ଅହମ୍ମଦାବାଦ ୧୯/୧୧: ଆଉ କେଇ ଘଣ୍ଟା । ହୃଦ୍ସ୍ପନ୍ଦନର ଗତି ବଢ଼ି ଚାଲିଛି । ସାରା ଦେଶର ନଜର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ । ଟସ୍ ପଡ଼ିବ, ବଲ ପଡ଼ିବ । ୧୪୦ କୋଟି ଲୋକଙ୍କ ମନରେ ଅସୁମାରୀ ଆଶା । ଜିତିବୁ ବିଶ୍ୱ କପ୍ । ସମସ୍ତଙ୍କ ମୁହଁରେ ଜୟ ହୋ..ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏହି ମୁକାବିଲା ଦେଖିବାକୁ ଏକ ଲକ୍ଷରୁ ଅଧିକ ଲୋକ ଷ୍ଟାଡିୟମରେ ଉପସ୍ଥିତ ରହିବେ। ୧୦୦ ରୁ ଅଧିକ ଭିଭିଆଇପି ମଧ୍ୟ ଏହି ଐତିହାସିକ ଦିନର ସାକ୍ଷୀ ରହିବେ।
ଏହି ଭିଭିଆଇପି ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୮ ରୁ ଅଧିକ ରାଜ୍ୟର ସିଏମ୍ ଅଛନ୍ତି। ଏହା ବ୍ୟତୀତ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ଏବଂ ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ମଧ୍ୟ ଅହମ୍ମଦାବାଦକୁ ମ୍ୟାଚ୍ ଦେଖିବା ପାଇଁ ଆସିବେ। ସୁପ୍ରିମକୋର୍ଟ ଏବଂ ଗୁଜରାଟ ହାଇକୋର୍ଟର ଜଷ୍ଟିସ ଏବଂ ପୂର୍ବତନ ବିଚାରପତିମାନେ ମଧ୍ୟ ଷ୍ଟାଡିୟମକୁ ଆସିବେ। ଏହା ବ୍ୟତୀତ ସିଙ୍ଗାପୁର, ଆମେରିକା ଏବଂ ୟୁଏଇର ରାଷ୍ଟ୍ରଦୂତମାନେ ମଧ୍ୟ ଅହମ୍ମଦାବାଦକୁ ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଆସିବେ।
ଏମାନଙ୍କ ବ୍ୟତୀତ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ମଧ୍ୟ ତାଙ୍କ ପରିବାର ସହିତ ମ୍ୟାଚ୍ ଦେଖିବାକୁ ଆସିବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆରବିଆଇ ଗଭର୍ଣ୍ଣର, ଗୁଜୁରାଟ, ତାମିଲନାଡୁ ଏବଂ ବହୁ ରାଜ୍ୟର ବିଧାୟକମାନେ ମଧ୍ୟ ଉପସ୍ଥିତ ରହିବେ। ଏଥି ସହିତ ଷ୍ଟାଡିୟମରେ ଅନେକ ବଲିଉଡ ଷ୍ଟାର୍ ମଧ୍ୟ ନଜର ଆସିବେ।
ମ୍ୟାଚ୍ ଦେଖିବାକୁ ଆସୁଥିବା VVIP ଅତିଥିମାନଙ୍କ ତାଲିକା :
ଅନୁରାଗ ସିଂହ ଠାକୁର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାସେଟ୍ଟି, ଆସାମ ସିଏମ୍ ହେମନ୍ତ ବିଶ୍ୱ ସର୍ମା, ଅଷ୍ଟ୍ରେଲିଆର ଡେପୁଟି ପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲ୍ସ, ଭାରତରେ ଅଷ୍ଟ୍ରେଲୀୟ ରାଷ୍ଟ୍ରଦୂତ ଫିଲିପ୍ ଗ୍ରୀନ୍, ନୀତା ଅମ୍ବାନୀ, ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଅନ୍ୟାନ୍ୟ ରାଜ୍ୟ ଅଦାଲତର ବିଚାରପତିମାନେ, ୟୁଏଇ ରାଷ୍ଟ୍ରଦୂତ ଅବଦୁଲନାସର ଜମାଲ ଅଲଶାଲି, ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା, ସିଙ୍ଗାପୁର ଗୃହ ମନ୍ତ୍ରୀ ସଙ୍ଗମ, ତାମିଲନାଡୁ UT କଲ୍ୟାଣ କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ, ଲକ୍ଷ୍ମୀ ମିତ୍ତଲ।