ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାର ମୁଖ୍ୟମନ୍ତ୍ରୀ: କେତେବେଳେ କିଏ ?

ଭୁବନେଶ୍ୱର ୨୭/୦୨: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ ଏଯାବତ୍‌ ଓଡ଼ିଶା ବିଧାନସଭା ପାଇଁ ୧୮ଥର ନିର୍ବାଚନ ହୋଇଛି ଏବଂ ଏହି ଆଧାରରେ ଅନ୍ୟୁନ ୨୯ଥର ରାଜ୍ୟର ପ୍ରଧାନମନ୍ତ୍ରୀ/ମୁଖ୍ୟମନ୍ତ୍ରୀମାନଙ୍କୁ ରାଜ୍ୟପାଳ ଶପଥ କରାଇଛନ୍ତି । ଏହି ବର୍ଷଗୁଡିକ ମଧ୍ୟରେ ଓଡ଼ିଶାର ଶାସନଭାର ୧୫ଜଣ ନେତାଙ୍କ ହାତରେ ରହିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଯାବତ୍‌ ଲଗାତାର ୫ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାବେଳେ ରାଜ୍ୟର ମୁଖିଆ ଭାବେ କ୍ୟାପ୍‌ଟେନ୍‌ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ବିଶ୍ୱନାଥ ଦାସ, ନବକୃଷ୍ଣ ଚୌଧୁରୀ, ବିଜୟାନନ୍ଦ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ହେମାନନ୍ଦ ବିଶ୍ୱାଳ ଦୁଇ ଦୁଇ ଥର ପାଇଁ ଦାୟିତ୍ୱ ସମ୍ଭାଳିଛନ୍ତି । ହରେକୃଷ୍ଣ ମହତାବ ଓ ଜାନକୀବଲ୍ଲଭ ପଟ୍ଟନାୟକ ୩ଥର ଲେଖାଏଁ ଏବଂ ବୀରେନ୍‌ ମିତ୍ର, ସଦାଶିବ ତ୍ରିପାଠୀ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ବିନାୟକ ଆଚାର୍ଯ୍ୟ, ନୀଳମଣି ରାଉତରାୟ ଓ ଗିରିଧର ଗମାଙ୍ଗ ଥରେ ଲେଖାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଭାରତର ସମ୍ବିଧାନ ଲାଗୁହେବା ପୂର୍ବରୁ ରାଜ୍ୟ ପ୍ରଶାସନର ନିର୍ବାଚିତ ମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା ।

ଓଡ଼ିଶା ବିଧାନସଭା ଲାଗି ପ୍ରଥମ ନିର୍ବାଚନ ହୋଇଥିଲା ୧୯୩୭ ମସିହାରେ । ସେତେବେଳେ ରାଜ୍ୟ ବିଧାନସଭାର ୬୦ଟି ଆସନରୁ ୪ଟି ମନୋନୀତ ସଦସ୍ୟଙ୍କ ପାଇଁ ଥିବାବେଳେ ଅବଶିଷ୍ଟ ୫୬ଟି ଲାଗି ନିର୍ବାଚନ ହୋଇଥିଲା । ଏଥିରୁ କଂଗ୍ରେସ ୩୭ଟି ଆସନ ପାଇଥିଲେ ମଧ୍ୟ ନୀତିଗତ କାରଣରୁ ବିଧାୟକ ଦଳର ନେତା ବିଶ୍ୱନାଥ ଦାସ ସରକାର ଗଢ଼ିବା ପାଇଁ ରାଜି ନହେବାରୁ ମାତ୍ର ୧୩ଟି ଆସନ ପାଇଥିବା ଜାତୀୟ ଦଳର ନେତା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ଏପ୍ରିଲ ପହିଲାରେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୩୭ ଜୁଲାଇ ୧୯ ତାରିଖରେ କଂଗ୍ରେସ ବିଧାୟକ ଦଳର ନେତା ବିଶ୍ୱନାଥ ଦାସ ଓଡ଼ିଶାର ପ୍ରଧାନମନ୍ତ୍ରୀ ହେବାରୁ ଗଜପତି ଦାୟିତ୍ୱରୁ ଅପସରି ଯାଇଥିଲେ । ପରେ ପୁଣି ଏକ ନୀତିଗତ କାରଣରୁ ବିଶ୍ୱନାଥ ଦାସ ଇସ୍ତଫା ଦେବାରୁ କୃଷ୍ଣଚନ୍ଦ୍ର ଗଜପତି ୧୯୪୧ ନଭେମ୍ବର ୨୯ ତାରିଖରେ ଆଉଥରେ ପ୍ରଧାନମନ୍ତ୍ରୀ ହୋଇ ୧୯୪୪ ଜୁନ୍‌ ୨୯ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ ।

୧୯୪୬ ନିର୍ବାଚନରେ ୫୬ଟିରୁ କଂଗ୍ରେସ ୪୬ଟି ଆସନ ପାଇ ହରେକୃଷ୍ଣ ମହତାବଙ୍କ ପ୍ରଧାନମନ୍ତ୍ରିତ୍ୱରେ ସରକାର ଗଠନ କରିଥିଲା ଏପ୍ରିଲ ୨୩ ତାରିଖରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମହତାବ ଯୋଗଦେବାରୁ ନବକୃଷ୍ଣ ଚୌଧୁରୀ ୧୯୫୦ ମଇ ୧୨ ତାରିଖରେ ରାଜ୍ୟ ସରକାରର ନେତୃତ୍ୱ ନେଲେ । ପ୍ରଥମ ସାଧାରଣ ନିର୍ବାଚନ ୧୯୫୧-୫୨ ବର୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବକୃଷ୍ଣ ଚୌଧୁରୀ ୧୯୫୨ ଫେବ୍ରୁଆରୀ ୨୦ ତାରିଖରେ ପୁଣିଥରେ ଦାୟିତ୍ୱ ନେଇଥିଲେ । ତେବେ ବିବେକର ଆହ୍ୱାନରେ ସେ ୧୯୫୬ ଅକ୍ଟୋବର ୧୯ ତାରିଖରେ ଇସ୍ତଫା ଦେଇଥିଲେ । କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଯାଇ ବମ୍ବେର ରାଜ୍ୟପାଳ ଥିବା ହରେକୃଷ୍ଣ ମହତାବ ସେହିଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୫୭ର ନିର୍ବାଚନରେ କଂଗ୍ରେସ ୫୬ ଓ ଗଣତନ୍ତ୍ର ପରିଷଦ ୫୧ଟି ଆସନ ପାଇଥିଲା । ଏଥର ହରେକୃଷ୍ଣ ମହତାବ ୧୯୫୭ ଏପ୍ରିଲ୍‌ ୬ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାବେଳେ ବିରୋଧୀ ଦଳର ନେତା ହୋଇଥିଲେ ରାଜେନ୍ଦ୍ର ନାରାୟଣ ସିଂହଦେଓ । ପରବର୍ତ୍ତୀ ସମୟରେ ୧୯୫୯ ମଇ ୨୨ ତାରିଖରେ କଂଗ୍ରେସ ଓ ବିରୋଧୀ ଦଳ ମିଶି ମହତାବଙ୍କ ନେତୃତ୍ୱରେ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । କିନ୍ତୁ ମେଣ୍ଟରେ କନ୍ଦଳ ଯୋଗୁଁ ସରକାରର ପତନ ୧୯୬୧ ଫେବ୍ରୁଆରୀ ୨୫ରେ ହୋଇଥିଲା ଏବଂ ଓଡ଼ିଶାରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଶାସନ ଜାରି ହେଲା ।

୧୯୬୧ରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୮୨ଟି ଆସନ ପାଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଏହି ନିର୍ବାଚନ ପରେ ବିଜୁ ପଟ୍ଟନାୟକ ସେବର୍ଷ ଜୁନ୍‌ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ କାମରାଜ ଯୋଜନା ଅନୁଯାୟୀ ବିଜୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିବାରୁ ତାଙ୍କ ଘନିଷ୍ଠ ବନ୍ଧୁ ବୀରେନ୍‌ ମିତ୍ର ୧୯୬୩ ଅକ୍ଟୋବର ୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ବୀରେନ୍‌ ମିତ୍ରଙ୍କୁ ବି ବିଦାହେବାକୁ ପଡ଼ିଲା ଏବଂ ତାଙ୍କ ସ୍ଥାନରେ ୧୯୬୫ ଫେବ୍ରୁଆରୀ ୨୧ରୁ ୧୯୬୭ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଲେ ସଦାଶିବ ତ୍ରିପାଠୀ । ୧୯୬୭ର ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୩୧ଟି ଆସନରୁ ବିଜୟୀ ହୋଇଥିବା ବେଳେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଗଣତନ୍ତ୍ର ପରିଷଦ/ ସ୍ୱତନ୍ତ୍ର ଦଳ ୪୯ଟି ଓ ଏହାର ମେଣ୍ଟ ମହତାବଙ୍କ ଜନ କଂଗ୍ରେସ ୨୬ଟି ଆସନ ପାଇଥିଲା । ଏହି ନିର୍ବାଚନରେ ନବକୃଷ୍ଣ ଚୌଧୁରୀ ନିଜକୁ "ଆପ୍ରୁଭର୍‌' ଭାବେ ଘୋଷଣା କରି କଂଗ୍ରେସକୁ ଗାଦିଚ୍ୟୁତ କରିବା ଲାଗି ଯେଉଁ ଅଭିଯାନ ଚଳାଇଥିଲେ ତାହା ସଫଳ ହୋଇଥିଲେ ମଧ୍ୟ ସେ ନିଜେ ନିର୍ବାଚନ ଲଢିନଥିଲେ କିମ୍ବା ସରକାରର କୌଣସି ଦାୟିତ୍ୱରେ ରହିନଥିଲେ । ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ସିଂହଦେଓ ୧୯୬୭ ମାର୍ଚ୍ଚ ୮ ତାରିଖରେ ଶପଥ ନେଇଥିଲେ । ମେଣ୍ଟରେ ଫାଟ ହେବାରୁ ଏହି ସରକାରର ପତନ ୧୯୭୧ ଜାନୁଆରୀ ୯ ତାରିଖ ହେଲା ଏବଂ ଓଡ଼ିଶାରେ ପୁଣିଥରେ ରାଷ୍ଟ୍ରପତି ଶାସନ କବଳକୁ ଚାଲିଗଲା।

୧୯୭୧ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ୫୧, ସ୍ୱତନ୍ତ୍ର ୩୬ ଓ ଉତ୍କଳ କଂଗ୍ରେସ ୩୩ଟି ଆସନ ପାଇଥିଲେ । ଏଥର ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ମିଳିତ ମନ୍ତ୍ରିମଣ୍ଡଳ ବିଶ୍ୱନାଥ ଦାସଙ୍କ ମୁଖ୍ୟମନ୍ତ୍ରିତ୍ୱରେ ସେବର୍ଷ ଏପ୍ରିଲ ୩ ତାରିଖରେ ଗଠନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ବିଧାନସଭାର ସଦସ୍ୟ ନଥିବାରୁ ରାଉରକେଲାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରେ ଜିଣିଥିଲେ । ତେବେ ଖାଉମହାବାହୁ ରାଜନେତାମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବିଶ୍ୱନାଥ ଦାସଙ୍କ ଭଳି ସ୍ୱଚ୍ଛ ବ୍ୟକ୍ତିତ୍ୱ ଇସ୍ତଫା ଦେଇ ଚାଲିଗଲେ ଏବଂ ତାଙ୍କ ସ୍ଥାନରେ ସେତବେଳର କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ନନ୍ଦିନୀ ଶତପଥୀ ୧୯୭୨ ଜୁନ୍‌ ୧୪ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ନନ୍ଦିନୀ ଦେବୀ ବିଧାୟିକା ନଥିବାରୁ ତାଙ୍କୁ କଟକରୁ ଉପନିର୍ବାଚନ ଲଢ଼ି ଜିଣିବାକୁ ପଡ଼ିଥିଲା । ବ୍ୟାପକ ସଂଖ୍ୟକ ବିଧାୟକ ଦଳବଦଳ କରିବା ଓ ମିଳିତ ମନ୍ତ୍ରିମଣ୍ଡଳରୁ ସ୍ୱତନ୍ତ୍ର ଦଳ ସମର୍ଥନ ପ୍ରତ୍ୟାହାର କରିବା ପରିପ୍ରେକ୍ଷୀରେ ନନ୍ଦିନୀ ଦେବୀଙ୍କ ସରକାରର ପତନ ଘଟିଲା ୧୯୭୩ ମାର୍ଚ୍ଚ ୩ ତାରିଖରେ ଏବଂ ଓଡ଼ିଶାରେ ତୃତୀୟ ଥର ପାଇଁ ଜାରି ହେଲା ରାଷ୍ଟ୍ରପତି ଶାସନ । ୧୯୭୪ର ବିଧାନସଭା ନିର୍ବାଚନପରେ ପୁଣିଥରେ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ସରକାର ଗଠିତ ହେଲା । ଗୋଷ୍ଠୀକନ୍ଦଳ ଚାପରେ ନନ୍ଦିନୀ ଦେବୀ ୧୯୭୬ ଡିସେମ୍ବର ୧୬ ତାରିଖରେ ଇସ୍ତଫା ଦେବାରୁ ଆଉଥରେ ୧୪ଦିନ ପାଇଁ ଆମ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା । ତେବେ ସେବର୍ଷ ଡିସେମ୍ବର ୨୯ ତାରିଖରେ କଂଗ୍ରେସ ନେତା ବିନାୟକ ଆଚାର୍ଯ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ଦେଶରେ ପରିବର୍ତ୍ତନର ଲହଡ଼ି ସୃଷ୍ଟି ହୋଇ କେନ୍ଦ୍ରରେ ଜନତା ପାର୍ଟି ସରକାର ଗଠିତ ହେବାପରେ ବିନାୟକ ଆଚାର୍ଯ୍ୟଙ୍କ ସରକାରକୁ ୧୯୭୭ ଏପ୍ରିଲ୍‌ ୩୦ ତାରିଖରେ ଭାଙ୍ଗି ଦିଆଗଲା ଏବଂ ପୁଣିଥରେ ଓଡ଼ିଶାରେ ହେଲା ରାଷ୍ଟ୍ରପତି ଶାସନ ।

୧୯୭୭ର ବିଧାନସଭା ନିର୍ବାଚନରେ ଜନତା ପାର୍ଟି ୧୧୦ଟି ଆସନ ହାସଲ କରି ନୀଳମଣି ରାଉତରାୟଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଢ଼ିଲା ସେବର୍ଷ ଜୁନ୍‌ ୨୬ ତାରିଖରେ । କିନ୍ତୁ କେନ୍ଦ୍ରରେ ଜନତା ପାର୍ଟି ସରକାର ଗୋଷ୍ଠୀକନ୍ଦଳ ଯୋଗୁଁ ଭାଙ୍ଗିଯିବାରୁ ଏହାର ପ୍ରଭାବ ବି ଓଡ଼ିଶାରେ ପଡ଼ିଲା । ଫଳରେ ନୀଳମଣି ବାବୁଙ୍କ ସରକାରର ପତନ ଘଟିଲା ୧୯୮୦ ଫେବ୍ରୁଆରୀ ୧୭ ତାରିଖରେ ଓ ଓଡ଼ିଶାରେ ଷଷ୍ଠ ଥର ପାଇଁ ପୁଣି ରାଷ୍ଟ୍ରପତି ଶାସନ ଲାଗୁ ହେଲା । ୧୯୮୦ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଖଲ କଲା ୧୧୭ଟି ଆସନ । ବିଜୁ ପଟ୍ଟନାୟକଙ୍କ ଧର୍ମନିରପେକ୍ଷ ଜନତା ଦଳ ମାତ୍ର ୧୩ଟି ଆସନ ପାଇବାରୁ ବିରୋଧୀ ଦଳ ନେତା ମାନ୍ୟତା ଲାଗି ଏହି ଦଳ ହାତରେ ଏକ-ଦଶମାଂଶ ଆସନ ମଧ୍ୟ ନଥିଲା । ଏହି ନିର୍ବାଚନ ପରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ଭାବେ ୧୯୮୦ ଜୁନ୍‌ ୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ । ସେ ବିଧାନସଭାର ସଦସ୍ୟ ନଥିବାରୁ ତାଙ୍କୁ ଆଠଗଡ଼ରୁ ଉପନିର୍ବାଚନ ଲଢ଼ି ଜଣିବାକୁ ପଡ଼ିଥିଲା । 

୧୯୮୫ର ନବମ ବିଧାନସଭା ନିର୍ବାଚନରେ ବି କଂଗ୍ରେସ ୧୧୭ଟି ଆସନ ପାଇ ଜାନକୀ ବଲ୍ଲଭଙ୍କ ନେତୃତ୍ୱରେ ୧୯୮୫ ମାର୍ଚ୍ଚ ୧୦ ତାରିଖରେ ସରକାର ଗଠନ କରିଥିଲା । ତେବେ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ କଂଗ୍ରେସ ଗୋଷ୍ଠୀକନ୍ଦଳ ବଢ଼ିଲା ଏବଂ ଜାନକୀ ବଲ୍ଲଭଙ୍କୁ ୧୯୮୯ ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା । ତାଙ୍କ ସ୍ଥାନରେ ହେମାନନ୍ଦ ବିଶ୍ୱାଳ ସେହିଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ୧୯୯୦ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ କାମ ଚଳାଇଲେ । ୧୯୯୦ର ବିଧାନସଭା ନିର୍ବାଚନରେ ଜନତା ଦଳ ୧୨୩ଟି ଆସନ ପାଇ ସର୍ବକାଳୀନ ରେକର୍ଡ କଲା ଓ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେହିବର୍ଷ ମାର୍ଚ୍ଚ ୫ ତାରିଖରେ ଦାୟିତ୍ୱ ନେଲେ । ଏହି ନିର୍ବାଚନରେ କଂଗ୍ରେସ ମାତ୍ର ୧୦ଟି ଆସନ ଜିଣିବାରୁ ବିଧାନସଭାରେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ନେତା ପଦବି ମଧ୍ୟ ପାଇପାରିଲା ନାହିଁ । ୧୯୯୫ ନିର୍ବାଚନରେ ପୁଣି କଂଗ୍ରେସ ୮୦ଟି ଆସନ ଜିଣି ମାର୍ଚ୍ଚ ୧୫ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱରେ ସରକାର ଗଠନ କଲା ଏବଂ ବେଗୁନିଆରୁ ତାଙ୍କୁ ଉପନିର୍ବାଚନ ଜିଣିବାକୁ ପଡ଼ିଲା । 

ଜାନକୀ ବଲ୍ଲଭଙ୍କୁ ୧୯୯୯ ଫେବ୍ରୁଆରୀ ୧୭ ତାରିଖରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା ଓ ତାଙ୍କ ସ୍ଥାନରେ ଗିରିଧର ଗମାଙ୍ଗ ଦାୟିତ୍ୱ ନେଲେ । ହାଇକମାଣ୍ଡଙ୍କ ଇଚ୍ଛା ମୁତାବକ ଗମାଙ୍ଗଙ୍କୁ ବି ୧୯୯୯ ଡିସେମ୍ବର ୬ ତାରିଖରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଲା ଓ ତାଙ୍କ ଜାଗାରେ ହେମାନନ୍ଦ ବିଶ୍ୱାଳ ସେହିଦିନ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ୨୦୦୦ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ରହିଲେ ।

୨୦୦୦ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡ଼ି ୬୮ଟି ଓ ତାହାର ମେଣ୍ଟ ବିଜେପି ୩୮ଟି ଆସନ ପାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସେବର୍ଷ ମାର୍ଚ୍ଚ ୫ ତାରିଖରେ ସରକାର ଗଠନ କରିଥିଲେ । ୨୦୦୪ରେ ହୋଇଥିବା ପରବର୍ତ୍ତୀ ନିର୍ବାଚନରେ ବିଜେଡି ୬୧ ଓ ତାହାର ମେଣ୍ଟ ବିଜେପି ୩୧ଟି ଆସନ ପାଇ ପୁଣି ଉକ୍ତ ବର୍ଷ ମଇ ୧୬ ତାରିଖରେ ନବୀନଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଢ଼ିଥିଲେ । ମେଣ୍ଟ ଭାଙ୍ଗିଯିବା ପରେ ୨୦୦୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୦୩ଟି ଆସନରୁ ଜିଣି ନବୀନଙ୍କ ନେତୃତ୍ୱରେ ତୃତୀୟ ଥର ସରକାର ଗଢ଼ିଥିଲା ମଇ ୨୧ ତାରିଖରେ । ଏହାପରେ ୨୦୧୪ର ନିର୍ବାଚନରେ ବିଜେଡି ୧୧୭ଟି ଆସନ ଦଖଲ କରିବାରୁ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଉକ୍ତ ବର୍ଷ ମଇ ୨୧ ତାରିଖରେ । 

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନ ଦଖଲ କରିବାରୁ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ । ଏବେ ୨୦୨୪ରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ପୁଣି ବିଜେଡି ବିଜୟ ଲାଭ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରିବ ବୋଲି ସଦର୍ପ ଘୋଷଣା କରୁଥିବାବେଳେ ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟରେ ନିଜ ନିଜ ଦଳର ସରକାର ଗଠନ କରିବାକୁ ପ୍ରଚାର କରୁଛନ୍ତି । ତେବେ ରାଜ୍ୟର ସଚେତନ ମତଦାତାମାନେ ଖୁବ୍‌ଶୀଘ୍ର ନିର୍ଣ୍ଣୟ କରିବେ ଓଡ଼ିଶାରେ କେଉଁ ଦଳ ସରକାର ଗଢ଼ିବ ଓ କିଏ ହେବେ ରାଜ୍ୟର ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.