ଭୁବନେଶ୍ୱର/ଛନ୍ଦା ମିଶ୍ର, ୧୪।୮: କୁହାଯାଏ, ସତ୍ୟ ଯୁଗରେ ଚାରିପାଦ ଧର୍ମଙ୍କ ରାଜୁତି ଥିଲା । ପରେ ପରେ ଗୋଟିଏ ଗୋଟିଏ ପାଦ ଅପସରି, ତ୍ରେତୟା ଓ ଦ୍ୱାପର ପରେ କଳିଯୁଗ ପାଇଁ ରହିଗଲା ମାତ୍ର ଗୋଟିଏ ପାଦ ଧର୍ମ । ଆଉ ବାକି ତିନିପାଦ କଳିଙ୍କ ରାଜୁତି । ତେଣୁ ଯାହା ନହେବା କଥା ତାହା ସବୁ ହେବାରେ ଲାଗିଛି । ଏଇ ଯେମିତି ବର୍ଷାଦିନେ ବର୍ଷା ନହେବା, ଶୀତଦିନେ ଶୀତ ନହେବା, ନଦୀମାନେ ଜଳ ନଦେବା, ବୃକ୍ଷମାନେ ଫଳ ନଦେବା, ଆହୁରି ଅନେକ ଅବାନ୍ତର, ଅନାବଶ୍ୟକ ଓ ଅକଳ୍ପନୀୟ କଥା ସବୁ ଘଟି ଚାଲିଛି । ଏଇ ଯେମିତି ଯାହା ଲୁଚେଇବା କଥା ତାକୁ ଦେଖାଇ, ଯାହା ଦେଖାଇବା କଥା ତାକୁ ଲୁଚେଇ ଦିଆଯାଉଛି । ପୁଣି କେହି ଜଣେ ଭୁସ୍ ପଣ୍ଡିତ କହି ଦେଇଛନ୍ତି ଯେ, ଯା ଦିଖତା ହୈ ୱ ବିକତା ହୈ । ବାସ୍ ବାସ୍, ଲୋକେ ନିଜକୁ ବିଭିନ୍ନ ଢଙ୍ଗରେ ବିକିବାକୁ ଆରମ୍ଭ କରିଦେଇଛନ୍ତି ।
ଜପ, ତପ, ଦାନ, ଧ୍ୟାନ ଓ ସମ୍ଭୋଗ ଆଦି ଯାହା ସବୁକୁ ଗୋପନରେ କରାଯିବା ଉଚିତ୍ ବୋଲି ସାଧୁସନ୍ଥମାନେ କହିଯାଇଛନ୍ତି, ସେସବୁ ଏବେ ନିଜକୁ ବିଜ୍ଞାପିତ କରିବାର ମାଧ୍ୟମ ପାଲଟି ଯାଇଛି । ଆଉ ତାକୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଚାହିଁ ବସିଛି ସୋସିଆଲ ମିଡିଆ, ଯେଉଁଠି ତିନି ତୁଣ୍ଡରେ ଛେଳି କୁକୁର ପାଲଟିଯାଏ । ଆଉ କୁକୁର, ହାତୀରେ ହୁଏ ଗଣା । ନାମ କରିବାର ଅଛି, ତେଣିକି ବାଟ ମଇଳା ହେଲେ ହେଉ, ତାହା ହିଁ ତ ସହଜ ଉପାୟ । କୁହାଯାଏ, ଦାନ କରିବା ଦ୍ୱାରା ପୁଣ୍ୟ ଅର୍ଜନ ହୋଇଥାଏ । ଆଉ ଦାନରେ ଦୁର୍ଗତି ମଧ୍ୟ ହୋଇଥାଏ କ୍ଷୟ । ସେଥିପାଇଁ ଦାନ ନେବାକୁ ସହଜରେ ଲୋକ ମିଳନ୍ତି ନାହିଁ । କାରଣ ଦାନ ନେଉଥିବା ଲୋକ ଦାତାର ପାପରେ ମଧ୍ୟ ହୁଏ ଭାଗୀଦାର । କେବଳ ଏଇଥିପାଇଁ ଅନ୍ନଛତ୍ରରେ କାମ ନକରି ଖାଇବାକୁ ମିଳିଥିବାରୁ ଲୋକେ ଭୋକରେ ମଲେ ପଛେ ଖାଇଲେ ନାହିଁ । ଆଉ ଯେଉଁମାନେ ଖାଇଲେ, ସେମାନଙ୍କୁ ଛତରଖିଆ କହି ସମାଜ ବାସନ୍ଦ କଲା । ହେଲେ ଆଜି ନବା ପାଇଁ ଯେତେ ହାତ, ଫଟ ଉଠେଇ ଦେଖେଇ ହେବା ପାଇଁ ତାଠାରୁ ଅଧିକ ହାତ । ଆମ ଶାସ୍ତ୍ର କୁହନ୍ତି- ଡାହାଣ ହାତର ଦାନ ବାମ ହାତ ଜାଣିବା ଅନୁଚିତ୍ । କିନ୍ତୁ ଏଠି ଡାହାଣ ହାତ ଦେଉଥିଲା ବେଳେ ବାମ ହାତ ଫଟ ଉଠେଇ, ଦେଖ ମୁଁ ଦେଉଛି ବୋଲି କହି ସମାଜରେ ପ୍ରଚାର ପ୍ରସାର କରିପାରିଲେ ହିଁ ଆପଣ ବୋଲାଇ ପାରିବେ ସମାଜସେବୀ । (ଏମିତିରେ ଦେଖିବେ ଯଦି ସମାଜସେବୀର କୌଣସି ନିର୍ଦ୍ଦିଷ୍ଟ ଯୋଗ୍ୟତା ନାହିଁ, ବାସ୍ ଦୁଇ ତିନିଜଣଙ୍କ ମୁହଁରେ ନିଜକୁ ସମାଜସେବୀ ବୋଲି କୁହାଇପାରିଲେ ହେଲା) । ଆଉ ଥରେ ସମାଜସେବୀ ବୋଲି ମୁହଁରେ ଷ୍ଟାମ୍ପଟିଏ ବାଜିଗଲେ ତେଣିକି ବଡ଼ ବଡ଼ ମଞ୍ଚରେ ଠିଆ ହୋଇ ଭାଷଣ ଦେବା ସହଜ ହୁଏ ।
ଟଗର ଠାରୁ ପଦ୍ମ ପର୍ଯ୍ୟନ୍ତ ସବୁ ଫୁଲ ମିଳିବା ହୋଇଯାଏ ସୁଲଭ । ଆହୁରି ଯେଉଁମାନେ ଜପ ତପରେ ସମୟ ବ୍ୟତୀତ କରିବାକୁ ଚାହାଁନ୍ତି ସେମାନେ ସଂସାର ଠାରୁ ଦୂରରେ ରହି ଆତ୍ମା ସହିତ ପରମାତ୍ମାର ଯୋଗସୂତ୍ର ରକ୍ଷାକରିବା ପାଇଁ ହୁଅନ୍ତି ଆଗଭର । ବନ, ପାହାଡ଼ ଭିତରେ ଏକୁଟିଆ ନିଜ ଆରାଧ୍ୟଙ୍କୁ ପାଇବା ପାଇଁ କରନ୍ତି ସାଧନା । କିନ୍ତୁ ଯେଉଁମାନେ ସଂସାର ମଧ୍ୟରେ ଥାଇ ଏପରି ସାଧନା କରନ୍ତି, ସେମାନେ ଏସବୁକୁ ଏତେ ଗୋପନରେ କରନ୍ତି ଯେ ତାଙ୍କ ପାଖ ଲୋକ ମଧ୍ୟ ତାର ଟେର ପାଏନାହିଁ । ମନେଅଛି ନା ସେ ରାଜାଙ୍କ କଥା । ମନେ ନାହିଁ ଯଦି ଶୁଣନ୍ତୁ । ଥିଲେ ଜଣେ ରାଜା, ତାଙ୍କର ଥିଲେ ବି ଜଣେ ରାଣୀ । ରାଣୀ ଥିଲେ ଖୁବ୍ ଧର୍ମପରାୟଣା । ପୂଜାପାଠ ଦାନ ଧ୍ୟାନରେ ତାଙ୍କର ସମୟ ଅତିବାହିତ ହେଉଥିଲା । କିନ୍ତୁ ରାଜା ଏସବୁର ଧାର୍ ଧରୁନଥିଲେ । ତାଙ୍କ ରାଜକାର୍ଯ୍ୟ ଭଲ ଆଉ ସେ ଭଲ । ରାଣୀଙ୍କର ଭାରି ଇଚ୍ଛା ରାଜା ବି ଟିକେ ଏଇ ଧର୍ମକାର୍ଯ୍ୟରେ ମନ ଦିଅନ୍ତେ । ହେଲେ ରାଜା, ରାଣୀଙ୍କ କଥା ଏ କାନରେ ପୂରାଇ ସେ କାନରେ କାଢ଼ି ଦିଅନ୍ତି । ଦିନେ ରାଜା ସକାଳେ ଉଠିଲା ବେଳକୁ ରାଣୀ ଖୁସିରେ ଗଦ୍ଗଦ୍ ହୋଇ ଦାସୀ ପୋଇଲି ଆଦିଙ୍କୁ ଦାମୀ ଅଳଙ୍କାରମାନ ଦାନ ଦେବାରେ ଲାଗିଛନ୍ତି । ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ- ଆଜି କ’ଣ ପାଇଁ ଏତେ ଖୁସି! ରାଣୀ ଉତ୍ତର ଦେଲେ- କାଲି ରାତିରେ ଆପଣ ଶୋଇଥିଲେ, ଆଉ ଆପଣଙ୍କ ପ୍ରତିଟି ପ୍ରଶ୍ୱାସରେ ରାମ ନାମ ହେଉଥିଲା ଉଚ୍ଚାରିତ । ଯାହା ମୁଁ ଏତେଦିନ ଧରି ଚାହିଁଥିଲି, ତାହା ଆଜି ପୂର୍ଣ୍ଣ ହୋଇଥିବାରୁ... । ରାଜା ଏହା ଶୁଣି କହିଲେ- ହାଏ! ଯାହା ମୁଁ ଏତେ ଦିନ ଧରି ହୃଦୟ ଭିତରେ ସାଇତି ରଖିଥିଲି, ତାହା ଆଜି ବାହାରକୁ ଆସିଗଲା! ରାଜାଙ୍କ ଶରୀର ନିର୍ଜୀବ ହୋଇଗଲା । ଏବେ କିନ୍ତୁ ସେକାଳର ପଖାଳକୁ ବାସି କହି ଠାକୁରଙ୍କୁ ପଛରେ ରଖି ସେଲ୍ଫି ନନେଲେ ଆମ ପୂଜା ଅସମ୍ପୂର୍ଣ୍ଣ ବୋଲି ଆମକୁ ଲାଗୁଛି । ମୁଣ୍ଡରେ ରାମ ନାମର ତିଳକ ଓ ବେକରେ ରୁଦ୍ରାକ୍ଷ ମାଳ ପିନ୍ଧି ନିଜକୁ ପରମ ଧାର୍ମିକ ବୋଲି ପରିଚୟ ଦେବାକୁ ଆମର ଖୁବ୍ ଆଗ୍ରହ । ଆମ ବେଶକୁ ଦେଖି ଲୋକେ ବି ଭୋଳ । ଆମ ପାଦଧୂଳି ନେବା ପାଇଁ ହୋଇଯାଏ ଦଳାଚକଟା ।
କିନ୍ତୁ ସବୁ ଜଟାଜୁଟଧାରୀ ଶ୍ରୀରାମ ନୁହଁନ୍ତି, ରାବଣ ବି ହୋଇପାରନ୍ତି, ଏକଥା ପାସୋରିଲେ ପୁଣି ପ୍ରଳୟ ହେବାର ସମ୍ଭାବନା ରହିଛି । ଆଉ ରହିଲା ସମ୍ଭୋଗର କଥା । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଅଳ୍ପ କେତୋଟି ଇତର ପ୍ରାଣୀଙ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତେ କର୍ମଟିରେ ଗୋପନୀୟତା ରକ୍ଷା କରନ୍ତି । ବିଶେଷକରି ସମାଜରେ ଶୃଙ୍ଖଳା ରକ୍ଷା ନିମନ୍ତେ ମାନବ ସମାଜରେ ଏଥିପାଇଁ କେତେଗୁଡିଏ ନୀତି ନିୟମ ନିର୍ଦ୍ଧାରିତ ହୋଇଛି । ତାହାକୁ ମାନି କାଳ କାଳ ଧରି ସମାଜ ନିଜକୁ ସୁରକ୍ଷା ଦେଇଛି । କିନ୍ତୁ ଏବେ ତ କଳିକାଳ, ପୁଣି ସେଇ ଲୁଚେଇବା କଥା ଦେଖାଇବାର ପାଳି । ତେଣୁ ହାଟରୁ ନେଇ ବାଟ ଯାକେ, ରୁପେଲି ପରଦାରୁ ନେଇ ମୋବାଇଲ ପରଦା ଯାଏଁ, ପାର୍କରୁ ନେଇ ମନ୍ଦିର ପର୍ଯ୍ୟନ୍ତ, ଏସବୁ ବେଶ୍ ଖୋଲାଖୋଲି ବିକ୍ରି ହେଉଛି । ହେଲେ ଏହାଦ୍ୱାରା ଅନ୍ୟମାନଙ୍କ ଉପରେ ଏହାର ଯେଉଁ କୁପ୍ରଭାବ ପଡୁଚି, ସେଥିକି ଆମର ନିଘା ନାହିଁ । ତେବେ କଥା ଏତିକିରେ ସରିନାହିଁ ।
ଆଶ୍ଚର୍ଯ୍ୟଜନକ ଭାବେ ଆମ ମଧୁର ସମ୍ପର୍କଗୁଡ଼ିକ ମଧ୍ୟରେ ସ୍ୱାର୍ଥପରତା ଓ ସନ୍ଦେହ ଏପରି ଭାବେ ଜଡ଼ିତ ହୋଇଗଲାଣି ଯେ, କେହି ଆଉ କାହା ଉପରେ ଅଗାଧ ବିଶ୍ୱାସ କରିବା ପାଇଁ ଚାହୁଁନାହିଁ । ସମ୍ମାନବୋଧ ଓ ଶୃଙ୍ଖଳା ଜ୍ଞାନ ତ ଗଲାଣି ଚୁଲିକୁ । ଯଦି କେହି ସେତକ ଦେଖାଉଛି, ଲୋକେ କହୁଛନ୍ତି ଅଭିନୟ କରୁଛି ବୋଲି । କାରଣ ଏବେ ଲୋକେ ଅସଭ୍ୟତାକୁ ଆଦରି ନେଲେଣି, ସହଜ ମନେ କଲେଣି । ସତ କଥା କହିବାକୁ ଗଲେ, ସତେଯେମିତି ଆମର ସାମାଜିକ ଦାୟିତ୍ୱବୋଧରେ ଘୋର ଅଭାବ ଦେଖାଦେଇଛି । ଫଳସ୍ୱରୂପ ସମାଜ ହେଉଛି ବିପଥଗାମୀ । ଦିନରେ ଶୋଇ ରାତିରେ ଚେଇଁ ଆମେ ସାଜିଛନ୍ତି ରାତ୍ରୀଚର । ଅଖାଦ୍ୟ ଖାଇ, ଅସମୟରେ ଶୋଇ, ଅକାର୍ଯ୍ୟ କରି ବିଗିଡ଼ି ଯାଉଚି ଶରୀରର ପ୍ରାକୃତିକ ଘଡ଼ି । ବୟସ ଆସିବା ପୂର୍ବରୁ ଶରୀର ଓ ମନ ହୋଇଯାଉଛି ବୃଦ୍ଧ । ନାମ ନଜଣା, ଆଖି ଅଦେଖା ରାଗମାନେ ପହଞ୍ଚିଯାଇ ଆମକୁ କଲବଲ କରିବା ସହିତ ଡାକ୍ତରଙ୍କୁ ବି କରୁଛନ୍ତି ହତବାକ୍ । ଜୀବନ ସରଳ, ଏହାର ସମସ୍ୟାଗୁଡ଼ିକ ବି ସରଳ ଓ ସମାଧାନ ମଧ୍ୟ ସରଳ । ତେବେ ନିଜେ ସରଳ ହୋଇ ସେଗୁଡିକୁ କେବଳ ଆପଣେଇ ନେବାର କଥା । ଭୋକ କଲେ ଖାଦ୍ୟ ଖାଇବା, ଅଖାଦ୍ୟ ନୁହେଁ । ଶୋଇବା ସମୟରେ ଶୋଇବା । ପଢ଼ିବା ଚିଜ ପଢ଼ିବା, ଦେଖିବା ଚିଜ ଦେଖିବା, ବଡ଼ମାନଙ୍କୁ ସମ୍ମାନ ଦେବା, ସାନମାନଙ୍କୁ ସ୍ନେହ କରିବା ଇତ୍ୟାଦି ଇତ୍ୟାଦି ।