ଭୁବନେଶ୍ୱର, ୧୧/୦୯ (ମନୋରଞ୍ଜନ ମହାନ୍ତି) : ଓଡ଼ିଆ ସିନେମା । ପରିଚୟ ପାଇଁ... ବାସ୍ ଏତିକି ହିଁ ଯଥେଷ୍ଟ । କିନ୍ତୁ ଏ ପରିଚୟରେ ଆଜି କଳଙ୍କର ଛିଟା । କିଛି କଳାକାରଙ୍କ କଳି କଳାରେ କାଳିମା ବୋଳିଛି । କାମ ଆଉ କଳା ପ୍ରଦର୍ଶନରେ ବିଶ୍ୱାସ ରଖୁଥିବା ଏ ସ୍ୱାଭିମାନୀ ଇଣ୍ଡଷ୍ଟ୍ରିର ଇଜତ, ମହତ ଦାଣ୍ଡରେ ପଡ଼ି ହାଟରେ ନିଲାମ ହେଉଛି । ମର୍ଯ୍ୟାଦା ବୋଲି କିଛି ନାହିଁ । ଦୀର୍ଘ ୮୮ ବର୍ଷ ଯାତ୍ରାରେ ଯେଉଁମାନେ ଏ ସିନେ ଜଗତକୁ ମୁଣ୍ଡରେ ମୁଣ୍ଡାଇ ଆସିଥିଲେ ତଳେ ଏମାନଙ୍କ କୀର୍ତ୍ତି କାରାନାମା ଦେଖି ଉପରେ ସେମାନଙ୍କ ଆତ୍ମା କାନ୍ଦୁଛି । ବାସ୍ତବରେ ସିନେମା ଜଗତ ଥିଲା କ’ଣ ଆଉ ହେଲା କ’ଣ ? ଏହାର ଭବିଷ୍ୟତ ଗତି କୁଆଡ଼େ...? ସାମ୍ନାରେ ଆଜି ଏମିତି ଗୁଡ଼ାଏ ପ୍ରଶ୍ନ ।
୧୨ ବର୍ଷ ପରେ ଓଡ଼ିଆ ସିନେ ଜଗତ ଜନ୍ମର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳିବ । ସେଥିପାଇଁ କାହାରି ଚିନ୍ତା କି ଯୋଜନା ନାହିଁ । ସମସ୍ତେ କେବଳ ଶସ୍ତା ଲୋକପ୍ରିୟତା ସହ ଗୋଡ଼ଟଣାରେ ମାତିଛନ୍ତି । ଯେଉଁ ଇଣ୍ଡଷ୍ଟ୍ରି ସବୁବେଳେ ଏକ ଓଡ଼ିଶା ହେଇ କାମ କରିଆସିଛି, ଏବେ ସେଠି ଭାଷାଭିତ୍ତିକ ଆଞ୍ଚଳିକତାବାଦକୁ ପ୍ରସଙ୍ଗ କରି ଭେଦଭାବ ସୃଷ୍ଟି କରାଯାଉଛି । ଅଯଥା କଥାକୁ ନେଇ ଅତି ନିମ୍ନ ସ୍ତରର ଲଢ଼େଇ ହେଉଛି । ଶେଷରେ ବ୍ୟକ୍ତଗତ ଆକ୍ଷେପ କରି ସମ୍ମାନ ହାନି କରିବାକୁ ବି କେହି ପଛାଉନାହାନ୍ତି । କାରଣ ଏଠି ସମସ୍ତେ ଷ୍ଟାର୍ ଆଉ ସୁପର୍ଷ୍ଟାର୍ । କାହାରି ମୁହଁରେ ବାଡ଼ବତା ନାହିଁ । ଯିଏ ଯାହା ପାରିଲା, ଯାହା ମନକୁ ଆସିଲା ସୋସିଆଲ୍ ମିଡିଆରେ ତା’ର ଜବାବ ରଖିଲା । କୌଣସି କଟକଣା କି କାର୍ଯ୍ୟାନୁଷ୍ଠାନ ନାହିଁ । ଏଠି ସମସ୍ତେ ଅନେଇକି ବସିଛନ୍ତି, ଜଣେ କିଏ ଆରମ୍ଭ କଲେ ତାକୁ ଧରି ଆଗକୁ ମାଡ଼ିବା କଥା । ପଛେ ନିଜର ପରିଚୟ ନଥାଉ କି ଲୋକ ଚିହ୍ନି ନଥାନ୍ତୁ ।
୨/୩ଟି ଫିଲ୍ମରେ କ’ଣ କେଉଁଠି କରି ନିଜକୁ ବଡ଼ ବଡ଼... ବୋଲି କହି ସୋସିଆଲ୍ ମିଡିଆରେ ମୁହଁ ଦେଖାଇବାରେ ବ୍ୟସ୍ତ । କାରଣ ସମସ୍ତଙ୍କୁ ଟିଆର୍ପି ଦରକାର । ଆରମ୍ଭରୁ ଓଡ଼ିଆ ସିନେମାରେ ଯେଉଁ ଧାରା ଚାଲି ଆସିଥିଲା ୧୯୯୯ ମହାବାତ୍ୟାର ଗତିପଥ ପରି ସେ ବି ମୋଡ଼ଦେଲା । ପରେ କିଛିଦିନ କପି କରି ଟାଣିନେଲେ । ହଲ୍ ଭାଙ୍ଗିଲା, କଳିଙ୍ଗ ଷ୍ଟୁଡିଓ ଭୁଶୁଡ଼ିଲା । ଅନେକ ଚର୍ଚ୍ଚା, ଆଲୋଚନା, ସୁନାମ, ଦୁର୍ନାମ ସହ ରାଜନୀତି ହେଲା । ଏସବୁ ପରେ ପୁଣି ଦାୟିତ୍ୱ ନୂଆ ପିଢ଼ିଙ୍କ ହାତକୁ ଆସିଲା । ଆଉ ଶେଷ ୨ ବର୍ଷ ହେଲା ଓଡ଼ିଆ ସିନେମା ପୁଣି ଏକ ପରିବର୍ତ୍ତନ ଧାରାରେ ସଫଳତାର ନୂଆ ଫର୍ଦ୍ଦ ଲେଖିଲା, ଯାହା ହେଲା ସମସ୍ତେ ଜାଣନ୍ତି । ବହୁଦିନ ପରେ ଓଡ଼ିଆ ସିନେମାରେ ଦର୍ଶକ ଫେରିଲେ । ହଲ୍ ହାଉସ୍ଫୁଲ୍ ହେଲା । ୫/୬ଟି ସିନେମା ଆଶାଠୁ ଅଧିକ ବେପାର ସହ ସବୁକିଛି ପାଇଲା । ଫଳରେ ପୁଣିଥରେ ଚର୍ଚ୍ଚା ହେଲା, ଆଶା ଜାଗିଲା, ଏବେ ସବୁକିଛି ଠିକ୍ଠାକ୍ ଚାଲିବ । କିନ୍ତୁ ଆମେ ଠିକ୍ ରହିଲେ ତ, ଇଣ୍ଡଷ୍ଟ୍ରି ଠିକ୍ ଚାଲିବ । ଏଠି ଗୋଟିଏ ସିନେମା ମୁକ୍ତିଲାଭ ପୂର୍ବରୁ ଏତେ ବାଡ଼ିଆପିଟା ଯେ, ଶେଷରେ ସିନେମାଟି ମୁକ୍ତିଲାଭ ପୂର୍ବରୁ ଫ୍ଲପ୍ର ଆଖ୍ୟା ପାଇ ମାଡ଼ ଖାଉଛି । ଫଳରେ କଳାକାରର କଳା ଜନ୍ମ ପୂର୍ବରୁ ସମାଧି ନେଇଯାଉଛି ।
ଏଥିପାଇଁ ପରସ୍ପର ଭିତରେ ବିଭିନ୍ନ ଗୋଷ୍ଠୀ ଅଣ୍ଟାଭିଡ଼ି ପ୍ରତିଯୋଗିତାମୂଳକ ଭାବେ ଲାଗିପଡ଼ୁଛନ୍ତି । ଯେତେ ପ୍ରକାରର ରାଗ ସବୁ ସିନେମା ଉପରେ ସୁଝାଉଛନ୍ତି । ଦର୍ଶକ ଯେମିତି ନ ଆସିବେ ଆରମ୍ଭରୁ ତା’ ବାଟ କିଳି ଦେଉଛନ୍ତି । ବରିଷ୍ଠମାନଙ୍କର ଏହି ସ୍ୱାର୍ଥନିହିତ ବ୍ୟକ୍ତିଗତ ଲଢ଼େଇରେ ବଳି ପଡ଼ୁଛନ୍ତି ନୂଆପିଢ଼ି ବା କନିଷ୍ଠ କଳାକାର । ତା’ ପାଇଁ ସୁଯୋଗର ରାସ୍ତା ସେଇଠି ଶେଷ ହେଇଯାଉଛି ଏବଂ ସର୍ବାଧିକ କ୍ଷତି ସହୁଛି ପ୍ରଯୋଜନା ସଂସ୍ଥା । ଏସବୁଥି ପାଇଁ ଦାୟୀ କେବଳ ଏଇ କଳି । ପୂର୍ବରୁ ଏମିତି ହେଉଥିଲା । ଇଣ୍ଡଷ୍ଟ୍ରିରେ ବହୁ ବଡ଼ ବଡ଼ ଦିବଂଗତଙ୍କ ଭିତରେ ମନାନ୍ତର, ମତାନ୍ତର ବି ଥିଲା । କିନ୍ତୁ ଏମିତି ରାସ୍ତାରେ ଚୁଟି ଧରି ଗଡ଼ା ଗଡ଼ି ହେଉ ନ ଥିଲେ । ସେମାନେ କଳାକୁ ଏବଂ କଳାକାରଙ୍କୁ ସମ୍ମାନ ଦେଉଥିଲେ ।
ଗଲା କିଛିବର୍ଷ ଭିତରେ ଇଣ୍ଡଷ୍ଟ୍ରିରେ ଏହି କଳି ଯୁଗ ଆରମ୍ଭ ହୋଇଛି । ଏହାର ଅନ୍ତ କେବେ ଏବଂ କାହା ପାଖରେ ତାହା ଯିଏ ଆଗକୁ ଆସି ପ୍ରତିଦିନ କିଛି ନା’ କିଛି ନୂଆ ଯାତ୍ରା ଆରମ୍ଭ କରୁଛନ୍ତି, ସେମାନେ କହିପାରିବେ ବୋଲି ଜଣେ ସମୀକ୍ଷକ କହିଛନ୍ତି । ଜଣେ ପ୍ରଯୋଜକ କହିଛନ୍ତି, ବର୍ଷକୁ ୫୦ଟା ସିନେମା ହେଲେ ୫ଟିର ଆଲୋଚନା ନାହିଁ । ରିଲିଜ୍ ପାଇଁ ହଲ୍ ପାଇବାକୁ ସଂଘର୍ଷ ସରିନି । ୭୫ ହଲ୍କୁ ୫ ସିନେମା ଏକାବେଳେ ଆସିଲେ ବିବାଦ ହେଲା । ପୁଣି ୨ ବର୍ଷ ହେଲା ଅଧାଖଣ୍ଡିଆ ହେଇ କଳିଙ୍ଗ ଷ୍ଟୁଡିଓ ପଡ଼ିଛି ଯେ, କାହା କାମରେ ଆସୁନି । ଏ ଦିଗରେ ସରକାରଙ୍କ ନୀତି ନାହିଁ କି ନୈତିକତା ବି ନାହିଁ । ସିନେମା ଉନ୍ନତିରେ ପୂର୍ବ ସରକାର ବି ନିରବ ରହୁଥିଲେ, ଏବେ ବି ନିରବ । ଆମର ୧୫ ସଂଘ ଥିଲେ ବି ସ୍ୱର ନାହିଁ । ଆଉ ଏ କଳିରେ କାହାରି ନେଣଦେଣ ବି ନାହିଁ । ତେଣିକି ଇଣ୍ଡଷ୍ଟ୍ରି ତଳକୁ ଗଲେ କେତେ, ଉପରକୁ ଉଠିଲେ କେତେ? ଜଣେ କାହାଣୀକାର କହିଛନ୍ତି, ନିଜକୁ ବଡ଼ କହି ବଡ଼ପଣିଆ ଜାହିର କଲେ ହେବ ନା’ । ଏମିତି ଝଗଡ଼ା କରି ବଡ଼ କହିଲେ ଲୋକେ ହସିବେ ଏବଂ ହସୁଛନ୍ତି । ଏଥିରୁ ନିବୃତ୍ତ ରହି ଇଣ୍ଡଷ୍ଟ୍ରିର ଏବଂ ନୂଆ ପିଢ଼ିଙ୍କ ଭଲ ଚିନ୍ତା କଲେ ସେମାନେ ଆଦର୍ଶ ବୋଲି ମାନିବେ । ଯାହା ଆମକୁ ଆମ ଅତୀତ ଶିଖାଇ ଆସିଛି । ଭଲ ସୃଜନଶୀଳ କଳା କାମ ଅପେକ୍ଷା ଦିନକୁ ଦିନ କଳି ଅଧିକ ହେଇଯାଉଛି । ଏମିତିରେ କାମ କରିବାକୁ ବି ଇଚ୍ଛା ହେଉନି ବୋଲି କାହାଣୀକାର ଜଣକ କହିଛନ୍ତି ।