ଚନ୍ଦନେଶ୍ୱର,୦୪/୧୨: ବାଲେଶ୍ୱର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଅନନ୍ତ ଦାସଙ୍କ ପୁଅ ଇଂ ଅଭିଜିତ୍ ଦାସଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ସହିତ ବିଧାୟକ ଅନନ୍ତ ଦାସ ଓ ପୁଅ ଅଭିଜିତ୍ଙ୍କ ଏକ ଫଟୋ ଶନିବାରଠୁ ମୋବାଇଲ୍ରୁ ମୋବାଇଲ୍କୁ ଘୂରି ବୁଲୁଛି । ଯାହା ବିଜେଡି ଟିକେଟ୍ ଆଶାୟୀଙ୍କୁ ଚିନ୍ତାରେ ପକାଇଛି ।
ସରକାରୀ ଚାକିରିରୁ ଅବସର ନେଇ ଅନନ୍ତ ଦାସ ବିଜେଡିରୁ ଟିକଟ୍ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । କ୍ରମାଗତ ୪ ଥର ଶ୍ରୀ ଦାସ ବିଜୟୀ ହୋଇଛନ୍ତି । ବୟସାଧିକ କାରଣରୁ ୨୦୨୪ରେ ଅନନ୍ତଙ୍କୁ ଦଳରୁ ସୁଯୋଗ ମିଳିବା ସମ୍ଭାବନା କ୍ଷୀଣ । ଶିକ୍ଷାବିତ୍ ତଥା ସମାଜସେବୀ ଇଂ ବିଦୁବେନ୍ଦୁ ପାତ୍ର, ପୂର୍ବତନ ବିଧାୟକ ଦୁର୍ଗା ଦାସଙ୍କ ପୁଅ ଗୌତମବୁଦ୍ଧ ଦାସ, ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁ ବିଜ୍ଞାନ ସଂସ୍ଥା (ଏମ୍ସ) କର୍କଟ ବିଭାଗର ମୁଖ୍ୟ ପ୍ରଫେସର ଡା. ସରୋଜ କୁମାର ଦାସମଜୁମଦାର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗଣପତି ଗିରି, ନିବେଦିତା ମହାନ୍ତି, ଭୁବନାନନ୍ଦ ଦାସ, ସମାଜସେବୀ ଯାଦବେଶ ମିଶ୍ର, ତପନ କୁମାର ପଣ୍ଡା ପ୍ରମୁଖ ଆଶାୟୀ ତାଲିକାରେ ଅଛନ୍ତି । ଏମାନଙ୍କୁ ଭୋଗରାଇରେ ବିଭିନ୍ନ ସାମାଜିକ କାର୍ଯ୍ୟ ସହିତ ସଭା ସମିତିରେ ମଧ୍ୟ ଦେଖିବାକୁ ମିଳୁଛନ୍ତି । ଅପରପକ୍ଷରେ ବିଧାୟକଙ୍କ ପୁତ୍ର ଅଭିଜିତ୍ ଦାସ ମଧ୍ୟ ଉଚ୍ଚ ଶିକ୍ଷିତ । ସେ ବିଦେଶରେ ଇଞ୍ଜିନିୟର ଅଛନ୍ତି । ୬ ମାସ ହେଲା ବାପାଙ୍କ ସହିତ ବିଭିନ୍ନ ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳୁଛି । ବିଜେଡିରୁ ଏଥର କାହାକୁ ଟିକେଟ୍ ମିଳିବ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଅଭିଜିତଙ୍କ ଏହି ଫଟୋ ଏବେ ଚର୍ଚ୍ଚା ପରିଧିକୁ ଆସିଛି ।