ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଛି । ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଏହାକୁ କିଭଳି ରୋକିହେବ ସେନେଇ ସୁପ୍ରିମକୋର୍ଟ ତତ୍ପରତା ପ୍ରକାଶ କରିଛନ୍ତି । ଦିଲ୍ଲୀ ସବୁବେଳେ ବାୟୁ ପ୍ରଦୂଷଣ ଦ୍ବାରା ପ୍ରଭାବିତ ହୋଇପାରିବ ନାହିଁ ବୋଲି କହିବା ସହ ଯେମିତି ବି ହେଉ ନଡ଼ା ପୋଡ଼ି ବନ୍ଦ କରିବାକୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କୁ ଯଥା ସମ୍ଭବ ଚେଷ୍ଟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏଥିପାଇଁ ସମସ୍ତ ପକ୍ଷର ସଦସ୍ୟଙ୍କୁ ବୁଧବାର ଏକ ବୈଠକ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଶୁକ୍ରବାର ସୁଦ୍ଧା ବାୟୁ ପ୍ରଦୂଷଣ କମ୍ କରିବା ଦିଗରେ ସମାଧାନ ବାହାର କରିବାକୁ କହିଛନ୍ତି । ଏକାଠି ବସି କିମ୍ବା ଜୁମ୍ କଲରେ ବରିଷ୍ଠ ସଚିବମାନେ ବୈଠକ କରିବା ସହ ବାୟୁ ପ୍ରଦୂଷଣ ରୋକିବା ଲାଗି ଆକ୍ସନ ପ୍ଲାନ୍ ତିଆରି କରନ୍ତୁ ବୋଲି ଜଷ୍ଟିସ୍ ଏସ କେ କୌଲଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଦିଲ୍ଲୀର ବାୟୁ ପ୍ରଦୂଷଣ ରାଜନୈତିକ ପ୍ରସଙ୍ଗ ହୋଇପାରିବ ନାହିଁ । ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁଁ କିଭଳି ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗୁଡ଼ିଛି ତା ଉପରେ ସମସ୍ତ ପକ୍ଷ ଧ୍ୟାନ ଦେବା ଜରୁରୀ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।
ପଞ୍ଜାବର ଆଡଭୋକେଟ୍ ଜେନେରାଲ୍ (ଏଜି) କୋର୍ଟରେ କହିଥିଲେ ଯେ, ରାଜ୍ୟରେ ୨୦-୫୦ ଦିନ ନଡ଼ା ପୋଡ଼ି ହୋଇଥାଏ । ଏହା ଉପରେ ଜଷ୍ଟିସ କୌଲ କହିଛନ୍ତି ଯେ, ବର୍ତ୍ତମାନ ନଡ଼ା ପୋଡ଼ି ସମୟ ଚାଲିଥିବା ବେଳେ ସରକାର କୌଣସି ତତ୍ପରତା ଦେଖାଉନାହାନ୍ତି । ଯେକୌଣସି ଉପାୟରେ ନଡ଼ା ପୋଡ଼ି ବନ୍ଦ ହେବା ଦରକାର । ବଳପୂର୍ବକ ହେଉ ଅବା ପ୍ରୋତ୍ସାହାନ ମାଧ୍ୟମରେ ହେଉ, ନଡ଼ା ପୋଡ଼ି ବନ୍ଦ କର ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପଞ୍ଜାବ ଏଜିଙ୍କୁ ଜଷ୍ଟିସ କୌଲ କହିଛନ୍ତି ଯେ, ଆପଣଙ୍କ ସରକାର ନଡ଼ା ପୋଡ଼ି ବନ୍ଦ କରିବା ଦରକାର । ଏବେ ଠାରୁ ହିଁ ଏହା ଉପରେ କାମ ଆରମ୍ଭ କରିଦିଅ । ଅନ୍ୟପଟେ ଦିଲ୍ଲୀକୁ ପ୍ରବେଶ କରୁଥିବା ଭାରୀ ଯାନଗୁଡ଼ିକୁ ଯାଞ୍ଚ କରିବାକୁ ଦିଲ୍ଲୀ ସରକାରଙ୍କୁ ଖଣ୍ଡପୀଠ କହିଛନ୍ତି ।
ଏହା ସହ ଦିଲ୍ଲୀର ସ୍ମଗ୍ ଟଓ୍ବାର କାର୍ଯ୍ୟକ୍ଷମ ନଥିବା ଜାଣିବା ପରେ ଜଷ୍ଟିସ୍ କୌଲ ବିରକ୍ତି ପ୍ରକାଶ କରିଛନ୍ତି । ସମ୍ପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିବା ସହ ଖୁବଶୀଘ୍ର ସ୍ମଗ୍ ଟାଓ୍ବାର କାର୍ଯ୍ୟକ୍ଷମ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
ଅନ୍ୟକ୍ଷରେ ନଡ଼ା ପୋଡ଼ିକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ । ଉଭୟ ଦିଲ୍ଲୀ ଏବଂ ପଞ୍ଜାବରେ ଥିବା ଆପ ସରକାର ନଡ଼ା ପୋଡ଼ି କମ ହୋଇଥିବା ଦାବି କରିଛନ୍ତି । ଏହା ସହ ହରିୟାଣା ଏବଂ ଉତ୍ତର ପ୍ରଦେଶରେ ନଡ଼ା ପୋଡ଼ି କମ୍ ହେଉନଥିବା ନେଇ ବିଜେପିକୁ ଦାୟୀ କରିଛି ଆପ୍ । ସେପଟେ ଦିଲ୍ଲୀରେ ବାଣ ବନ୍ଦ ଏବଂ ଅଡ ଇଭିନ୍ ନିୟମକୁ ନେଇ ଆପ ଉପରେ ବର୍ଷିଛି ବିଜେପି । ଦିଲ୍ଲୀରେ ଲାଗୁ ହୋଇଥିବା ଏହି ନିୟମ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସନାତନ ଧର୍ମ ବିରୋଧୀ ଏଜେଣ୍ଡା ବୋଲି ଦକ୍ଷିଣ ଦିଲ୍ଲୀର ବିଜେପି ସାଂସଦ ରମେଶ ବିଧୁରି ଅଭିଯୋଗ କରିଛନ୍ତି ।