ନୂଆପଡ଼ା ୧୦/୦୨: ଦୁଇ ବର୍ଷର କୋମଳମତି ଶିଶୁଟି ଯେତେବେଳେ ତୃତୀୟଲିଙ୍ଗୀ ବୋଲି ଜଣାପଡ଼ିଲା ତାକୁ ଅଲୋଡ଼ା ଭାବି ଘଞ୍ଚ ଜଙ୍ଗଲ ଭିତରେ ଛାଡ଼ିଆସିଥିଲେ ତାର ବାପା । ପିଲାଟିକୁ ନପାଇ ମା’ର ତାର ବ୍ୟସ୍ତ ହୋଇପଡ଼ିଥିଲେ । ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତରେ ଶିଶୁଟିଏ ବୁଲୁଥିବା ଶୁଣିବାକୁ ପାଇଥିଲେ । ଦୁଇଦିନ ପରେ ତାକୁ ଜଙ୍ଗଲରୁ ଉଦ୍ଧାରକଲେ । ସେଦିନର ଅଲୋଡ଼ା ଶିଶୁ ଆଜି ଜଣେ ତୃତୀୟଲିଙ୍ଗୀ । କିନ୍ତୁ ଏବେ ସେ ବୃଦ୍ଧ ବାପା-ମା'ଙ୍କ ପାଇଁ ଆଶାବାଡି ସାଜିଛନ୍ତି । କେବଳ ବାପା-ମା' ଙ୍କ ସେବାରେ ସୀମିତ ହୋଇ ରହି ନାହାନ୍ତି, ଜିଲ୍ଲାର ଆହୁରି ଅନେକ ତୃତୀୟଲିଙ୍ଗୀଙ୍କ ପାଇଁ ପଥପ୍ରଦର୍ଶକ ସାଜିଛନ୍ତି । ସମର୍ପିତ ଭାବନାରେ ଏକ ସ୍ୱୟଂସହାୟକ ଗୋଷ୍ଠୀ ଗଠନକରି ସାବୁନ, ଡିଟରଜେଣ୍ଟ ପାଉଡ଼ର, ଅଗରବତୀ, ଫିନାଇଲ ଆଦି ପ୍ରସ୍ତୁତକରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ ରୋଜଗାର ଦେଉଛନ୍ତି । ଏମିତି ଜଣେ ତୃତୀୟଲିଙ୍ଗୀ ହେଉଛନ୍ତି ନୂଆପଡ଼ା ଜିଲ୍ଲା ମୋଟାନୂଆପଡ଼ା ପଞ୍ଚାୟତ କୁକୁଡାତାଲ ଗାଁର ଜୁଲି ।
୧୯୮୯ ସେପ୍ଟେମ୍ବର ୧୨ରେ ସୁନାବେଡା ଅଭୟାରଣ୍ୟ ସଂଲଗ୍ନ କୁକୁଡାତାଲ ଗ୍ରାମର ଦୟାଲାଲ ମାଝି ଓ କମଳା ମାଝିଙ୍କ ପରିବାରରେ ଜୁଲିଙ୍କ ଜନ୍ମ । ଜନ୍ମବେଳେ ପରିବାର ଲୋକେ ଖୁସିହୋଇ ନାଁ ଦେଇଥଲେ କୁଳଦୀପ । ହସଖୁସିରେ ସମୟ ବିତିଲା । ପ୍ରାୟ ଦୁଇବର୍ଷ ପରେ କୁଳଦୀପ ତୃତୀୟଲିଙ୍ଗୀ ବୋଲି ପରିବାର ଲୋକେ ଜାଣିଲେ । କଥାଟି ପ୍ରଘଟ ହେଲେ କାଳେ ସାମାଜିକ ଲଜ୍ଜ୍ୱା ହେବ ବୋଲି ଚିନ୍ତାକରି ଦୟାଲାଲ ଏକଦା ରାତିଅଧିଆ ଶିଶୁଟିକୁ ଅଭୟାରଣ୍ୟ ଭିତରେ ଛାଡ଼ିଆସିଲେ । ସକାଳୁ ଉଠିବା ବେଳେ ଶିଶୁକୁ ନପାଇ ମା ଖୋଜାଖୋଜି କରିଥିଲେ । ପରେ ଗାଁ ସଂଲଗ୍ନ ଜଙ୍ଗଲ ଭିତରୁ ତାଙ୍କୁ ଠାବ କରାଯାଇଥିଲା । ସେଠାରୁ ଶିଶୁଟିକୁ ଧରି ମା' ନିଜ ବାପଘରକୁ ଚାଲିଯାଇ ଆଉ ଫେରିନଥିଲେ । କିଛି ମାସ ପରେ ଦୟାଲାଲ ପଶ୍ଚାତାପ କରି ଶଶୁର ଘରକୁ ଯାଇ ପତ୍ନୀ ଓ ଶିଶୁ ଘରକୁ ଫେରାଇ ଆଣିଥିଲେ ।
କୁଳଦୀପଙ୍କ ୩ ଜଣ ବଡ଼ ଭାଇଥିଲେ । ଅନ୍ୟମାନଙ୍କଭଳି ଗାଁ ସ୍କୁଲରେ ସେ ପ୍ରାଥମିକ ଶିକ୍ଷା ଓ ମୋଟାନୂଆପଡ଼ାରେ ହାଇସ୍କୁଲ ଶିକ୍ଷା ଲାଭ କରି ମାଟ୍ରିକ ପାସ କଲେ । କିନ୍ତୁ ଶୈଶବରୁ କିଶୋରାବସ୍ଥା ପର୍ଯ୍ୟନ୍ତ ସବୁଠି ସାଙ୍ଗସାଥୀ, ଏପରିକି ତାଙ୍କ ନିଜ ବଡ଼ଭାଇମାନେ ବି ତାଙ୍କୁ ଘୃଣା ଚକ୍ଷୁରେ ଦେଖିବା ସହ ମାଡ଼ପିଟ କରୁଥିଲେ । ମାନସିକ ନିର୍ଯାତନାରେ ଅତିଷ୍ଠ ହେବାପରେ କାହାକୁ କିଛିନକହି ଦିନେ ଆକସ୍ମିକ ଭାବରେ କୂଳଦୀପ ଘର ପରିବାର ଛାଡ଼ି କରି କୁଆଡେ ଚାଲିଗଲେ । ତାଙ୍କର ଖୋଜଖବର କେହି ପାଇଲେନି । ତେଣେ ନୂଆପଡ଼ାରୁ ଛତିଶଗଡ଼ ଯାଇ ସେଠାରେ ଅନ୍ୟ ତୃତୀୟଲିଙ୍ଗୀମାନଙ୍କ ସଂସ୍ପର୍ଶରେ ଆସିଥିଲେ । ସେଠାରେ ନିଜର ନାମ ପରିବର୍ତ୍ତନକରି କୁଳଦୀପରୁ ଜୁଲି ନାଁରେ ପରିଚିତ ହେଲେ । ଜୁଲି ଛତିଶଗଡର ମହାସମୁନ୍ଦ, ରାୟପୁର, ବିଲାସପୁର, ଭିଲାଇ, ନାଗପୁର, ଖଡଗପୁର ଆଦି ସହରରେ ସମଲିଙ୍ଗୀଙ୍କ ସହ ରହି ସମାଜରେ ବଞ୍ଚିବା ପାଇଁ ସଂଘର୍ଷକରିବା ଶିଖିଥିଲେ ।
ଇତିମଧ୍ୟରେ ଜୁଲିଙ୍କ ୩ ବଡଭାଇଙ୍କ ବିବାହ ସରିଗଲା । ବିବାହ ପରେ ୩ ଭାଇ ବାପା ଓ ମାଙ୍କୁ ଅଲଗା କରିଦଲେ । ବହୁଦୁଖ କଷ୍ଟରେ ବାପା ମା ଅସହାୟ ଜୀବନ ବଞ୍ଚୁଥିଲେ । ଅନେକ ବର୍ଷ ପରେ ବାପା-ମା’ଙ୍କ ସମ୍ପର୍କରେ ଖବରପାଇ ଜୁଲି ମର୍ମାହତ ହୋଇଥିଲେ । ଜନ୍ମଦାତ୍ରୀଙ୍କ କଷ୍ଟ ସହିନପାରି ସେମାନଙ୍କ ସେବା ସୁଶ୍ରୁଷା କରିବାକୁ ଗାଁକୁ ଫେରି ଆସିଥିଲେ । ୨୦୨୦ କୋଭିଡ଼ ସମୟରେ ଗାଁକୁ ଫେରି ବାପା ଓ ମାଙ୍କ ସେବା କଲେ । କିନ୍ତୁ ନିଜେ ତୃତୀୟଲିଙ୍ଗୀ ବୋଲି ଭୋଗିଥିବା ଦୁଖକଷ୍ଟକୁ ଭୁଲିନଥିଲେ । ଜିଲ୍ଲାର ସବୁ ତୃତୀୟଲିଙ୍ଗୀଙ୍କୁ ସଂଗଠିତକରି ସାମାଜିକ ସୁରକ୍ଷା ଓ ସରକାରୀ ସହାୟତା ଦେବାକୁ ଆଗେଇ ଆସିଥିଲେ । ୨୦୨୨ରେ ନୂଆପଡ଼ାର ‘ପରଦା' ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଂପର୍ଷ ଆସିଥିଲେ । ସଂଗଠନର ଅଧ୍ୟକ୍ଷ ରୁଦ୍ରଚରଣ ପଟ୍ଟନାୟକ ତୃତୀୟଲିଙ୍ଗିଙ୍କୁ ନେଇ ‘ସତି’ (ସୋସିଆଲ ଏସୋସିଏସନ ଫର ଟ୍ରାନ୍ସଜେଣ୍ଡର ଇଣ୍ଟିଗ୍ରେସନ)ନାମକ ଏକ ସଂସ୍ଥା ଆରମ୍ଭକଲେ । ଉକ୍ତ ସଂଗଠନର ସଭାନେତ୍ରୀ ଭାବେ ‘ଜୁଲି' ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ୯୯ ଜଣ ତୃତୀୟଲିଙ୍ଗୀଙ୍କୁ ଚିହ୍ନଟକରି ସେମାନଙ୍କ ସାମାଜିକ ନିରାପତ୍ତା କାମ ଆରମ୍ଭ କରିଥିଲେ ।
ବର୍ତ୍ତମାନ ସୁଦ୍ଧା ଜୁଲିଙ୍କ ଉଦ୍ୟମରେ ୪୧ ଜଣଙ୍କୁ ପରିଚୟପତ୍ର ଓ ପେନସନ ଭଳି ସାମାଜିକ ସୁରକ୍ଷା ମିଳିସାରିଛି । ସତି ସଂଗଠନ ଜରିଆରେ ୨୦ରୁ ଅଧିକ ତୃତୀୟଲିଙ୍ଗୀ ଏସଏଚଜି ଜରିଆରେ ସାବୁନ, ଡିଟରଜେଣ୍ଟ ପାଉଡ଼ର, ଅଗରବତି ଓ ଫିନାଇଲ ତିଆରି କରି ବିକ୍ରିକରୁଛନ୍ତି । ସେମାନେ ଆର୍ଥିକ ସ୍ୱଚ୍ଛଳ ହୋଇ ପରିବାର ପ୍ରତିପୋଷଣ କରୁଛନ୍ତି ା ଅନ୍ୟ ତୃତୀୟଲିଙ୍ଗୀଙ୍କୁ ତାଲିମ ଦେବା ସହ ନିଜସ୍ୱ ଉଦ୍ୟମରେ ରୋଜଗାର କରି ସ୍ୱାବଲମ୍ବୀ ହେବାକୁ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ଜୁଲି ବର୍ତ୍ତମାନ ଗାଁ କିମ୍ବା ଜିଲ୍ଲାରେ ସୀମିତ ହୋଇ ରହିନାହାନ୍ତି । ଭୁବନେଶ୍ୱର, ଜାମସେଦପୁର, ହାଇଦ୍ରାବାଦ ଭଳି ସହରରେ ସମ୍ମିଳନୀରେ ସୁପରିଚିତ ସାଧନକକର୍ମୀ ତଥା ପ୍ରେରଣାଦୟୀ ଉଚ୍ଚକୋଟୀର ବକ୍ତବ୍ୟ ଦେଇ ସମାଜ ନିର୍ମାଣର ବାର୍ତ୍ତବାହକ ସାଜିଛନ୍ତି । ଆଗକୁ ଜିଲ୍ଲାର ସମସ୍ତ ତୃତୀୟଲିଙ୍ଗୀଙ୍କୁ ସ୍ୱ-ରୋଜଗାରକ୍ଷମ କରିବାସହ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଜୁଲି ଉଦ୍ୟମ ଚଳାଇଥିବା ଜୁଲି କହିଛନ୍ତି ।