ୱାଶିଂଟନ୍, ୧୧/୦୨: ପ୍ରଶାନ୍ତ ମହାସାଗରରେ ଥିବା ଗୁଆମରେ ଆମେରିକା ଶକ୍ତି ବଢ଼ାଇଛି । ମୁତୟନ କରିଛି ବି-୫୨, ଯାହାକି ପରମାଣୁ ଆକ୍ରମଣ କରିବାରେ ସକ୍ଷମ । ଆମେରିକାର ପେସିଫିକ୍ ଏୟାରଫୋର୍ସ ଏକ ବୟାନ ଜାରି କରି କହିଛି, ଭାରତ-ପ୍ରଶାନ୍ତମହାସାଗର ଅଞ୍ଚଳରେ ରଣନୈତିକ ନିରୋଧକୁ ସମର୍ଥନ ଲାଗି ବି-୫୨ ବିମାନ ମୁତୟନ କରାଯାଇଛି ।
ଏହା ପୂର୍ବରୁ ଆଣବିକ ବମ୍ବର ନର୍ଥ ଡକୋଟାରେ ମୁତୟନ କରିଥିଲା ଆମେରିକା । କୁହାଯାଉଛି, ଏହି ମୁତୟନ ପଛର କାରଣ ଆମେରିକା ଚାହୁଁଛି ଚୀନ୍ ଜାଣୁ ସେ କେତେ ଶକ୍ତିଶାଳୀ । ଏବେ ଚୀନର ବିମାନ ବିପୁଳ ମାତ୍ରାରେ ତାଇୱାନର ବାୟୁ ସୀମା ଅତିକ୍ରମ କରୁଛନ୍ତି ।
ଆମେରିକାର ବି-୫୨ ଏକ ଆମେରିକୀ, ଲମ୍ବା ଦୂରତା, ସବସୋନିକ, ଜେଟ୍-ସଞ୍ଚାଳିତ ରଣନୀତିକ ବୋମାବର୍ଷକ । ଏହା ଆମେରିକା ବାୟୁସେନାରେ ସାମିଲ୍ ସବୁଠୁ ପୁରୁଣା ବିମାନ ମଧ୍ୟରୁ ଅନ୍ୟତମ । ଏହାକୁ ୧୯୪୮ରେ ବୋଇଂ ଡିଜାଇନ୍ କରିଥିଲା । ୧୯୫୨ରେ ପ୍ରଥମ ଉଡ଼ାଣ ଭରିଥିବା ବେଳେ ୧୯୫୫ରେ ସେନାରେ ସାମିଲ୍ କରା ଯାଇଥିଲା ।
ଆମେରିକା ସେନା ପକ୍ଷରୁ ଜାରି ବୟାନରେ କହିଛି, ବି-୫୨ ଷ୍ଟ୍ରାଟୋପରଟ୍ରେସକୁ ଉତ୍ତର ଡକୋଟାର ପଞ୍ଚମ ବୋମା ୱିଙ୍ଗକୁ ଦିଆ ଯାଇଛି । ଏହି ବିମାନ ଜାନୁଆରୀ ଶେଷ ଭାଗରୁ ବମ୍ବର ଟାସ୍କ ଫୋର୍ସର ଅଂଶ ଭାବେ ଗୁଆମର ଏଣ୍ଡର୍ସନ ଏୟାର ଫୋର୍ସ ବେସରେ ମୁତୟନ ହୋଇଛି । ଏହାର ଉଦ୍ଦେଶ୍ୟ ରଣନୈତିକ ନିରୋଧୀ ମିଶନକୁ ସମର୍ଥନ କରିବା ।
ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ନିୟମ ଆଧାରିତ ଅନ୍ତଃରାଷ୍ଟୀୟ ବ୍ୟବସ୍ଥା ଲାଗୁ କରିବା । ବି-୫୨ ସଞ୍ଚାଳନ ଓ ସହାୟତା କର୍ମୀଙ୍କୁ ୨୩ତମ ବମ୍ ସ୍କ୍ୱାର୍ଡନରେ ଯୋଡ଼ା ଯାଇଛି । ଏହି କ୍ଷେତ୍ରରେ ଆମେରିକା ଅନ୍ୟ ସହଯୋଗୀଙ୍କ ସହ କାମ କରିବ ।
କୁହାଯାଉଛି, ଚୀନ ସହ ଲାଗି ରହିଥିବା ତିକ୍ତତାକୁ ନେଇ ଆମେରିକା, ଗୁଆମ ଓ ଭାରତ-ପ୍ରଶାନ୍ତମହାସାଗର ଅଞ୍ଚଳରେ ତାର ସୈନ୍ୟ ଶକ୍ତି ବିସ୍ତାର କରୁଛି । ବିଗତ କିଛି ମାସ ମଧ୍ୟରେ ଭାରତ-ପ୍ରଶାନ୍ତମହାସାଗରରେ ଆମେରିକା ଏକାଧିକ ଯୁଦ୍ଧପୋତ ଓ ବୁଡ଼ାଜାହାଜ ମୁତୟନ କରିଛି । ନିକଟରେ ଆମେରିକା ବାୟୁସେନା ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ସହ ମିଳିତ ଅଭ୍ୟାସ କରିଥିଲା । ସମସ୍ତ ଦେଶର ୩୩ଟି ବିମାନ ଶକ୍ତି ପ୍ରଦର୍ଶନ କରିଥିଲେ ।