ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ADR ରିପୋର୍ଟ: ରାଜ୍ୟରେ ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୮ଜଣ ଦାଗୀ ନେତା, ଗତ ନିର୍ବାଚନ ତୁଳନାରେ ଦାଗୀଙ୍କ ହାର ୩% କମିଛି

ଭୁବନେଶ୍ୱର,୨୮/୦୫: ଏଥର ନିର୍ବାଚନରେ ୧୪୭ ବିଧାନସଭା ଆସନ ପାଇଁ ୧୨୮୫ ପ୍ରାର୍ଥୀ ଲଢ଼ୁଛନ୍ତି । ସେଥିରୁ ୩୪୮ଜଣ  ଦାଗୀ । ଅର୍ଥାତ୍‌ ପାଖାପାଖି ୨୭% ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ଅଛି । ବିଭିନ୍ନ ଜାତୀୟ ଦଳରୁ ଟିକଟ ପାଇଥିବା ୪୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୭୩ଜଣ ଦାଗୀ । ଆଞ୍ଚଳିକ ଦଳରୁ ୨୦୭ଜଣ  ରଣାଙ୍ଗନକୁ ଓହ୍ଲାଇଛନ୍ତି । ସେଥିରୁ ମୋଟ ୫୮  ଜଣ ଦାଗୀ । ସ୍ୱାଧୀନ ଲଢ଼ୁଥିବା ୪୨୫ ଜଣରୁ ୯୨ଜଣ ଦାଗୀ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ସୋମବାର ପ୍ରକାଶିତ ଏଡିଆର୍‌ (ଆସୋସିଏସନ  ଫର୍‌ ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟରୁ  ଏଭଳି ତଥ୍ୟ ସାମ୍ନାକୁ ଆସିଛି। 

୨୦୧୯ ନିର୍ବାଚନର ଏଡିଆର୍‌ ରିପୋର୍ଟକୁ  ତୁଳନା କଲେ, ଗତଥର ୧୧୨୧ଜଣ ପ୍ରାର୍ଥୀ  ଭାଗ୍ୟ ପରୀକ୍ଷା କରିଥିଲେ । ତନ୍ମଧ୍ୟରୁ ୩୦% ଅର୍ଥାତ ୩୩୨ଜଣ ଦାଗୀ ନେତା ଥିଲେ ।  ଚଳିତ ନିର୍ବାଚନରେ ଏହି ହାର ୩% କମିଛି ।  ଜଘନ୍ୟ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ହାର ପ୍ରାୟତଃ ସମାନ, ଅର୍ଥାତ ୨୩% । ଚଳିତ  ନିର୍ବାଚନରେ ୨୯୨ ଜଣ ଓ ୨୦୧୯ରେ ୨୫୭  ଜଣ ପ୍ରାର୍ଥୀଙ୍କ ନାଁରେ ସଙ୍ଗୀନ ଦଫା ରହିଛି । 

ରିପୋର୍ଟରେ ଦର୍ଶାଯାଇଛି, ଦାଗୀ ପ୍ରାର୍ଥୀଙ୍କ  ମଧ୍ୟରେ ୧୦ ଜଣ ହତ୍ୟା ଅଭିଯୁକ୍ତ । ୬୬ଜଣଙ୍କ  ନାଁରେ ମହିଳା ବିରୋଧୀ ଅପରାଧିକ ଦଫା ଲାଗିଛି । ସେଥିରୁ ୪ଜଣ ବଳାତ୍କାର ଅଭିଯୁକ୍ତ ।  ୭୦ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା  ଅଛି । ଅପମାନସୂଚକ ଭାଷଣ ଦେଇ ୫ଜଣ ନେତା ମାମଲାରେ ଛନ୍ଦି ହୋଇଛନ୍ତି । ୫୯  ନିର୍ବାଚନମଣ୍ଡଳୀ ରେଡ୍‌ ଆଲର୍ଟ ଅନ୍ତର୍ଭୁକ୍ତ ।  ଅର୍ଥାତ, ସେଠାରେ ୩ରୁ ଅଧିକ ଦାଗୀ ନେତା ନିର୍ବାଚନ ଲଢ଼ୁଛନ୍ତି । 

ରିପୋର୍ଟ ମୁତାବକ, ଦାଗୀ ନେତାଙ୍କୁ ପ୍ରାର୍ଥୀ  କରିବାରେ ସବୁଠୁ ଆଗରେ ବିଜେପି । ଦଳର  ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ଶହେ ଜଣ ଦାଗୀ । ୮୫ଜଣଙ୍କ ନାଁରେ ଜଘନ୍ୟ ଦଫା ଲାଗିଛି । ଗତ  ନିର୍ବାଚନଠୁ ବିଜେପିର ଦାଗୀ ପ୍ରାର୍ଥୀଙ୍କ ସଂଖ୍ୟା  ୯% ବଢ଼ିଛି । ବିଜେଡିର ୪୬ଜଣ ପ୍ରାର୍ଥୀଙ୍କ ନାଁ  ଏହି ତାଲିକାରେ ଅନ୍ତର୍ଭୁକ୍ତ । ଗତଥରଠୁ ପ୍ରାୟ  ୯% କମ୍‌ ଦାଗୀ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ  ଓହ୍ଲାଇଛି ବିଜେଡି । କଂଗ୍ରେସଠାରୁ ଟିକଟ  ୟପାଇଥିବା ୧୪୫ଜଣଙ୍କ ମଧ୍ୟରୁ ୬୦ଜଣଙ୍କ  ଅପରାଧିକ ପୃଷ୍ଠଭୂମି ଅଛି । ୨୦୧୯ ତୁଳନାରେ  କଂଗ୍ରେସର ମଧ୍ୟ ୪ ପ୍ରତିଶତ ହାର କମିଛି ।  ଆପ୍‌ରୁ ୪୧ଜଣ ଦାଗୀ ତାଲିକାରେ ଅଛନ୍ତି । 

ଅପରାଧିକ ତାଲିକାରେ ସର୍ବାଗ୍ରେ ଅଛନ୍ତି  ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ ।  ତାଙ୍କ ନାଁରେ ସମୁଦାୟ ୪୬ ମାମଲା । ୧୧୧ଟି  ଜଘନ୍ୟ ଦଫା ବି ଲାଗିଛି । ଶିବ ଏଥର ସ୍ୱାଧୀନ  ଭାବେ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କ ବିରୋଧରେ  ମହିଳାଙ୍କୁ ଅସଦାଚରଣଜନିତ ୩ଟି ଓ ଯୌନ  ନିର୍ଯାତନା ବାବଦକୁ ଗୋଟିଏ ମାମଲା ଲାଗିଛି । 

ତା’ ତଳକୁ ଅଛନ୍ତି, ଗଞ୍ଜାମ ଜିଲ୍ଲାର ଆଉ  ଜଣେ ଟାଣୁଆ ନେତା । କଂଗ୍ରେସ ଟିକଟରୁ  ସାନଖେମୁଣ୍ଡିରେ ଲଢ଼ୁଥିବା ରମେଶ ଜେନାଙ୍କ ନାଁରେ ୪୨ଟି ମାମଲା ଅଛି । ୫ଟି ମାମଲାରେ  ସେ ହତ୍ୟା ଅଭିଯୁକ୍ତ । ୯୪ଟି ସଙ୍ଗୀନ ଦଫା  ତାଙ୍କ ବିରୋଧରେ ଲାଗିଛି । ସେଥିରୁ ୧୦ଟି  ହତ୍ୟା ଉଦ୍ୟମଜନିତ । କଂଗ୍ରେସର ପାଟକୁରା  ପ୍ରାର୍ଥୀ ରତିକାନ୍ତ କାନୁନ୍‌ଗୋଙ୍କ ନାଁରେ ଥିବା  ୨୮ଟି ମାମଲାରୁ ୯ଟି ଠକେଇ ଓ ୪ଟି ଜାଲିଆତିଜନିତ । ଆଠଗଡ଼ ବିଜେପି ପ୍ରାର୍ଥୀ  ଅଭୟ ବାରିକଙ୍କ ନାଁରେ ୨୬ଟି ମାମଲା ଅଛି ।  

ତାଳଚେର ବିଜେଡି ପ୍ରାର୍ଥୀ ବ୍ରଜକିଶୋର  ପ୍ରଧାନଙ୍କ ନାଁରେ ୩୧ ମାମଲା ଅଛି । ୨୦୧୯ରୁ  ତାଳଚେର କୋଲିଆରୀ ଥାନାରେ ଏକ ବଳାତ୍କାର  ମାମଲା ଗଡୁଛି । ଜୟ ମହାଭାରତ ଦଳର  ନିମାପଡ଼ା ପ୍ରାର୍ଥୀ ଗୋପାଳକୃଷ୍ଣ ବେହେରା,  କେନ୍ଦ୍ରାପଡ଼ା ମହାକାଳପଡ଼ାରୁ ସ୍ୱାଧୀନ ଭାବେ  ଲଢ଼ୁଥିବା ରାଜକିଶୋର ପ୍ରଧାନଙ୍କ ନାଁରେ  ବଳାତ୍କାର ମାମଲା ଅଛି । 

ସୋରଡ଼ା ବିଜେପି ପ୍ରାର୍ଥୀ ନୀଳମଣି  ବିଶୋଇଙ୍କ ନାଁରେ ୨ଟି ହତ୍ୟାଜନିତ ମାମଲା  ଅଛି । ଖୋର୍ଦ୍ଧାର ବିଜେପି ପ୍ରାର୍ଥୀ ପ୍ରଶାନ୍ତ  ଜଗଦ୍ଦେବ, ସମ୍ବଲପୁରର ବିଜେପି ପ୍ରାର୍ଥୀ  ଜୟନାରାୟଣ ମିଶ୍ର ଓ ଭଟ୍‌ଲିର ବିଜେପି ପ୍ରାର୍ଥୀ  ଇରାଶିଷ ଆଚାର୍ଯ୍ୟଙ୍କ ନାଁରେ ମଧ୍ୟ ହତ୍ୟା  ଅଭିଯୋଗ ହୋଇଛି । ପୋଲସରା ବିଜେପି  ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ, ତେଲକୋଇର  ରାଷ୍ଟ୍ରୀୟ ମାନବ ଦଳ ପ୍ରାର୍ଥୀ ଘନଶ୍ୟାମ ବରି,  ବେଗୁନିଆର ମାନସ ଲୋକଶକ୍ତି ଦଳର ପ୍ରାର୍ଥୀ  ମାନସ ରଞ୍ଜନ ଦାସ ଏବଂ ବରଗଡ଼ର ସ୍ୱାଧୀନ  ପ୍ରାର୍ଥୀ ପାଣ୍ଡବ କର୍ଣ୍ଣ ମଧ୍ୟ ହତ୍ୟା ଅଭିଯୁକ୍ତ ।

  • PrameyaOdia
  • prameya
  • ADR report
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.