ନୂଆଦିଲ୍ଲୀ,୦୮/୦୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଶୁକ୍ରବାରଠାରୁ ରାଷ୍ଟ୍ରାଧ୍ୟକ୍ଷମାନଙ୍କର ହେବ ଭାରତ ଆଗମନ । ଶନିବାର ଆରମ୍ଭ ହେବ ମହାକୁମ୍ଭ । ଦୁଇଦିନ ଧରି ଏହା ଚାଲିବ । ଜି-୨୦ ସଦସ୍ୟ ରାଷ୍ଟ୍ର ତଥା ବିଶ୍ୱର ମଙ୍ଗଳ ପାଇଁ ହେବ ମାନସମନ୍ଥନ । ଅତିଥିମାନଙ୍କର ସ୍ୱାଗତ ସତ୍କାର ପାଇଁ ଭାରତ ଏବେ ପ୍ରସ୍ତୁତ । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କୁ ସଡ଼କ ପରିବହନ, ରାଜପଥ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୫୫ରେ ସ୍ୱାଗତ କରିବେ ।
ବାଇଡେନ୍ କୋଭିଡ୍ ନେଗେଟିଭ୍ ଥିବା ନେଇ ବୁଧବାର ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିବା ପରେ ତାଙ୍କର ଭାରତ ଗସ୍ତ ପକ୍କା ହୋଇଥିଲା । ସେ ଗୁରୁବାର ଆସିପାରନ୍ତି ବୋଲି କୁହାଯାଉଥିଲା । ତେବେ ସେ ଶୁକ୍ରବାର ଆସିବା ନେଇ ଜଣାପଡ଼ିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଆମେରିକାର ପ୍ରତିନିଧିମାନେ ବ୍ୟାପକ ପ୍ରସ୍ତୁତି ସହ ଆସୁଛନ୍ତି । ଏଥିପାଇଁ ଆମେରିକାରୁ ପ୍ରାୟ ୨୦ରୁ ଅଧିକ ବିମାନ ଆସିବା ସମ୍ଭାବନା ରହିଛି ।
ବାଇଡେନ୍ଙ୍କ ପାଇଁ ସ୍ୱତନ୍ତ୍ର କାର୍କେଡ୍ ବ୍ୟବସ୍ଥା କରାଯାଇଛି । ଏହି କାର୍କେଡ୍ରେ ମୋଟ ୬୦ଟି ଗାଡ଼ି ରହିବ । କାର୍କେଡ୍ରେ ବାଇଡେନ୍ ଆଗରେ ଯିବେ ଏବଂ ତାଙ୍କ ପଛରେ ଆମେରିକାର ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟଙ୍କ ଗାଡ଼ି ରହିବ । ସେମାନଙ୍କ ପଛରେ ଭାରତର ଶୀର୍ଷ କମାଣ୍ଡୋ ଓ ପୁଲିସ ଗାଡ଼ି ରହିବ । ବାଇଡେନ୍ ବିଶ୍ୱର ସବୁଠୁ ନିରାପଦ କାର୍ ‘ଦ ବିଷ୍ଟ’ରେ ବସି ଜି-୨୦ ସମ୍ମିଳନୀସ୍ଥଳରେ ପହଞ୍ଚିବେ । ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ଯାଉଥିବା ନେତାମାନଙ୍କ ମଧ୍ୟରେ ବାଇଡେନ୍ଙ୍କ କାର୍କେଡ୍ ସବୁଠୁ ବଡ଼ ହେବ ।
ଦିଲ୍ଲୀରେ ଜୋ ବାଇଡେନ୍ଙ୍କ ବିମାନ ‘ଏୟାରଫୋର୍ସ ୱାନ୍’ ଅବତରଣ କରିବା ପରେ ତାଙ୍କର ସ୍ୱତନ୍ତ୍ର କାର୍ ଦ ବିଷ୍ଟ ସେଠାରେ ତାଙ୍କୁ ପୂର୍ବରୁ ଅପେକ୍ଷା କରି ରହିଥିବ । କାର୍ ଓ ବିମାନର ଚାରିପଟେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ରହିବେ । ବାଇଡେନ୍ ଓହ୍ଲାଇବା ପରେ ତାଙ୍କ କାର୍କେଡ୍ ଦ୍ରୁତ ଗତିରେ ହୋଟେଲ୍ ଅଭିମୁଖେ ଆଗକୁ ବଢ଼ିବ ଏବଂ ସମଗ୍ର ରୁଟ୍ ପୂର୍ବରୁ ହିଁ ପ୍ରସ୍ତୁତ ହୋଇ ରହିଥିବ । କୌଣସି ସମ୍ଭାବ୍ୟ ଆକ୍ରମଣ ସ୍ଥିତିରେ ଅନ୍ୟ ଏକ ରୁଟ୍ ବି ପ୍ରସ୍ତୁତ ରଖାଯାଇଛି । ଏହି ରୁଟ୍ କେଉଁଠି, ତାହା କେବଳ ଅଧିକାରୀମାନେ ଜାଣିଛନ୍ତି ।
ଆମେରିକା ରାଷ୍ଟ୍ରପତି ବାଇଡେନ୍ ଜି-୨୦ ସମ୍ମିଳନୀରେ ସାମିଲ ହେବା ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ବି ସାମିଲ ହେବେ । ଉଭୟ ନେତା ପ୍ରାୟ ୪୫ ମିନିଟ୍ ଧରି ଦୁଇଦେଶର ସମ୍ପର୍କକୁ ନେଇ ଚର୍ଚ୍ଚା କରିବେ ଏବଂ ଭବିଷ୍ୟତରେ ଏହାକୁ ଆହୁରି ସୁଦୃଢ଼ ପାଇଁ ମାନସ ମନ୍ଥନ କରିବେ । ଦ୍ୱିପାକ୍ଷିକ ଆଲୋଚନା ପରେ ଭାରତ ଓ ଆମେରିକା ମଧ୍ୟରେ କିଛି ବୁଝାମଣା ବି ସ୍ୱାକ୍ଷର ହୋଇପାରେ । ଶୁକ୍ରବାର ଅପରାହ୍ନରେ ପ୍ରଗତି ମଇଦାନର ଭାରତ ମଣ୍ଡପମ୍ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ସେହିଦିନ ୩ଟି ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ମିଳନୀ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଆମେରିକା ସହ ଅନୁଷ୍ଠିତ ହେବ । ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସ୍କଲ୍ଜ ଜି-୨୦ ସମ୍ମିଳନୀ ପରେ ବାଂଲାଦେଶ ଅଭିମୁଖେ ବାହାରିବେ । ତେଣୁ ଜର୍ମାନୀ ସହ ଦ୍ୱିପାକ୍ଷିକ ବୈଠକ ବସିବା ସମ୍ଭାବନା ନାହିଁ ।
ଭାରତରେ ପ୍ରଥମ ଥର ପାଇଁ ଜି-୨୦ ଶିଖର ସମ୍ମିଳନୀ ହେବାକୁ ଯାଉଥିବାରୁ ଏହାକୁ ଐତିହାସିକ ତଥା ସ୍ମରଣୀୟ କରିବା ପାଇଁ ମୋଦି ସରକାର ଯଥାସାଧ୍ୟ ଚେଷ୍ଟା କରିଛନ୍ତି । କୌଣସିଥିରେ ଯେମିତି ସାମାନ୍ୟତମ ଊଣା ନ ରୁହେ, ସେଥିପ୍ରତି ଧ୍ୟାନ ଦିଆଯାଇଛି । ରାଜଧାନୀ ଦିଲ୍ଲୀରେ ଥିବା କେନ୍ଦ୍ରୀୟ ସଂସ୍ଥାନଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ରଙ୍ଗାୟିତ କରାଯାଇଛି । ସ୍କୁଲ ଓ କଲେଜ ବନ୍ଦ ରହିଛି । ସମଗ୍ର ନୂଆଦିଲ୍ଲୀ ଜିଲ୍ଲାକୁ ‘କଣ୍ଟ୍ରୋଲ୍ଡ ଜୋନ୍-୧’ରେ ପରିଣତ କରାଯାଇଛି । ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ମଥୁରା ରୋଡ୍, ଭୈରୋଁ ରୋଡ୍, ପୁରାନା କିଲ୍ଲା ରୋଡ୍ ଏବଂ ପ୍ରଗତି ମଇଦାନ ଟନେଲ୍ ଦେଇ ଭାରୀଯାନ, ବସ୍ ଓ ଲୋକାଲ୍ ସିଟି ବସ୍ ଚଳାଚଳ ବନ୍ଦ କରାଯାଇଛି । ତେବେ କ୍ଷୀର, ପନିପରିବା, ଫଳ ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ଅନୁମତି ମିଳିବ ।