ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଆ ଭାଷାର ମଙ୍ଗ ଧରିବ ଓଡ଼ିଆ ବିଶ୍ୱବିଦ୍ୟାଳୟ; ଖୋଲିବ ନୂଆ ବିଭାଗ, ଡିପ୍ଲୋମା କୋର୍ସ

ପୁରୀ, ୨୮।୧: ଓଡ଼ିଆ ବିଶ୍ୱବିଦ୍ୟାଳୟ ଅନ୍ୟ ବିଶ୍ୱବିଦ୍ୟାଳୟ ଠାରୁ ଭିନ୍ନ । ଓଡ଼ିଶାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗ ରହିଛି । ଗବେଷଣା ମଧ୍ୟ ହେଉଛି । ହେଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସବୁଠୁ ଅଲଗା । ସେହିଭଳି କିଛି ଅଲଗା କରିବାକୁ ଯାଇ ଜ୍ଞାନ ବାଣ୍ଟିବ ବିଶ୍ୱବିଦ୍ୟାଳୟ ଭର୍ଚୁଆଲ୍‌ ଜ୍ଞାନ ବ୍ୟାଙ୍କ । ସେଥିପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି । ଏଠି କେବଳ ପାଠପଢ଼ା ନୁହେଁ, ଓଡ଼ିଆ ଭାଷାର ଉନ୍ନତୀକରଣ ଏବଂ ପ୍ରଚାର, ପ୍ରସାର ଦିଗରେ କାର୍ଯ୍ୟ ପାଇଁ ବର୍ତ୍ତମାନ ୩ ବିଭାଗରେ ପାଠପଢ଼ା ଚାଲିଛି । ଆଗକୁ ଆହୁରି ଅନେକ ବିଭାଗ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏହି ବିଶ୍ୱବିଦ୍ୟାଳୟ ଖାଲି ବିଶ୍ୱବିଦ୍ୟାଳୟ ହୋଇ ଶିକ୍ଷାଦାନ କରିବନି ବରଂ ଓଡ଼ିଆ ଭାଷା, ସାହିତ୍ୟର ମଙ୍ଗ ଧରିବ । ଓଡ଼ିଆ ଅସ୍ମିତାର କଥା ଓ ଗାଥା ଗାଇବ । ବିଶ୍ୱ ଦରବାରରେ ଓଡ଼ିଆ ଭାଷାର ପରିଚୟ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରି ଓଡ଼ିଶାର ଗର୍ବ, ଗୌରବକୁ ବଢ଼ାଇ ଚାଲିବ ବୋଲି କୁଳପତି ପ୍ରଫେସର ସବିତା ପ୍ରଧାନ କହିଛନ୍ତି । ଓଡ଼ିଶାର ଓ ଓଡ଼ିଆ ଭାଷା ଏବଂ ସଂସ୍କୃତିର ମୌଳିକ ବୈଶିଷ୍ଟ୍ୟ ରହିଛି । ଏହାର ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବିଭାଗ ଖୋଲାଯିବ । ନୌବାଣିଜ୍ୟ ସଂସ୍କୃତି, ମନ୍ଦିର ସ୍ଥାପତ୍ୟ କଳା, ହସ୍ତ ଶିଳ୍ପ କଳା ଭଳି କିଛି ବିଭାଗ ଖୋଲିବ । ଏଗୁଡ଼ିକ ଓଡ଼ିଆ ସଂସ୍କୃତିର ଉନ୍ନତୀକରଣ ଉପରେ ସହାୟକ ହେବ । 

ଭବିଷ୍ୟତରେ ଯେଉଁ ନୂଆ ବିଭାଗ ଖୋଲିବ ଓଡ଼ିଆ ଜାତି ଓ ସଂସ୍କୃତିର ବିକାଶ ଦିଗରେ କାମ କରିବା ସେହିପରି ଅନୁବାଦ ଅଧ୍ୟୟନ, ପୋଥି ସମ୍ପାଦନା, ତାଳପତ୍ରପୋଥି ଏବଂ ଏହାର ସମ୍ପାଦନା ଉପରେ ବିଭାଗ ଖୋଲାଯିବ । ସେହିଭଳି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ମଧ୍ୟ ବିଭାଗ ଖୋଲାଯିବ । ଗବେଷଣା ପାଇଁ ସ୍ୱଳ୍ପ ସମୟୀ (ଡିପ୍ଲୋମା କୋର୍ସ ବା ସାର୍ଟଫିକେଟ୍‌) ପାଠ୍ୟକ୍ରମ ଖୋଲାଯିବ, ଯେଉଁଥିରେ ପାଲି, ପ୍ରାକୃତି କୋର୍ସ ରହିବା ଭଳି ଯୋଜନା କରାଯାଉଛି । ଓଡ଼ିଆ ଭାଷା ଶିଖିବାକୁ ଛାହୁଁଥିବା ପ୍ରବାସୀମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସେହିପରି ବାହାର ରାଜ୍ୟର ଲୋକ, ଯିଏ ଓଡ଼ିଶାରେ କାମ କରୁଥିବେ ସେମାନଙ୍କୁ ଓଡ଼ିଆ ଶିଖାଇବା ପାଇଁ ଲାଙ୍ଗୁଏଜ୍‌ ଲର୍ଣ୍ଣିଂ କୋର୍ସ ଖୋଲିବାକୁ ଯୋଜନା କରାଯାଇଛି । ଏଭଳି ପାଠ୍ୟକ୍ରମ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଓଡ଼ିଆ ଭାଷାର ପ୍ରାଚୀନତା ବିଶ୍ଲେଷଣ ସମୟରେ ଏହି ସବୁ ପାଠ୍ୟକ୍ରମ ସହାୟକ ହେବା ବୋଲି ପ୍ରଫେସର ପ୍ରଧାନ କହିଛିନ୍ତ । ବିଶ୍ୱବିଦ୍ୟାଳୟର ସମସ୍ତ ପାଠ୍ୟକ୍ରମ ଓଡ଼ିଆ ଭାଷାର ମୌଳିକ ଦିଗକୁ ଅଧ୍ୟୟନ କରିବାରେ ସାହାଯ୍ୟ କରିବ । ପ୍ରାୟତଃ ଗବେଷଣା ସମୟରେ ଅନେକ କ୍ଷେତ୍ରରେ ଏହା ବିଜ୍ଞାନସମ୍ମତ ହେଉନାହିଁ । ମୌଳିକ ଦିଗକୁ ଲକ୍ଷ୍ୟ ରଖାଯାଉ ନାହିଁ । ମାତ୍ର ଓଡ଼ିଆ ବିଶ୍ୱବିଦ୍ୟାଳୟ ଏ ଦିଗରେ ଧ୍ୟାନ ଦେବ । ବିଶ୍ୱବିଦ୍ୟାଳୟରେ କରୁଥିବା ଗବେଷଣା କୌଣସି ସ୍ଥାନରୁ ଉଦ୍ଧାରିତ ନହୋଇ ନିଜସ୍ୱ ଏବଂ ନୂଆ ଅର୍ଥାତ୍‌ ନିଜର ମୌଳିକ ଗବେଷଣା କରିବାକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପ୍ରବାସରେ ରହୁଥିବା ଗବେଷକମାନେ ଯଦି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରିବାକୁ ଚାହାଁନ୍ତି ତେବେ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ । ଏପରିକି ସରକାରୀ ଅନୁଦାନରେ ସେମାନଙ୍କୁ ଗବେଷଣା କରିବାକୁ ପ୍ରୋତ୍ସାହିତ କରାଯିବ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ଏ କ୍ଷେତ୍ରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାମ କରିବା । ବିଭିନ୍ନ ବିଦେଶୀ ଓ ରାଜ୍ୟ ବାହାର ବିଶ୍ୱବିଦ୍ୟାଳୟ ସହ ଚୁକ୍ତି ସ୍ୱାକ୍ଷର ଦିଗରେ ଅଧିକ ଦୃଷ୍ଟି ଦିଆଯାଉଛି । 

ବର୍ତ୍ତମାନ ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟ ସହ ଏକ ଚୁକ୍ତି କରିବାକୁ ପ୍ରକ୍ରିୟା ଚାଲିଛି । ଭର୍ଚୁଆଲ୍‌ ବା ଆଭାସୀ ଜ୍ଞାନ ବ୍ୟାଙ୍କ ତିଆରି କରିବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ପୃଥିବୀର ଯେକୌଣସି ସ୍ଥାନରେ ପ୍ରକାଶିତ ଓଡ଼ିଆ ପୁସ୍ତକ ସମ୍ପର୍କରେ ତଥ୍ୟ ରହିଥିବ କିମ୍ବା ଓଡ଼ିଆ ସଂସ୍କୃତି ସମ୍ପର୍କିତ ତଥ୍ୟ ଥିବ ତାକୁ ସଂଗ୍ରହ କରାଯିବ । ଏହାକୁ ଭର୍ଚୁଆଲ୍‌ ଏବଂ ପୁସ୍ତକ ଆକାରରେ ସଂରକ୍ଷିତ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ତିଆରି ହେବାକୁ ଥିବା ସୌଧରେ ଏସବୁକୁ ସଂଗ୍ରହାଳୟ ପ୍ରତିଷ୍ଠା କରି ରଖାଯିବ । ଏହିଭଳି କିଛି ଅନନ୍ୟ ପଦକ୍ଷେପ ନେଇ ଓଡ଼ିଆ ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକା ନେବ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି । ଭାଷାକୁ ଜୀବନ୍ତ, ସକ୍ରିୟ କିମ୍ବା ସମ୍ପ୍ରସାରିତ ରଖିବାକୁ ଚାହିଁବା ତେବେ ଅନ୍ୟ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରସାର କରିବାକୁ ପଡ଼ିବ । ବିଭିନ୍ନ କ୍ଷେତ୍ର ପାଇଁ ବହିକୁ ଓଡ଼ିଆ ଭାଷାରେ ଲେଖିବାକୁ ହେବ । ଆମେ ସରକାରଙ୍କ ସହଯୋଗରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକ୍ରମ ଗ୍ରହଣ କରିବୁ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି । ଏହାଛଡ଼ା ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାକୁ ପଡ଼ିବ । ଯେଉଁଥିରେ ଶୁଦ୍ଧ ଓଡ଼ିଆ କହିବା, ଲେଖିବା ଓ ସମ୍ପାଦନା କରିବା । ଓଡ଼ିଆ ଭାଷା ପ୍ରତି ଆଦର ଓ ଅଗ୍ରହ ସୃଷ୍ଟି, ଭାଷାର ବ୍ୟାପକତା ଓ ପ୍ରସାର ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟ କରିବ ବୋଲି ପ୍ରଫେସର ପ୍ରଧାନ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.