ୨ ଡିଗ୍ରୀ ସେଲସିଅସ ତାପମାତ୍ରା ହ୍ରାସ ପାଇଛି । ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ବୃଦ୍ଧି ପାଇଛି । ସକାଳ ୮ ଟା ପର୍ଯ୍ୟନ୍ତ ଶୀତର ପ୍ରଭାବ ରହୁଛି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳିଛି ।
କଫି ବଗିଚା ମଧ୍ୟରେ ନୂତନ ଭାବେ ନିର୍ମାଣ ହୋଇଥିବା କଫି କାଫେରେ କଫି ପିଇବା ପାଇଁ ଭିଡ଼ ଜମୁଛି । ସେହିପରି ଚା ଦୋକାନରେ ମଧ୍ୟ ଲୋକଙ୍କ ଭିଡ ରହୁଛି । ରବିବାର ହୋଇଗଲେ କିରୀକୁଟିର ଲଭର୍ସ ପଏଣ୍ଟ, କିସୁବାଡ଼ିର ପାଟାବାନ୍ଦା ଜଳପ୍ରପାତ, ଦାସିଂବାଡ଼ିର ମିଡ଼ିୟୁବନ୍ଦା ଜଳପ୍ରପାତ, ଦାରିଙ୍ଗବାଡିର ଡୁଲୁରି ପାଇନ ବଣ ଆଦି ସ୍ଥାନରେ ଜିଲ୍ଲା ତଥା ଜିଲ୍ଲା ବାହାର ପର୍ଯ୍ୟଟକମାନେ ଆସି ବଣ ଭୋଜିର ମଜା ନେଉଛନ୍ତି। ଆଗକୁ ଆହୁରି ଶୀତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।