ଚନ୍ଦାହାଣ୍ଡି,୧୮/୯ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଅନକାବେଡ଼ା କୋଟପଡ଼ା ଗ୍ରାମର ଜଣେ ବିବାହିତା ମହିଳା ଗତ ଅଗଷ୍ଟ୧୪ ତାରିଖ ନିଜ ବାପା ଘରଠାରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ମହିଳାଙ୍କ ବାପା ଫୁଲବାସ ଲିମଗୋଛିଆ ଗତ ଅଗଷ୍ଟ ୧୬ତାରିଖରେ ଚନ୍ଦାହାଣ୍ଡି ଥାନାରେ ଝିଅର ନିଖୋଜ ରିପୋର୍ଟ ଦେଇଥିଲେ l ତତକାଳୀନ ଥାନା ଅଧିକାରୀ ଉମେଶଚନ୍ଦ୍ର ନାୟକ ଚନ୍ଦାହାଣ୍ଡି ଥାନାରେ ମିସିଙ୍ଗ କେସ ନଂ ୧୨/୨୩ ଅନୁସାରେ ଏକ ନିଖୋଜ ମାମଲା ରୁଜ୍ଜୁ କରିଥିଲେ l ପୋଲିସ ମାମଲା ରୁଜ୍ଜୁ କରି ଚୁପ ବସିଥିବାରୁ ବାପା ଫୁଲବାସ ଥାନାକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇପଡ଼ିଲେଣି l ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି l
ଫୁଲବାସଙ୍କ କହିବା ଅନୁସାରେ ଗତ ୩ବର୍ଷ ତଳେ ତାଙ୍କ ଝିଅ ବନୀତା ଲିମଗୋଛିଆଙ୍କୁ ନିଜ ପଞ୍ଚାୟତ ଅଧିନ ଚକାମାଳ ଗ୍ରାମର ପବିତ୍ର ମାଝିଙ୍କ ପୁଅ ଡିବିଚନଙ୍କୁ ବୈଦିକ ରୀତିରେ ବିବାହ ଦେଇଥିଲେ l ବିବାହର ଏକ ବର୍ଷ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା l ଏହାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କରେ ଫାଟ ଦେଖାଦେବାରୁ ବନୀତା ଶଶୁର ଘର ଛାଡି ନିଜ ବାପାମାଁଙ୍କ ଘର କୋଟପଡ଼ାରେ ରହୁଥିଲେ l ସ୍ୱାମୀ ଡିବିଚନ ମାଝି ସ୍ତ୍ରୀ ବନୀତାକୁ ବାପ ଘରୁ ଫେରାଇ ଆଣିବା ପାଇଁ ସାମାଜିକ ବୈଠକ କରିଥିଲେ ମଧ୍ୟ କିଛି ସୁଫଳ ପାଇ ନ ଥିଲେ l ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ ତିକ୍ତତା କମୁ ନ ଥିବାରୁ ବନୀତା ବାପ ଘର କୋଟପଡ଼ାରେ ରହୁଥିଲେ l ଏହାରି ଭିତରେ ଗତ ଅଗଷ୍ଟ ୧୪ତାରିଖ ଦିନ ଘରୁ କୁଆଡେ ଚାଲି ଯାଇଥିଲେ l
ଚନ୍ଦାହାଣ୍ଡି ଥାନାରେ ନିଖୋଜ ରିପୋର୍ଟ ଦେବାର ଏକ ମାସ ବିତି ଯାଇଥିଲେ ବି ପୋଲିସ ହାତ ବାନ୍ଧି ବସିଥିବାରୁ ଏପଟେ ଝିଅ ବିଷୟରେ ବ୍ୟସ୍ତ ହୋଇ ବାପା ଫୁଲବାସ ବାରମ୍ଭାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି l ତାଙ୍କୁ କେବଳ ଥାନାରୁ ଗୋଟିଏ ଉତ୍ତର ମିଳୁଛି ଖୋଜା ଚାଲିଛି l ଏ ସମ୍ପର୍କରେ ବର୍ତ୍ତମାନର ଥାନା ଅଧିକାରୀ ପ୍ରଶାନ୍ତ କୋଲର୍ସଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲାବେଳେ ସେ ଫୋନ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନ ଥିଲା l ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି l