ମାଲକାନଗିରି : ପୋଖରୀରେ ଗାଧୋଉ ଥିବା ବେଳେ ଚାଲିଗଲା ମହିଳାଙ୍କ ଜୀବନ। ପୋଖରୀରେ ଥିବା କାଦୁଆରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା। ଘଟଣାଟି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ପଞ୍ଚାୟତ ଏରାକୋଣ୍ଡା ଗ୍ରାମରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ , ଏରାକୋଣ୍ଡା ଗ୍ରାମର ଭୀମା ମାଢିଙ୍କ ସ୍ତ୍ରୀ ଗାଙ୍ଗି ମାଢି ଗତକାଲୀ ରାତ୍ରରେ ଗାଁ ନିକଟରେ ଥିବା ଜମିକୁ ଶୌଚ ପାଇଁ ଯାଇଥିଲେ। ରାତି ସମୟରେ ସେ ଗମ୍ପାକୋଣ୍ଡା ବେଜାଙ୍ଗିବାଡା ମୁଖ୍ୟ ରାସ୍ତା କଡ଼ରେ ଥିବା ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ , ଅନ୍ଧାରରେ ପାଣିରେ ଗୋଡ଼ ଖସି ଯାଇଥିଲା। ଫଳରେ ମହିଳାଙ୍କ ମୃତ୍ୟୁ ହୋଇ ଥିଲା। ଏହାପରେ ରାତି ସାରା ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ଆଉ ପାଇ ନଥିଲେ , ଆଜି ସକାଳୁ ଉକ୍ତ ପୋଖରୀରେ ଶବ ଭାସୁ ଥିବାର କିଛି ଲୋକ ଦେଖିବା ପରେ, ତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
ଗ୍ରାମବାସୀ ପୋଖରୀରୁ ଶବ ଉଦ୍ଧାର କରି ଏ ସମ୍ପର୍କରେ କାଲିମେଳା ଥାନାକୁ ଜଣାଇ ଥିଲେ। କାଲିମେଳା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ, ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିବା ଜଣାପଡିଛି।