କଟକ, ୦୯/୦୯ : ମହାନଦୀରେ ଭାସି ଯାଉଥିବା ବେଳେ ଉଦ୍ଧାର ହେଲେ ମହିଳା ଓ ଯୁବତୀ। ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା-ବାଲିଡିହ ଗ୍ରାମରେ ଏଭଳି ଘଟଣା ଘଟିଛି। ଉଭୟ ମହିଳା ଏବଂ ଯୁବତୀଙ୍କୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା-ବାଲିଡିହ ଗ୍ରାମର ନର୍ମଦା ଦଳେଇ (୨୦ ବର୍ଷ) ଏବଂ ଲିଲି ଦଳେଇ (୪୫ ବର୍ଷ) ମହାନଦୀରେ ଗାଧୋଇବା ସମୟରେ ଭାସି ଯାଉଥିଲେ। ନଦୀରେ ପ୍ରାୟ ୩ ଶହ ମିଟର ଭାସିଯାଇଥିବା ବେଳେ କିଛି ସ୍ଥାନୀୟ ଯୁବକ ଅଗ୍ନିଶମ ବାହିନୀ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଭୟ ନର୍ମଦା ଏବଂ ଲିଲିଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କର ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି।