ପ୍ରମୂଖ ଖବର

ଆଦିବାସୀ କାହିଁକି ଆଦିବାସୀ ?

"ଆଦିବାସୀଟିଏ ଆଦିବାସୀ ବୋଲି ତାକୁ ବିକାଶ ଦରକାର', ଏହା ଆମର ଭାବନା ଓ ଧାରଣା । ହେଲେ, ଆଦିବାସୀ କାହିଁକି ଆଦିବାସୀ? ଏହାର ଉତ୍ତର ହେଲା, ଆଦିବାସୀ ଅଭିଯୋଗ କରନ୍ତିନାହିଁ, ସେମାନେ ବଳିଦାନ ଦେଇପାରନ୍ତି, ଆପୋସ ବୁଝାମଣା ଓ କ୍ଷମା କରିପାରନ୍ତି । ସେମାନେ ଅଳ୍ପରେ ଖୁସିହେବା ଶିଖିଛନ୍ତି, ବଞ୍ଚିବା ଶିଖିଛନ୍ତି, ଅଭାବ ଓ ଅସୁବିଧା ସମୟରେ ନିଜେ ହସି ଅନ୍ୟମାନଙ୍କୁ ହସାଇବା ଶିଖିଛନ୍ତି ।

             ଇ କିଛିଦିନ ହେବ ଆଦିବାସୀଙ୍କର ଅସ୍ମିତା, ଅସ୍ତିତ୍ୱ ଓ ବିକାଶକୁ ନେଇ ଚର୍ଚ୍ଚା ଖୁବ୍‌ ଜୋର ଧରିଛି । ଯାହା ବହୁତ ଆଗରୁ ହେବା କଥା, ତାହା ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଦେଶ ଓ ଜାତି ଲାଗି ଏକ ଶୁଭ ସଙ୍କେତ । ଆଦିବାସୀ ହେଲେ ମୂଳ ନିବାସୀ । ଏକ ବୃକ୍ଷର ମୂଳ ଯେପରି ଉପରକୁ ବିଦ୍ୟମାନ ନହୋଇ ମାଟିତଳେ ରହି ବୃକ୍ଷଟିକୁ ଖାଦ୍ୟ, ସ୍ଥିରତା, ଦୃଢ଼ତା, ବ୍ୟାପକତା ଓ ମାଟି ସହିତ ନିଜର ଏକ ନିବିଡ଼ତା ପ୍ରଦାନ କରେ, ସେହିପରି ଆଦିବାସୀମାନେ ସମାଜ, ସଂସାର ଓ ସୃଷ୍ଟିର ଐତିହ୍ୟ, ସଂସ୍କୃତି, ଇତିହାସ, ପରମ୍ପରା, ନୈତିକତା ଓ ସ୍ଥାୟୀ ବିକାଶର ମୂଳ ଓ ମୂଳଦୁଆ । ହେଲେ ଏଇଠି ପ୍ରଶ୍ନ- ଏହା ଯେ କାହିଁକି ଏତେବର୍ଷ ଧରି ଆମେ ସେଇ ମୂଳକୁ ଅଣଦେଖା କରିଆସୁଥିଲେ, ଯାହାଫଳରେ ଆଜି ସେଇ ମୂଳର ଅସ୍ତିତ୍ୱ ଓ ବିକାଶର ଆଲୋଚନାର ଆବଶ୍ୟକତା ପଡ଼ିଯାଇଛି? 

ଯେଉଁ ଆଦିବାସୀମାନେ ନମନୀୟ, ଈଶ୍ୱରଙ୍କର ଅତି ପ୍ରିୟ, ପ୍ରକୃତିର ଖୁବ୍‌ ନିଜର, ଆମେ କାହିଁକି ଆଜି ସେଇମାନଙ୍କ ବିକାଶ କଥା କହୁଛୁ? ଯେଉଁ ଆଦିବାସୀମାନେ ପୂର୍ବରୁ ହିଁ ବିକଶିତ ଓ ବିକାଶର କର୍ଣ୍ଣଧାର, ଆମେ କାହିଁକି ସବୁବେଳେ ସେଇ ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା କଥା କହୁଛୁ? ଏହି ମୁଖ୍ୟସ୍ରୋତର ଠିକ୍‌ ବ୍ୟାଖ୍ୟା କ'ଣ? ଆଦିବାସୀମାନେ କେବଳ ଗୋଟିଏ ରାଷ୍ଟ୍ରର ନୁହେଁ, ବରଂ ସମଗ୍ର ଗ୍ରହର ‘ସବୁଜ ରାଷ୍ଟ୍ରଦୂତ, ସବୁଜ ଅଭିବୃଦ୍ଧିର ଚାଳକ, ସବୁଜ ପୁଞ୍ଜି' ବ୍ୟବହାର କରି "ସବୁଜ ସମ୍ପଦ' ବଢ଼ାଇବାରେ ନିପୁଣ । ତାହା ସତ୍ତେ୍ୱ ବି ଆମେ ସେଇ ଆଦିବାସୀଙ୍କ ବିକାଶକୁ କେବଳ ଅର୍ଥନୈତିକ ସୂଚକାଙ୍କ ମଧ୍ୟରେ ସୀମିତ କରିବାକୁ ଚେଷ୍ଟା କରୁଛୁ କି? ନିଜ ମାଟି, ସଂସ୍କୃତି, ଐତିହ୍ୟ, ପରମ୍ପରା, ଜ୍ଞାନ ଓ କୌଶଳକୁ ପଛରେ ପକାଇ ଆଦିବାସୀଙ୍କର ମୌଳିକତାର ବିନାଶ କରି ସ୍ୱବର୍ଣ୍ଣିତ ବିକାଶ ଆଡ଼କୁ ଆଦିବାସୀଙ୍କୁ ଟାଣି ଆଣିବାକୁ ଆମେ ଆଦିବାସୀଙ୍କ ବିକାଶ ବୋଲି ଭାବୁଛୁ କି? ଯଦି ସତରେ ଆମେ ଆମ ମୂଳ ନିବାସୀଙ୍କ ଲାଗି ଚିନ୍ତିତ, ସେମାନଙ୍କ ପ୍ରକୃତ ବିକାଶ ଲାଗି ତତ୍ପର ବା ଆଦିବାସୀଙ୍କ ପ୍ରତି ଆମେ କରିଆସୁଥିବା ଆମ ଭୁଲ୍‌କୁ ସୁଧାରିବାକୁ ଆମେ ସଂକଳ୍ପବଦ୍ଧ, ତେବେ ତାହା ପୂର୍ବରୁ ଆମକୁ ବୁଝିବାକୁ ହେବ ଯେ "ଆଦିବାସୀ କାହିଁକି ଆଦିବାସୀ' । 

ବିକଶିତ ସେଇ ଆଦିବାସୀଙ୍କୁ ଆଜି କାହିଁକି ବିକାଶ ଲୋଡ଼ା ହେଉଛି? ପ୍ରଗତିଶୀଳ ସେଇ ଆଦିବାସୀ ଆଜି କାହିଁକି ପଛୁଆ? ଆଦିବାସୀଙ୍କ ବିକାଶ ଓ ଆଦିବାସୀ କଲ୍ୟାଣ ନିମନ୍ତେ ନୀତି ନିର୍ମାଣ ଲାଗି ଅନେକ ସେମିନାର ବା ଆଲୋଚନାଚକ୍ରମାନ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଜାତୀୟ ପ୍ରତିଷ୍ଠାନରେ ଆୟୋଜିତ ହେଉଛି, ଯେଉଁଥିରେ ଗବେଷକ, ତୃଣମୂଳ ସ୍ତରରେ କାମ କରୁଥିବା ବ୍ୟକ୍ତି ବା ସଂସ୍ଥା, ନେତା, ନୀତି ନିର୍ମାତା, ଅନୁସନ୍ଧାନକାରୀ ଭାଗ ନେଉଛନ୍ତି, ନିଜ ମତ ଓ ମନ୍ତବ୍ୟ ଉପସ୍ଥାପନ କରୁଛନ୍ତି । ଆଦିବାସୀ ବାଦ୍ୟ, ନୃତ୍ୟ ଓ ସଂଗୀତ ଆଜିକାଲି ସେମିନାର ବା ଆଦିବାସୀ କନକ୍ଲେଭର ଏକ ଭାଗ ହୋଇଗଲାଣି, ଯାହା ଅତି ପ୍ରଶଂସନୀୟ । ଆଦିବାସୀ ଡାପୁ, ତୁଡୁମୁ, ମାରି, କିରିଡି, ପିତଲ୍‌ ମହିରା ତାଳେ ତାଳେ ଢେମ୍‌ସା ନାଚରେ ସଭାସ୍ଥଳୀ ନଦୁଲୁକିଲେ କେମିତି ହେବ! ସେଥିପାଇଁ ଆୟୋଜକମାନେ ଢେମ୍‌ସା ନାଚ ନାଚିବାକୁ, ଖାସ୍‌କରି କୋରାପୁଟରୁ ନୃତ୍ୟଶିଳ୍ପୀଙ୍କୁ ଓ ବାଦକମାନଙ୍କୁ ଆଣୁଛନ୍ତି । ଏକ ଆଦିବାସୀ ସେମିନାରରେ ମୋତେ ମଧ୍ୟ ଢେମ୍‌ସା ନାଚକୁ ଅନୁଭବ କରିବାର ଏକ ନିଆରା ଅନୁଭୂତି ମିଳିଥିଲା । ସେମିନାର ଉଦ୍‌ଘାଟନୀରେ ଏକ ଚମତ୍କାର ପ୍ରଦର୍ଶନୀ ଦେଇଥିଲେ ସେଇ ଆଦିବାସୀ ଝିଅମାନେ । ଉଦ୍‌ଘାଟନ ପରେ ପରେ ଆଲୋଚନାଚକ୍ର ଆରମ୍ଭ ହୋଇଯାଇଥିଲା ସତ, ହେଲେ ମୋର ମନ ସେଇ ଢେମ୍‌ସା ନାଚରେ ରହିଯାଇଥିଲା । ରହିଯାଇଥିଲା ମନ ସେଇ ଝିଅମାନଙ୍କୁ ଭେଟି ତାଙ୍କୁ ପ୍ରଶଂସା ଜଣେଇବାରେ । ହେଲେ ଯେତେ ସେମାନଙ୍କୁ ଖୋଜୁଥିଲେ ମଧ୍ୟ ଆଖପାଖରେ ପାଉନଥିଲି । ହେଲେ ପଚାରି ପଚାରି ଯାଇ ପହଞ୍ଚି ଯାଇଥିଲି ସେଇ ଝିଅମାନଙ୍କ ପାଖରେ । ସେମାନେ ମୋତେ ଦେଖି ପ୍ରଥମେ ଟିକିଏ ସଂକୁଚିତ ହୋଇଯାଇଥିଲେ । ହେଲେ ମୁଁ କିନ୍ତୁ ସେମାନଙ୍କୁ ଦେଖି ହତାଶ ହୋଇଯାଇଥିଲି ।

 ଯେତେବେଳେ ଗୋଟିଏ ପାଖରେ ଆଦିବାସୀଙ୍କ ବିକାଶ ନିମନ୍ତେ ଏ.ସି. କକ୍ଷରେ ଜ୍ଞାନୀ, ଗୁଣୀ, ନାମୀଦାମୀ ଲୋକେ ଆଲୋଚନା କରୁଥିଲେ, ଯାହାଙ୍କର ରହିବାର ବ୍ୟବସ୍ଥା ପଞ୍ଚତାରକା ହୋଟେଲରେ କରାଯାଇଥିଲା, ସେତେବେଳେ ଆରପାଖରେ କୋରାପୁଟରୁ ଆସିଥିବା ସେଇ ଆଦିବାସୀମାନେ ଝରକାବୀହିନ ଏକ ଛୋଟ କକ୍ଷରେ ରହୁଥିଲେ । ପ୍ରାୟ ୨୧ଜଣ ଭଳି ପୁଅଝିଅ ଗୋଟିଏ ଜାଗାରେ ତଳେ ମସିଣା ପକେଇ ଗଡୁଥାନ୍ତି । ସେଇ ପାଖରେ ଥାଏ ସେମାନଙ୍କର ବାଦ୍ୟଯନ୍ତ୍ର, ନାଚ ସାମଗ୍ରୀ ଓ ଦୁଇଦିନ ଧରି ସେଠାରେ ରହିବା ପାଇଁ ସେମାଙ୍କର ନିଜର ଲୁଗାପଟା । ଆରପାଖରେ ଯେତେବେଳେ ନାନା ଆମିଷ ଓ ନିରାମିଷ ବ୍ୟଞ୍ଜନ ସହିତ ଚାହା ଓ କଫିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ, ସେତେବେଳେ ସେଇ ଆଦିବାସୀଙ୍କ ଲାଗି ଭାତ, ଡାଲି, ବନ୍ଧାକୋବି ତରକାରିର ବ୍ୟବସ୍ଥା ହୋଇଥାଏ । ତଥାପି ସେମାନଙ୍କ ମୁହଁରେ ଦୁଃଖ ନଥାଏ କି କିଛି ଅଭିଯୋଗର ସଂକେତ ନଥାଏ, ନଥାଏ କ୍ଷୋଭ ଅବହେଳିତ ବା ଅସମାନତାର ଶରବ୍ୟ ହେଉଥିବାର । ମନେମନେ ନିଜକୁ ନିଜେ ଧିକ୍‌ ବୋଲି ଭାବି ଚାଲିଯାଇଥିଲି ସେମାନଙ୍କ ପାଖକୁ । ଟିକିଏ ସମୟ ପରେ ସେମାନେ ମୋତେ ଏତେ ଆପଣାର କରିଦେଇଥିଲେ ଯେ, ଆଜିପର୍ଯ୍ୟନ୍ତ ସେମାନେ ମୋତେ ଭୁଲି ପାରୁନାହାଁନ୍ତି, କି ମୁଁ ସେମାନଙ୍କୁ ଭୁଲି ପାରୁନାହିଁ । ସେଇ ଝିଅଙ୍କ ସାଙ୍ଗରେ କିଛି ସମୟ କାଟିବା ପରେ ମୁଁ କିଛି ପ୍ରଶ୍ନର ଉତ୍ତର ପାଇପାରିଥିଲି ଯେଉଁଥିରେ ନିହିତ ଏକ ଗୁମର କଥା, ଯେ ଆଦିବାସୀଙ୍କୁ ବିକାଶ କାହିଁକି ଲୋଡ଼ା । ସେଇ ସେମିନାରରେ ଅନେକ କଥା ଶିକ୍ଷଣୀୟ ଥିଲା, ହେଲେ ସେଇ ଆଦିବାସୀ ଝିଅଙ୍କଠାରୁ ଯାହା ମୁଁ ସାଉଣ୍ଟିଥିଲି ତାହା ଅତ୍ୟଧିକ ମୂଲ୍ୟବାନ ଅଟେ । 

"ଆଦିବାସୀଟିଏ ଆଦିବାସୀ ବୋଲି ତାକୁ ବିକାଶ ଦରକାର', ଏହା ଆମର ଭାବନା ଓ ଧାରଣା । ହେଲେ, ଆଦିବାସୀ କାହିଁକି ଆଦିବାସୀ? ଏହାର ଉତ୍ତର ହେଲା, ଆଦିବାସୀ ଅଭିଯୋଗ କରନ୍ତିନାହିଁ, ସେମାନେ ବଳିଦାନ ଦେଇପାରନ୍ତି, ଆପୋସ ବୁଝାମଣା ଓ କ୍ଷମା କରିପାରନ୍ତି । ସେମାନେ ଅଳ୍ପରେ ଖୁସିହେବା ଶିଖିଛନ୍ତି, ବଞ୍ଚିବା ଶିଖିଛନ୍ତି, ଅଭାବ ଓ ଅସୁବିଧା ସମୟରେ ନିଜେ ହସି ଅନ୍ୟମାନଙ୍କୁ ହସାଇବା ଶିଖିଛନ୍ତି । ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ିବା ଶିଖି ପରିସ୍ଥିତିକୁ ଅନୁକୂଳ କରିବା ମଧ୍ୟ ଶିଖିଛନ୍ତି । ଆଦିବାସୀ କାହିଁକି ଆଦିବାସୀ, କାରଣ ଆମେ ଆଲୋଚନା କରିବାକୁ, ବିକାଶର ଏଜେଣ୍ଡା ପ୍ରଦର୍ଶନ କରିବାକୁ ଆଦିବାସୀଙ୍କୁ ଲୋଡୁ । ଆମ ନିଜର ସ୍ୱାର୍ଥସାଧନ ଲାଗି ଆମକୁ ଆଦିବାସୀ ଦରକାର । ଆମ ନିର୍ଯାତନା ସହି ଆମ ପ୍ରଗତିର ରାସ୍ତା ଖୋଲିବା ପାଇଁ ଆମକୁ ଆଦିବାସୀ ଦରକାର । ଆଦିବାସୀମାନେ ନିଜ ଜଳ, ଜମି, ଜଙ୍ଗଲକୁ ଭଲପାଆନ୍ତି, ନିଜ ଦେହର କଳାରଙ୍ଗ, ବାସ୍ନା ସହିତ ନିଜ କଳା, ସଂସ୍କୃତି, ସଂସ୍କାର, ଭାଷା, ଭାବ ଓ ଭାବନାକୁ ଭଲପାଆନ୍ତି, ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କରନ୍ତି, ନିଜ ମା' ମାଟିକୁ ଛାଡ଼ିପାରନ୍ତି ନାହିଁ, ସେମାନେ ଆମ ଭଳି ତଥାକଥିତ ବିକାଶ ପଛରେ ବାୟା ନୁହଁନ୍ତି । ଏଇଥିପାଇଁ ହିଁ ଆଦିବାସୀ ଆଦିବାସୀ! 

ଟିକିଏ ଭାବି ଦେଖିଲେ, ଆମେ ଯେଉଁ ଆଦିବାସୀଙ୍କ ବିକାଶ କଥା କହୁଛୁ, ଯେଉଁମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ କରୁଛୁ, ଆମ ଭଳି ହେବାକୁ ଉତ୍ସାହ କରୁଛୁ, ବିକାଶ ଓ ବିକଶିତ କରାଇବାକୁ ଚେଷ୍ଟା କରୁଛୁ, ହେଲେ ଆମେ କ'ଣ ସମ୍ପୂର୍ଣ୍ଣ ବିକଶିତ? ଆମେ ତ ରାତି ପାହିଲେ ପଇସା, ଅଧିକ ପଇସା ବିଷୟରେ ଭାବୁଛୁ । ସବୁବେଳେ ଆମେରିକା ଭଳି ହେବାକୁ ଆଶା କରୁଛୁ! ଆମ ଛୁଆଙ୍କୁ ବିଦେଶରେ ପାଠ ପଢ଼ାଇ, ବିଦେଶରେ ଚାକିରି କରି ଡଲାର ରୋଜଗାର କରିବାକୁ ପରାମର୍ଶ ଦେଉଛୁ! ଆମେ ତ ସବୁବେଳେ ଅନ୍ୟମାନଙ୍କୁ ଅନୁକରଣ କରୁଛୁ ଓ ବେଳେବେଳେ ସେଇ ଅନୁକରଣ ହନୁକରଣ ମଧ୍ୟ ହୋଇଯାଉଛି! ଆମେ ତ ନିଜ ପର୍ବପର୍ବାଣି, ପୋଷାକ ପରିଧାନ, ଖାଦ୍ୟପେୟ, ସଂସ୍କାର ସଂସ୍କୃତିକୁ ଭୁଲି ବିଦେଶୀ ଯାକଜକମ ଆଡ଼ିକି ଢଳିଯାଉଛୁ, ଯାହାକୁ ଆମେ ବିକାଶର ଅନ୍ୟ ନାମ ବୋଲି ମଧ୍ୟ କହୁଛୁ! ବିକାଶ ନାଁରେ ନିଜ ଦେଶ, ନିଜ ମାଟି ମା' ଓ ଏମିତିକି ଜନ୍ମ ଦେଇଥିବା ମାତାପିତାଙ୍କ ପ୍ରତି ନିଜର କର୍ତ୍ତବ୍ୟ ମଧ୍ୟ ଭୁଲି ଯାଉଛୁ! ସେଥିରେ ଆମେ ଆଦିବାସୀଙ୍କ ବିକାଶ କଥା କେମିତି କହୁଛୁ? ଆମ ପାଇଁ ବିକାଶ କ'ଣ? ଯଦି ଆମେ ଆଜିଯାଏଁ ବିକାଶର ଅର୍ଥ ଠିକ୍‌ଭାବରେ ବୁଝିନାହୁଁ ବା ବିକାଶକୁ ନେଇ ଯଦି ଆମର ଧାରଣା, ଦିଗ, କାର୍ଯ୍ୟରେ ସ୍ପଷ୍ଟତା କି ସ୍ୱଚ୍ଛତା ନାହିଁ, ତେବେ ଆମେ ସେଇ ନିରୀହ ଆଦିବାସୀଙ୍କ ବିକାଶ କଥା କିପରି କହୁଛୁ? ପ୍ରଥମେ ବିକାଶ ବିଷୟରେ ନିଜକୁ ଶିକ୍ଷିତ ଓ ମାର୍ଜିତ କରିବାର ଅଛି ଓ ପରେ ଅନ୍ୟକୁ ପ୍ରଶିକ୍ଷଣ ଦେଲେ ଚଳିବ । ବିକାଶ ନାଁରେ ଆମେ ଆଦିବାସୀଙ୍କୁ ଯାହା ପାଠ ପଢ଼ାଇ ଚାଲିଛୁ, ଯାହା ଘୋଷାଇ ଚାଲିଛୁ, ଆଦିବାସୀମାନେ ଆମକୁ ସୁହାଇଲା ଭଳି ଉତ୍ତର ମଧ୍ୟ ଦେଉଛନ୍ତି । ଆଦିବାସୀଙ୍କୁ ଶିଖା ହେଉଛି ଯେ ବିକାଶ କହିଲେ ସ୍କୁଲ, ରାସ୍ତା, ପାନୀୟଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା ଓ ରୋଜଗାର । ତାହାଛଡ଼ା ଆଦିବାସୀଙ୍କର ମୂଳ ଇଚ୍ଛା, ବିକାଶକୁ ନେଇ ସେମାନଙ୍କର ଚିନ୍ତାଧାରା, ସ୍ଥାୟୀ ବିକାଶକୁ ନେଇ ସେମାନଙ୍କ ଦୃଷ୍ଟିକୋଣ, ଅବଦାନ ଓ ଅନୁଦାନକୁ ଆମେ କୋଣଠେସା କରି ଦେଉଛୁ । ଆମେ ଯାହା ଚାହିଁବୁ ତାହା ଆଦିବାସୀଙ୍କୁ ଶିଖେଇବୁ, ଆମକୁ ଯାହା ଦରକାର ଆମେ ତାହା ଆଦିବାସୀଙ୍କ ଠାରୁ ଛଡ଼େଇ ଆଣିବୁ ଓ ସବୁ ପରେ କହିବୁ କ'ଣ ନା ଆମେ ଆଦିବାସୀଙ୍କ ସହ ସମାଧାନମୂଳକ ଆଲୋଚନା କରି ବିକାଶର ବାଟ ବାହାର କରିବୁ । ଏହା ଉଦାହରଣ ହେଲା ସେଇ ଆଦିବାସୀ ଢେମ୍‌ସା ନୃତ୍ୟଶିଳ୍ପୀଙ୍କ ପାଇଁ ଆମର ଦୋହରା ମାନଦଣ୍ଡ । 

ସେଇ ଆଦିବାସୀଙ୍କ ବିକାଶ ଆମେ କେମିତି କରିପାରିବା, ଯେଉଁମାନେ ପ୍ରଥମରୁ ହିଁ ବିକଶିତ! କେବଳ ଆଦିବାସୀଟିଏ ଆଦିବାସୀ ବୋଲି, ବା ଆମେ ଆଦିବାସୀଙ୍କ ଠାରୁ ଅଧିକ ପାଠ ପଢ଼ିଛୁ ବୋଲି, ଆମେ ସେମାନଙ୍କର ବିକାଶ କରିବା ବୋଲି ଭାବିବାଟା ସମ୍ପୂର୍ଣ୍ଣ ଭୁଲ୍‌ । ବିକାଶ ନାଁରେ ଆଦିବାସୀଙ୍କ ଲାଗି କରୁଥିବା ବିନାଶର ସୁଡ଼ଙ୍ଗ ଦେଖି ଭୟ ଲାଗୁଛି । ଭୟ ଲାଗୁଛି, ଯଦି ସତରେ ଆଦିବାସୀମାନେ ଆମ ଭଳିଆ ହୋଇଯିବେ, ତେବେ ଆମ ପିଲାମାନେ ବୋଧହୁଏ ସେଇ ପ୍ରକୃତିର ମହାନ ସନ୍ତାନଙ୍କୁ ଆଉ ଦେଖିପାରିବେ ନାହିଁ! ଭୟ ଲାଗୁଛି, ଯେମିତି ବିକାଶର ଚାଦର ତଳେ ଆଦିବାସୀମାନେ ସୁନ୍ଦର ଇତିହାସ ଯେମିତି ନପାଲଟିଯାନ୍ତୁ । ଭୟ ଲାଗୁଛି ଯେମିତି ବିକାଶ ନାଁରେ ପ୍ରକୃତି ମା' ନିଜର ଅତି ପ୍ରିୟ ସନ୍ତାନକୁ ହରେଇ ନବସୁ । ଯେଉଁଦିନ ଆମେ "ଆଦିବାସୀ କାହିଁକି ଆଦିବାସୀ' ବୋଲି ବୁଝିପାରିବା, ସେଇଦିନ ଆମେ ବିକାଶର ଠିକ୍‌ ସଂଜ୍ଞା, ଦିଗ ଓ କ୍ଷେତ୍ର ତିଆରି କରିପାରିବା ଓ ଉଚିତ ଭାବରେ ଆଦିବାସୀଙ୍କର ବିକାଶ ମଧ୍ୟ କରିପାରିବା । କେବଳ ନିଜ ସ୍ୱାର୍ଥଲାଗି ଆଦିବାସୀଙ୍କ ବିକାଶ କରିବା ବା କରୁଛନ୍ତି କହିଲେ ତାହା ମାନବ ସମାଜର ବିନାଶର ବାଟ ଫିଟାଇ ଦେଇପାରେ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.