କାଣ୍ଡି,୦୪/୦୯: ଏସିଆ କପ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଯୋଗୁ ଗତକାଲି ଧୋଇଗଲା । ଯାହା ଉଭୟ ଦେଶର କ୍ରିକେଟ୍ପ୍ରେମୀଙ୍କୁ ବେଶ ନିରାଶ କରିଥିଲା । ଦ୍ୱିତୀୟ ମ୍ୟାଚ୍ରେ ଭାରତ ସୋମବାର ନେପାଳକୁ ଭେଟିବାକୁ ଯାଉଛି। ପୂର୍ବମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ମଧ୍ୟ ବର୍ଷା ବାଧକ ସାଜିପାରେ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି ।
ପ୍ରଥମ ମ୍ୟାଚରେ ଭାରତ ପଏଣ୍ଟ ଭାଗ କରିଥିବାରୁ ଦ୍ୱିତୀୟ ମ୍ୟାଚ୍ରେ ନେପାଳକୁ ପରାଜିତ କରିବା ଅତି ଜରୁରି ରହିଛି । ଯଦିବି ସୋମବାର ଅଧିକ ବର୍ଷା ହୁଏ ଏବଂ ମ୍ୟାଚ୍ ସମ୍ଭବ ହୋଇନପାରେ, ତାହା ହେଲେ ଭାରତ ସୁପର-୪ରେ ପ୍ରବେଶ କରିବ । ଭାରତ, ନେପାଳ ଓ ପାକିସ୍ତାନ ଗ୍ରୁପ୍ ଏ’ରେ ରହିଛନ୍ତି । ଗୋଟିଏ ବିଜୟ ଏବଂ ମ୍ୟାଚ୍ରେ ପଏଣ୍ଟ ଭାଗ କରି ପାକିସ୍ତାନ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରି ସାରିଛି । ଭାରତ ୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ଯଦି ସୋମବାର ବର୍ଷା ଯୋଗୁ ମ୍ୟାଚ୍ ନହୁଏ, ତଥାପି ଭାରତ ସୁପର-୪ରେ ପ୍ରବେଶ କରିବ ଏବଂ ଆଉ ଥରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ଦେଖିବାକୁ ମିଳିବ ।
ଏଥର ଏସିଆ କପ୍ରେ ନେପାଳ ପଦାର୍ପଣ କରିଛି । ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିଥିଲା ଏବଂ ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଭାରତକୁ ଭେଟିବାକୁ ଯାଉଛି । ପ୍ରଥମ ଥର ଦଳ ଭାରତ ସହ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ଯାହାକୁ ନେଇ ଅଧିନାୟକ ରୋହିତ ପୌଡେଲ ବେଶ ଉତ୍ସାହିତ ରହିଛନ୍ତି ।
ସୋମବାରର ମ୍ୟାଚ୍ରେ ଯଶପ୍ରୀତ ବୁମରା ଖେଳିବେ ନାହିଁ । ଯଦିଓ ସେ ଆହତ ହୋଇ ନାହାନ୍ତି, କିନ୍ତୁ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ଘରକୁ ବାହୁଡ଼ି ଆସିଛନ୍ତି । ତାଙ୍କ ସ୍ଥାନରେ ମହମ୍ମଦ ସାମିକୁ ସୁଯୋଗ ମିଳିବ । ହୁଏତ ନେପାଳ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ କିମ୍ବା ତିଲକ ବର୍ମାଙ୍କୁ ସୁଯୋଗ ମିଳିପାରେ ।
ୱିକେଟ୍କିପର ଇଶାନ କିଷନ ପାକିସ୍ତାନ ବିପକ୍ଷରେ ୫ ନମ୍ବର ସ୍ଥାନରେ ଅତି ଚମତ୍କାର ପ୍ରଦର୍ଶନ କରିଥିଲେ। ପାକ୍ ବୋଲରଙ୍କୁ ସାହସର ସହ ସାମ୍ନା କରି ଲଢ଼ୁଆ ୮୨ ରନ୍ର ଇନିଂସ ଖେଳିଥିଲେ । ନେପାଳ ବିପକ୍ଷରେ ସେମିତି ଏକ ବଡ଼ ଇନିଂସ ଦେଖିବା ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି ।
ନେପାଳର ଲଳିତ ରାଜବଂଶୀ ଏବଂ କୁଦଦୀପ ଯାଦବଙ୍କ ମଧ୍ୟରେ ସୋମବାର ସ୍ପିନ ଲଢ଼େଇ ଦେଖିବାକୁ ମିଳିପାରେ । ପୂର୍ବଭଳି କାଣ୍ଡିର ପିଚ୍ ବୋଲରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ପେସ ବୋଲରମାନେ ଅଧିକ ଲାଭବାନ ହେବେ ବୋଲି ଆଶା ।
ସମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି/ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।
ନେପାଳ: କୁଶଲ ଭୂର୍ଟେଲ, ଆସିଫ ସୈଖ, ରୋହିତ ପୌଡେଲ (ଅଧିନାୟକ), ଆରିଫ ସୈଖ, ସୋମପାଲ କାମି, ଦିପେନ୍ଦ୍ର ସିଂ, ଗୁଲସନ ଝା, କୁଶଲ ମଲ୍ଲ, କରଣ କେସି, ସନ୍ଦୀପ ଲାମିଛାନେ ଓ ଲଳିତ ରାଜବଂଶୀ ।